ଆଜି ଆନ୍ତର୍ଜାତୀୟ ମହିଳା ଦିବସ : ନାରୀ ମାନବ ସମାଜର ଶିରି

ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ନାରୀ ମାନବ ସମାଜର ଶିରି ବୋଲି କୁହାଯାଇଥାଏ । ତେବେ ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ଆନ୍ତର୍ଜାତୀୟ ମହିଳା ଦିବସ । ଚଳିତ ବର୍ଷ ଥିମ୍‌ ରହିଛି ‘ଜେଣ୍ଡର ଇକ୍ୱାଲିଟି ଟୁଡେ, ଫର ଏ ସଷ୍ଟେନେବଲ ଟୁମୋରୋ’ । ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯେଉଁ ମହିଳା ଓ ଯୁବତୀମାନେ ଜଳବାୟୁ ପରିବର୍ତ୍ତନ ଦିଗରେ କାମ କରୁଛନ୍ତି ସେମାନଙ୍କ ସମ୍ମାନରେ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ଜାତିସଂଘ ସ୍ଥିର କରିଛି ।

ଆଜିର ନାରୀ କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି, ନିଜ ଅଧିକାର ଅଂଟାଭିଡ଼ି ଲଢୁଛନ୍ତି । ଆଜି ମହିଳା ସଶକ୍ତ । ସୂଚନାଯୋଗ୍ୟ ଯେ, ଆନ୍ତର୍ଜାତୀୟ ମହିଳା ଦିବସ ମୂଳଦୁଆ ପଡିଥିଲା ଏକ ଶ୍ରମ ଆନ୍ଦୋଳନରୁ । ୧୯୦୮ରେ ନିଜ ଅଧିକାର ପାଇଁ ନ୍ୟୁୟର୍କର ରାଜରାସ୍ତାକୁ ଓହ୍ଲାଇଥିଲେ ପ୍ରାୟ ୧୫ ହଜାର ମହିଳା । ବିକ୍ଷୋଭ କରୁଥିବା କାର୍ୟ୍ୟରତ ମହିଳାଙ୍କ ଦାବୀ ଥିଲା, କାମର ସମୟ ହ୍ରାସ ସହ ଦରମା ବୃଦ୍ଧି । ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବୀ କରିଥିଲେ । ଏହାର ଏକ ବର୍ଷ ପରେ ୧୯୦୯ରେ ପ୍ରଥମ ଥର ପାଇଁ ୨୮ ଫେବ୍ରୁଆରୀରେ ମହିଳା ଦିବସ ପାଳନ ଆରମ୍ଭ କରିଥିଲା ଆମେରିକାର ସୋସାଲିଷ୍ଟ ପାର୍ଟି । ଧୀରେ ଧୀରେ ଅନ୍ୟ ଦେଶ ଓ ସଂଗଠନ ଭିନ୍ନ ଭିନ୍ନ ସମୟରେ ମହିଳା ଦିବସ ପାଳନ ଆରମ୍ଭ କଲେ । ୧୯୭୫ରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ଜାତିସଂଘ ।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କ ଅଧିକାର ପ୍ରତି ସାରା ମାନବ ସମାଜ ନିଶ୍ଚିତ କରିବା ଆବଶ୍ୟକ । ଲିଙ୍ଗଗତ ପାତର ଅନ୍ତର ଯେଭଳି ସମାଜରେ ଦେଖା ନଯାଏ, ସେଥିପ୍ରତି ପ୍ରତ୍ୟେକ ମଣିଷ ସଚେତନ ହେବା ଆବଶ୍ୟକ । ମହିଳାମାନଙ୍କୁ ଉଚିତ ସମ୍ମାନ ଦିଆଯିବା ପାଇଁ ପୁରାଣ ସାହିତ୍ୟ ଠାରୁ ଆରମ୍ଭ କରି ଆଇନ ବ୍ୟବସ୍ଥାରେ ମଧ୍ୟ କୁହାଯାଇଥିବା ବେଳେ ଆଜି ମଧ୍ୟ ମହିଳାମାନେ ନିର୍ୟାତାନାର ଶିକାର ହେଉଥିବା ଦେଖିବାକୁ ମିଳୁଛି, ଯାହା ମାନବ ସମାଜ ପାଇଁ କଳଙ୍କ । ଏଣୁ ଆସନ୍ତୁ ଆଜି ଆମେ ସଂକଳ୍ପବଦ୍ଧ ହେବା, ନାରୀ ମାନବ ସମାଜର ଶିରି….ନାରୀକୁ ସମ୍ମାନ ଜଗତକୁ ସମ୍ମାନ ।

Leave A Reply

Your email address will not be published.