କୁଚିପାଲିରେ ଜୁଗାର ଯାତ୍ରା

  • ଦେବାଶିଷ ପଟ୍ଟନାୟକ

ବରଗଡ଼ ଜିଲ୍ଲା ସଦର ମହକୁମାରୁ ୫୦ କି.ମି. ପଦ୍ମପୁର ଗଲାବେଳେ ରାଜ୍ୟ ରାଜପଥ କଡ଼ରେ କୁଚିପାଲି ଗ୍ରାମ ଅବସ୍ଥିତ । ଆଠଟି ୱାର୍ଡ଼ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ଚାରି ହଜାରରୁ ଅଧିକ ହେବ । ପଶ୍ଚିମ ଓଡ଼ିଶାରେ ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଜୁଗାର ଯାତ୍ରା ଭଳି ଏକ ନିଆରା ପରମ୍ପରା ପାଇଁ ଏହି ଗ୍ରାମ ଆଜି ସୁପରିଚିତ । କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ଏହି ଗ୍ରାମ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବରଗଡ଼ ହେଉଛି ଏକ କୃଷିପ୍ରଧାନ ଜିଲ୍ଲା । ଧାନ ହେଉଛି ଏଠାକାର ମୁଖ୍ୟ ଫସଲ । କୃଷିକୁ ଭିତ୍ତି କରି ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପର୍ବ ପାଳିତ ହେଉଅଛି । ଜୁଗାର ଯାତ୍ରା ଏକ କୃଷିଭିତ୍ତିକ ପର୍ବ ହୋଇନଥିଲେ ସୁଦ୍ଧା କୃଷି ସହିତ ଏହାର ସଂପର୍କ ଅତି ନିବିଡ଼ । ଦେବୀଙ୍କ ପୂଜା ନାଁ’ରେ ସର୍ବତ୍ର ଜୀବ ବଳୀ ଦେବା ପରମ୍ପରା ଥିଲା । କିନ୍ତୁ, ବର୍ତ୍ତମାନ ଜନସଚେତନତା ଯୋଗୁଁ ଏହି ବଳୀପ୍ରଥା ବିଭିନ୍ନ ସ୍ଥାନରେ ବନ୍ଦ ହେବାକୁ ଲାଗିଲାଣି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଜୁଗାର ଯାତ୍ରା ।

ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ସେମାନେ ସ୍ଥିର କଲେ ଯେ ପଶୁବଳୀ ପରିବର୍ତ୍ତେ ଦେବୀଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟରୁ ହିଁ ଭୋଗ ଅର୍ପଣ କରିବେ । ଏହି ଚିନ୍ତାଧାରାରୁ ହିଁ ୧୯୮୫ ମସିହାରୁ ଆରମ୍ଭ ହୋଇଥିଲା ଜୁଗାର ଯାତ୍ରା । ଗ୍ରାମର ସରପଞ୍ଚ ସ୍ୱର୍ଗତ ଶ୍ରୀବତ୍ସ ସା’ଙ୍କ ପରିବାରରୁ ପ୍ରସ୍ତୁତ ଜୁଗାର ପ୍ରଥମ ଥର ପାଇଁ ଦେବୀଙ୍କୁ ଅର୍ପଣ କରାଯାଇଥିଲା । ସେହି ପରମ୍ପରା ଅନୁଯାୟୀ ଏବେ ବି ମୁଖ୍ୟ ଜୁଗାରଟି ତାଙ୍କ ପରିବାର ପକ୍ଷରୁ ୨୧ ତାମ୍ବି ଧାନର ଲିଆ ଓ ଗୋଟିଏ ମାଠିଆ ଗୁଡ଼ରେ ପ୍ରସ୍ତୁତ ହୋଇଥାଏ । ଯାହାର ଉଚ୍ଚତା ୬ ଫୁଟରୁ ଅଧିକ ଓ ଗୋଲେଇ ୩ ଫୁଟ ହୋଇଥାଏ । ପୁଣି, ଏହି ଜୁଗାରକୁ ରଙ୍ଗୀନ କାଗଜ, ଫୁଲ ଦେଇ ସୁସଜ୍ଜିତ କରାଯାଇ ଦେବୀଙ୍କୁ ଅର୍ପଣ କରାଯାଇଥାଏ । ତା’ ସହିତ ଶେଷଦିନ ସମସ୍ତ ଜୁଗାରକୁ ଭକ୍ତମାନେ କାନ୍ଧରେ ବୋହି ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ସହିତ ପୂଜା ମଣ୍ଡପକୁ ଆଣି ଦେବୀଙ୍କ ପାଖରେ ଅର୍ପଣ କରିଥାନ୍ତି । ଏହି ଶୋଭାଯାତ୍ରାରେ ଗ୍ରାମର ହିନ୍ଦୁ, ମୁସଲମାନ ଉଭୟ ସମ୍ପ୍ରଦାୟର ଭକ୍ତ ସାମିଲ ହୋଇଥାନ୍ତି । ଭକ୍ତମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଜୁଗାର ଅର୍ପଣ କରିଥାନ୍ତି । ପୂଜା ପରେ ସବୁ ଜୁଗାରକୁ ପ୍ରସାଦ କରି ଗ୍ରାମରେ ବଣ୍ଟା ଯାଇଥାଏ ।

ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେବୀ କାଳୀଙ୍କ ପୂଜନୋତ୍ସବ । ଏଥିପାଇଁ ଦଶହରା ପୂର୍ଣ୍ଣିମା ଦିନଠାରୁ ପାରମ୍ପରିକ ଭାବେ ୭ଟି ଜାଗାରୁ ମାଟି ଆଣି ଦେବୀ କାଳୀଙ୍କ ମୂର୍ତ୍ତି ନିର୍ମାଣର ଶୁଭାରମ୍ଭ କରାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନଠାରୁ ଜୁଗାର ଯାତ୍ରା ଆରମ୍ଭ ହୋଇଥାଏ ଓ ଏହି ଯାତ୍ରା ୩ ଦିନ ବ୍ୟାପୀ ପାଳିତ ହୋଇଥାଏ । ଗାଁ’ର ପୂଜା ମଣ୍ଡପରେ ଦେବୀ କାଳୀଙ୍କ ମୂର୍ତ୍ତିକୁ ଗ୍ରାମବାସୀ ପୂଜା କରିଥାନ୍ତି ।

Leave A Reply

Your email address will not be published.