jayashree

ୟୁକ୍ରେନ ଯୁଦ୍ଧରୁ ଶିକ୍ଷା

  • ସୌମେନ୍ଦ୍ର ଜେନା

ପୂର୍ବାନୁମାନ ମୁତାବକ ୟୁକ୍ରେନ ଉପରେ ରୁଷିଆର ସେନା ଆକ୍ରମଣ ଆରମ୍ଭ କରିଦେଇଛି । ୨୦୧୩ରୁ ଯୋଜନାବଦ୍ଧ ଭାବେ ଡୋନେସ୍କ ଏବଂ ଲୁଗାନସ୍କରେ ରୁଷିଆ ଯେଉଁ ଅସ୍ଥିରତା ଜାରି ରଖିଥିଲା ତାର ପ୍ରମାଣ ସ୍ୱରୂପ ଏହି ଦୁଇଟି ଅଞ୍ଚଳକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ନିଜ ଆଡୁ ଦେଇଛି । କେବଳ ସେତିକି ନୁହେଁ ସେଠାରେ ପୁତ୍ତଳିକା ସରକାର ଘୋଷଣା କରାଯାଇ ବନ୍ଧୁତ୍ୱପୂର୍ଣ୍ଣ ରାଜିନାମାର ନାଟକ ମଧ୍ୟ ପୁତିନ ଲେଖିବାକୁ ଯାଉଛନ୍ତି । ୟୁକ୍ରେନ ଏକ ସ୍ୱାଧୀନ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହାକୁ ରୁଷ୍‌ ନିଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ମୂର୍ଖତା ଏବଂ ଅହଂକାର ଛଡା ଅନ୍ୟକିଛି ନୁହେଁ । ଅପରପକ୍ଷେ ନାଟୋ ବାହିନୀ ଦୀର୍ଘଦିନ ହେବ ବିବୃତ୍ତି ଦେଇ ଆସିଥିଲେ ମଧ୍ୟ ଏବେ ସମ୍ମୁଖ ଯୁଦ୍ଧରେ ପଛେଇବାକୁ ଆରମ୍ଭ କରିଛନ୍ତି । ଏଥିପାଇଁ ସେମାନେ କେବଳ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଯେମିତି ପୂର୍ବରୁ କହିଥିଲେ ତାହା କରିପାରନ୍ତି । କିନ୍ତୁ ରୁଷିଆର ଅସ୍ତ୍ରବଳ ଏବଂ ସେନାବଳ ନିକଟରେ ନାଟୋ ବାହିନୀର ମଡେଲ ପ୍ରାୟ ବାହିନୀ କିଛି ନୁହେଁ ବୋଲି କହିବାକୁ ହେବ । ଜୋ ବାଇଡେନ କ୍ଷମତାକୁ ଆସିବାର ଅଳ୍ପଦିନ ମଧ୍ୟରେ ଆଫଗାନିସ୍ଥାନ ଆଉ ଏବେ ୟୁକ୍ରେନ ମାମଲାରେ ମାଙ୍କଡଚିତ୍‌ ମାରିବାପରି ଦେଖାଯାଉଛନ୍ତି । ବିଶ୍ୱରେ ସଙ୍କଟଜନକ ପରିସ୍ଥିତିରେ ଶାନ୍ତିପୂ୍‌ର୍ଣ୍ଣ ସମାଧାନର ରାସ୍ତା ନଖୋଜି ବାଇଡେନ ଯେପରି ପାଉଁଶ ତଳେ ବାଣିଜ୍ୟର ସ୍ୱପ୍ନ ଦେଖିବାକୁ ଲାଗିଲେ ତାହା ତାଙ୍କ ପାଇଁ ଏବଂ ତାଙ୍କ ପ୍ରଶାସନ ପାଇଁ ଆତ୍ମଘାତୀ ହେବାକୁ ଯାଉଛି । ନିଜ ଦେଶ ଭିତରେ ବାଇଡେନଙ୍କ ଜନସମର୍ଥନ ଦିନକୁଦିନ ହ୍ରାସ ପାଇ ଏବେ ୩୬ ପ୍ରତିଶତକୁ ଆସି ପହଞ୍ôଚଲାଣି । ଗତ ବର୍ଷକ ଭିତରେ (ଜାନୁଆରୀ ୨୦କୁ ଧରିଲେ) ଶାସନକୁ ଆସି ବାଇଡେନ ନିଜ ଦେଶର ସମସ୍ୟା ତୁଟାଇବା ବଦଳରେ ବେଇଜ୍ଜତିକୁ ଡାକି ଆଣିଛନ୍ତି । ୟୁକ୍ରେନ ମାମଲାରେ ପୁତିନଙ୍କ ଗୋଟି ଚାଳନାକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପ୍ରଶଂସାକରି ବାଇଡେନଙ୍କ ଲାଞ୍ଜରେ ନିଆଁ ଲଗାଇ ଦେଇଛନ୍ତି । ବର୍ତ୍ତମାନର ସରକାର ଯେ ଅତି ଦୁର୍ବଳ, ଦୂରଦୃଷ୍ଟି ବିହୀନ ତାହା ଆମେରିକାବାସୀ ଜାଣିସାରିଲେଣି । ତେଣୁ ଆମେରିକାରେ ଥିବା ଆଫଗାନ ସରକାରଙ୍କ ଜମା ଅର୍ଥରୁ ଅର୍ଦ୍ଧେକକୁ ୯/୧୧ ବିସ୍ପୋରଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଦିଆଯିବ ବୋଲି ଘୋଷଣା କରି ବାଇଡେନ ଦେଶବାସୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଏହାଦ୍ୱାରା ଯେପରି ଆଫଗାନବାସୀଙ୍କ ଭରସା ତୁଟିବ ସେମିତି ପୃଥିବୀର ଅନେକ ରାଷ୍ଟ୍ର ଆମେରିକାକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖିବେ । ଏପରିକି ନାଟୋ ମେଣ୍ଟରେ ଥିବା ଅନେକ ରାଷ୍ଟ୍ରର ନେତୃବୃନ୍ଦ ଏବେ ବାଇଡେନଙ୍କ କଥାକୁ କେତେ ଗ୍ରହଣ କରିବେ ତାହା ଆଗକୁ ଦେଖିବାର କଥା । ଶକ୍ତିଶାଳୀ ଦୁଇରାଷ୍ଟ୍ରଙ୍କ କ୍ଷମତାର ପଶାପାଲିରେ ୟୁକ୍ରେନ ଗୋଟି ହୋଇ ଯେମିତି କ୍ଷତି ସହୁଛି, ସେମିତି ଆଗାମୀ ଦିନରେ ରୁଷିଆର ସହଯୋଗୀ ଏବଂ ପଡୋଶୀ ରାଷ୍ଟ୍ରଗୁଡିକ ଯେ କୌଣସି ପରିସ୍ଥିତିରେ ସେମିତି ଅବସ୍ଥାକୁ ଚାଲି ନ ଯିବେ ତାହା କହିହେବ ନାହିଁ । ୟୁକ୍ରେନକୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ଆଣବିକ ଅସ୍ତ୍ର ନିର୍ମାଣରୁ ଦୂରେଇ ରଖି ଏବେ ୟୁକ୍ରେନ ୧୯୯୧ରେ ରୁଷିଆଠାରୁ ଅଲଗା ହେବା ପରେ ୧୯୦୦ ଆଣବିକ ଅସ୍ତ୍ର ନିଜ ପାଖରେ ରଖିଥିଲା ଯେଉଁଥିରେ ୪୦୦-୫୦୦ କିଲୋଟନ ପରମାଣୁ ବୋମାଥିଲା, ଯାହା ଚୀନଠାରୁ ୬ଗୁଣା ଅଧିକା ହେବ । ଆମେରିକା ଏସବୁକୁ ଭୟ କରୁଥିବା ହେତୁ ୧୯୯୪ରେ ବୁଦାପେଷ୍ଟ ବୁଝାମଣାରେ ୟୁକ୍ରେନକୁ ରାଜିକରାଇ ଅସ୍ତ୍ରଶସ୍ତ୍ର ଧ୍ୱଂସ କରାଇଥିଲା । ଏବେ ଆମେରିକା, ବ୍ରିଟନେ ଓ ରୁଷିଆ ଯେପରି ଧୋକା ଦେଲେ ସେଥିରୁ ଅନେକ କିଛି ଶିକ୍ଷା କରିବାର ରହିଛି । କଥାରେ କହନ୍ତି ମଦଘଡା, କାମ ସରିଲେ ଗଡଗଡା । ସେମିତି ବଡ ଦେଶଗୁଡିକ କିପରି ନିଜର ସ୍ୱାର୍ଥପାଇଁ ଗୋଟିଏ ଗୋଟିଏ ଦେଶକୁ ନଷ୍ଟ କରିଦିଅନ୍ତି । ତାହା ୟୁକ୍ରେନ ଘଟଣାରୁ ବେଶ ସ୍ପଷ୍ଟ ।

ଆମେରିକା, ବ୍ରିଟେନ ସମ୍ବିଧାନ ସଂଶୋଧନ କରି ଆଗାମୀ ୧୫ ବର୍ଷ ପାଇଁ କ୍ଷମତାରେ ରହିବାକୁ ବ୍ୟବସ୍ଥା କରିସାରିଲା ପରେ ରୁଷିଆର ରାଷ୍ଟ୍ରପତି ପୁତିନ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ବାହାରିଛନ୍ତି । ଗୋଟିଏ ପଟେ ୟୁରୋପକୁ ଗ୍ୟାସ ଯୋଗାଣର ଅନିଶ୍ଚିତତା ଆଗାମୀ ଦିନରେ ରୁଷିଆର ଅର୍ଥନୀତିକୁ ଆହୁରି ଅଧିକ ସଂକୁଚିତ କରିବ । ସେ ପରିସ୍ଥିତିରେ ଚୀନଠାରୁ ଆବଶ୍ୟକ ଅର୍ଥ ନେଇ ନିଜ ଦେଶର ସ୍ଥିତିକୁ ସଜାଡିବା ପାଇଁ ପୁତିନ ପ୍ରୟାସ କରିପାରନ୍ତି । କାରଣ ତାଙ୍କପରି ଜିନ୍‌ପିଙ୍ଗ୍‌ ମଧ୍ୟ ଚୀନର ସମ୍ବିଧାନରେ ସଂଶୋଧନ ଆଣି ଆଗକୁ ଦୀର୍ଘ ବର୍ଷଯାଏ କ୍ଷମତାରେ ରହିପାରିଲା ଭଳି ବ୍ୟବସ୍ଥା କରିସାରିଛନ୍ତି । ଯେହେତୁ ଆଗାମୀ ଦିନରେ ଉଭୟ ଚୀନ ଓ ରୁଷିଆରେ କୌଣସି ପ୍ରକାର କ୍ଷମତା ପରିବର୍ତ୍ତନର ସମ୍ଭାବନା ନାହିଁ ତେଣୁ ଦୁଇରାଷ୍ଟ୍ର ମଧ୍ୟରେ ସଂପର୍କ ବୃଦ୍ଧି ପାଇବ ନିଶ୍ଚୟ । ସେହି ପରିବର୍ତ୍ତିତ ସ୍ଥିତିରେ ପାକିସ୍ଥାନ ଓ ଇରାନ ରୁଷିଆର ନିକଟବର୍ତ୍ତୀ ହୋଇ ଆଫଗାନିସ୍ଥାନକୁ କେନ୍ଦ୍ରକରି ନିଜର କାର୍ଡ ଖେଳିପାରନ୍ତି । ନିୟନ୍ତ୍ରଣକୁ ନ ଆସିଲେ ପାକ୍‌-ଚୀନ, ରୁଷିଆ-ଇରାନ ତାଲିବାନ ସରକାରକୁ କ୍ଷମତାରୁ ହଟାଇ ସେଠାରେ ନିଜ ସମର୍ଥକ ସରକାର ଆଣିପାରନ୍ତି । ଭାରତ ପାଇଁ ଅସୁବିଧା ହେଉଛି ଏହି ମେଣ୍ଟ ଉଭୟ କାଶ୍ମିର ଏବଂ ଅରୁଣାଚଳକୁ ସ୍ୱାଧୀନ ବୋଲି ଘୋଷଣା କରି ନିଜ ଦେଶରେ ମିଶାଇବାକୁ ଚେଷ୍ଟା କରିବାର ସମ୍ଭାବନା । କାରଣ ଇମରାନଙ୍କ ଠିକ୍‌ ଗସ୍ତ ପୂର୍ବରୁ ରୁଷିଆର ଗଣମାଧ୍ୟମଗୁଡିକରେ କାଶ୍ମୀରକୁ ବିବାଦୀୟ ଏବଂ ଭାରତର କବ୍‌ଜାରେ ରହିଥିବା ନେଇ ପାକ୍‌ର ନୀତିକୁ ସମର୍ଥନ କଲାପରି ଲେଖା ପ୍ରକାଶ ପାଇଥିଲା । ଅଳ୍ପ କେଇଦିନ ପୂର୍ବରୁ ଭାରତର ସବ୍‌ମେରିନ୍‌ ପ୍ରକଳ୍ପ ନିର୍ମାଣରୁ ରୁଷିଆ ନିଜକୁ ବାହାର କରିନେବା ବିଷୟ ଘୋଷଣା କରିଥିôଲା । ଏବେ ମହାକାଶରେ ଥିବା ୫୦୦ଟନ୍‌ ବିଶିଷ୍ଟ ସ୍ପେସ୍‌ ଷ୍ଟେସନକୁ ଚୀନ କିମ୍ବା ଭାରତ ଉପରେ ପକାଇ ଦେଇ କ୍ଷୟକ୍ଷତି କରିବା ଧମକ ଦେଇଛନ୍ତି ରୁଷିଆର ଅଧିକାରୀ । କାଳରେ ପାକ୍‌ ପ୍ରଧାନମନ୍ତ୍ରୀ ଇମରାନଙ୍କୁ ମସ୍କୋରେ ସାକ୍ଷାତ କରିବା ପୁତିନଙ୍କ ଆକସ୍ମିକ ଯୋଜନା ନୁହେଁ ବୋଲି ଭାରତକୁ ମାନିବାକୁ ପଡିବ । କାରଣ ରୁଷିଆଠାରୁ ପାକିସ୍ଥାନ ଗ୍ୟାସ କିଣିବାକୁ ପ୍ରସ୍ତାବ ଦେଉଥିବା ବେଳେ ଇଉରୋପ ସହ ସଂପର୍କ ଖରାପ ହେବା ସ୍ଥିତିରେ ପାକିସ୍ଥାନକୁ ପୁତିନ ଗ୍ୟାସ ଯୋଗାଣ ପାଇଁ ସୁବିଧା ଦେଇପାରନ୍ତି । ଆରବ୍‌ରୁ ପେଟ୍ରୋଲ ଆମଦାନୀ କରିପାରୁନଥିବା ହେତୁ ଦେଶରେ ଥିବା ଗ୍ୟାସକୁ ବିଦ୍ୟୁତ ଉତ୍ପାଦନରେ ପାକିସ୍ଥାନ ବିନିଯୋଗ କରୁଛି । ରୁଷିଆ ଭାରତ ମହାସାଗରକୁ ଯୋଗାଯୋଗ ସଡକ ଦରକାର କରୁଥିଲା ବେଳେ କରାଚୀ ବନ୍ଦରକୁ ବ୍ୟବହାର କରିବାଲାଗି ପାକ୍‌ ସରକାର ରୁଷିଆ ନିକଟରେ ପ୍ରସ୍ତାବ ରଖିପାରନ୍ତି । କାରଣ କରାଚୀ ବନ୍ଦରରୁ ପଞ୍ଜାବ ପ୍ରଦେଶ ଯାଏଁ ଗ୍ୟାସ ପାଇପ ଲାଇନ ବିଛାଇବାରେ ରୁଷିଆ ସାହାଯ୍ୟ କରୁ ବୋଲି ପାକିସ୍ଥାନ ଚାହେଁ । ଗ୍ୱାଦରକୁ ଚୀନକୁ ଦେବା ପରେ ଯଦି ରୁଷିଆ କୌଣସି ମତେ ସିପେକ୍‌ ପରି ଲମ୍ବା ସଡକ ଦ୍ୱାରା କରାଚୀ ବନ୍ଦର ସହ ଯୋଡି ହୋଇପାରେ ତାହା ଭାରତ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିବ ଏବଂ ଭାରତ ପାକ୍‌ର ନିୟନ୍ତ୍ରଣକୁ ଆସିଯିିବ ବୋଲି ଇସଲାମାବାଦ ନେତୃବୃନ୍ଦ ମନେ ମନେ ଭାବୁଛନ୍ତି । ଏହି ଭାବନା ପଛରେ ବେଜିଂ ଲୋକଙ୍କ ପରାମର୍ଶ ନଥିବ ବୋଲି କୁହାଯାଇ ନପାରେ । କାରଣ ବିଆର୍‌ଆଇ ଯୋଜନା ଏବଂ ସମୁଦ୍ରପଥ ଯୋଜନା ଦ୍ୱାରା ଭାରତକୁ ଚୀନ ଘେରିବାକୁ ଦ୍ରୁତ ପ୍ରୟାସ କରୁଛି । ଶ୍ରୀଲଙ୍କା, ମ୍ୟାନମାର, ବଙ୍ଗଳାଦେଶ, ନେପାଳ, ମାଳଦ୍ୱୀପ ପରି ଭାରତର ସବୁ ସହଯୋଗୀ ରାଷ୍ଟ୍ରରେ ପ୍ରବଳ ଭାରତ ବିରୋଧୀ ପ୍ରଚାର ଚଳାଇବାଲାଗି ପୁଞ୍ଜି ଖଟାଉଛି । ଗଣମାଧ୍ୟମଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏବଂ ରାଜନେତାମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ ଅହରହ ଉଦ୍ୟମ କରୁଛିି ।
ଭାରତ କ୍ୱାଡରେ ଯୋଗଦାନ ନକରିବା ପାଇଁ ଉଭୟ ଚୀନ ଓ ରୁଷିଆ ପକ୍ଷରୁ ଭାରତ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ୟୁକ୍ରେନରେ ନାଟୋ ବାହିନୀର ରାଷ୍ଟ୍ରଗୁଡିକ ମଧ୍ୟରେ ସହଯୋଗର ଦୁର୍ବଳତା ଲକ୍ଷ୍ୟ କଲାପରେ ଚୀନ ଏବେ ରୁଷିଆ ମାର୍ଗରେ ଯାଇ ତାଇୱାନକୁ ନିଜ ଦେଶରେ ଜୋର କରି ମିଶାଇବାକୁ ଚେଷ୍ଟା କରିବ । ପୂର୍ବରୁ ରୁଷିଆର ରାଷ୍ଟ୍ରପତି ବେଜିଂ ଅଲିମ୍ପିକ ବେଳେ ତାଇୱାନକୁ ଚୀନର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଘୋଷଣା କରିଥିଲେ । ସେମିତି ଭାରତକୁ ଧମକ ଦେବା ପାଇଁ ରୁଷିଆ କାଶ୍ମୀର ପାକ୍‌ର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଆଗାମୀ ଦିନରେ ଯଦି ଘୋଷଣା କରେ ସେଥିରେ ଅଧିକ ବିସ୍ମିତ ହେବାର କିଛି ନାହିଁ । ଚୀନ ଓ ରୁଷିଆରେ ଏକ ଦଳର ସରକାର, ଏକ ରାଷ୍ଟ୍ରପତିଙ୍କ ସରକାର ଚାଲୁଥିଲା ବେଳେ ପାକ୍‌ରେ ଆଇଏସ୍‌ଆଇ ଅନୁମୋଦିତ ସରକାର ଆଜିଯାଏ ଚାଲିଆସିଛି । ଗଣତନ୍ତ୍ର ବିରୋଧୀ ଏ ପ୍ରକାର ଶକ୍ତିସବୁ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରିବେ । ୟୁକ୍ରେନ-ରୁଷିଆ ସଂଘର୍ଷ ଭାରତ ପାଇଁ ତଣ୍ଟିରେ କଣ୍ଟା ଅଟକିଲା ପରି କଥା । କାରଣ ଦୁଇ ଦେଶଙ୍କ ସହ ସଂପର୍କ ଭଲ ଥିଲା ବେଳେ ଭାରତ ଖୋଲାଖୋଲି କୌଣସି ଗୋଟିଏ ପକ୍ଷରେ ରହିପାରିବ ନାହିଁ । ଅନ୍ୟପଟେ ଦୀର୍ଘଦିନ ଧରି ପ୍ରତିରକ୍ଷା ସାମଗ୍ରୀର ନିର୍ଭରଶୀଳତା ରୁଷିଆ ଉପରେ ରହିଥିବାରୁ ରୁଷିଆର କାର୍ଯ୍ୟ ବିରୋଧରେ ମଧ୍ୟ ଭାରତ ଯାଇପାରିବ ନାହିଁ । ୟୁକ୍ରେନ ଯୁଦ୍ଧ କାଳରେ ଯେମିତି ଆଫଗାନିସ୍ଥାନର ଆମେରିକା ଅସ୍ତ୍ରଶସ୍ତ୍ର କାଶ୍ମୀରରେ ଧରାପଡୁଛି, ସେମିତି ଆଗାମୀ ଦିନରେ ରୁଷିଆର ଅସ୍ତ୍ର ଦେଖିଲେ କେହି ବିସ୍ମିତ ହେବା ଅନୁଚିତ । ପୃଥିବୀର ସବୁଦେଶ ନିଜନିଜର ଭୂ-ରାଜନୈତିକ ସ୍ୱାର୍ଥପାଇଁ ବନ୍ଧୁତାର ପରିଭାଷା ଆନ୍ତର୍ଜାତିକ ସ୍ତରରେ ବଦଳାଇବାରେ ଲାଗିଛନ୍ତି । ସେପରି ଜଟିଳତା ଆସିଲେ ସମ୍ମୁଖୀନ ହେବା ପାଇଁ ଭାରତକୁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡିବ । କାରଣ ୧୯୬୨ ଯୁଦ୍ଧରେ ରୁଷିଆ ଭାରତକୁ ଧୋକାଦେବା କଥା କେହି ଭୁଲିନାହାନ୍ତି । ସେମିତି ରୁଷିଆ ଏବେ ୟୁକ୍ରେନକୁ ଧୋକା ଦେଲେ କିଛି ବିସ୍ମିତ ହେବା ପରି କାର୍ଯ୍ୟ କଲା ନାହିଁ ବୋଲି ଧରିବାକୁ ହେବ । ଏହା ରୁଷିଆର ଇତିହାସର ପୁନରାବୃତ୍ତି । କିନ୍ତୁ ୟୁକ୍ରେନ ନିଜର ସବୁକିଛି ଥାଇ ମିଛରେ ଆମେରିକା ଏବଂ ରୁଷିଆକୁ ଆଜିଯାଏ ଭରସା କରି ଠକି ହେଲା । ଏହି ଲଢେଇ ପଛରେ ରୁଷିଆ-ଜର୍ମାନୀ ଗ୍ୟାସ ଯୋଗାଣ ମୁଖ୍ୟବୋଲି କେତେକ କହନ୍ତି, ଯାହା ଜର୍ମାନୀକୁ ଜଣାଥିବା ହେତୁ ମୂଳରୁ ଅସ୍ତ୍ରଶସ୍ତ୍ର ନପଠାଇବା ପାଇଁ କହିଛି । ଚଳିତମାସ ପରିସ୍ଥିତି ସଂପର୍କରେ ଆଲୋଚନା ପାଇଁ ଜର୍ମାନୀ ଚାନସେଲର ଉଭୟ ବାଇଡେନ ଓ ପୁତିନଙ୍କୁ ସାକ୍ଷାତ କରିଥିଲେ । ଇଉରୋପର ଆବଶ୍ୟକ ୩୦ ପ୍ରତିଶତ ତୈଳ ଏବଂ ୩୫ ପ୍ରତିଶତ ଗ୍ୟାସ୍‌ ରୁଷିଆରୁ ଯାଇଥାଏ । ଇଉରୋପ -ରୁଷିଆ ଦୂରତା ବଢିଲେ ସେମାନେ ଆମେରିକା ଉପରେ ନିର୍ଭରଶୀଳ ହୋଇ ଅଧିକ ତୈଳ ଏବଂ ଗ୍ୟାସ କିଣିବେ । ଏହାଦ୍ୱାରା ଆମେରିକାର ଲାଭ ହେବ । କଟକଣା ଲଗାଇବା ବାହାନାରେ ଆମେରିକା ଇଉରୋପର ସ୍ୱାଭାବିକ ସଂପର୍କକୁ ନଷ୍ଟକରିବ । ଅତୀତରେ ୟୁକ୍ରେନକୁ ଏହି ଲକ୍ଷ୍ୟରେ ଢେର ପ୍ରତିରକ୍ଷା ସାମଗ୍ରୀ ବିକ୍ରି କରି ଆମେରିକା ଲାଭବାନ ହୋଇଛି । ଯଦି ଅସ୍ଥିରତାକୁ ଅର୍ଥ ରୋଜଗାର ପାଇଁ ଆମେରିକା ଲକ୍ଷ୍ୟ ରଖିଥାଏ ତେବେ ଆଗାମୀ ଦିନରେ ତାକୁ ପରିଣାମ ଭୋଗିବାକୁ ହେବ । ଏପରିକି ନାଟୋ ମେଣ୍ଟରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ, ଯାହାର ସୂଚନା ପୂର୍ବରୁ ମିଳିଛି । ୟୁକ୍ରେନ ପରେ ଫିନ୍‌ଲାଣ୍ଡ ଏବଂ ସ୍ୱିଡେନ ରୁଷିଆର ଟାର୍ଗେଟରେ ରହିବେ ବୋଲି ପୁତିନ ଘୋଷଣା କରିସାରିଲେଣି । ସେ ଦୁଇ ଦେଶକୁ ନାଟୋ ମେଣ୍ଟରେ ସାମିଲ ନହେବାକୁ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ କ୍ୱାଡଗୋଷ୍ଠୀକୁ ଦୁର୍ବଳ କରିବାକୁ ଭାରତକୁ ମଧ୍ୟ ରୁଷିଆ ଧମକ ଦେବାର ସମ୍ଭାବନା ରହିିଛି । ଏପରିକି ଆମେରିକାଠାରୁ ଦୂରେଇ ରହିବାକୁ କହି ପ୍ରତିରକ୍ଷା ସାମଗ୍ରୀ ଯୋଗାଣରେ ସମସ୍ୟା ସୃଷ୍ଟି କରିପାରେ ଯେମିତି ଏସ୍‌ -୪୦୦ ଯୋଗାଣରେ ଅଯଥା ବିଳମ୍ବ କରିଆସୁଛି । ସେସବୁ ଦୃଷ୍ଟିରୁ ଏହି ଯୁଦ୍ଧରୁ ଭାରତକୁ ଅନେକ କିଛି ଶିକ୍ଷା କରିବାକୁ ହେବ ।

Leave A Reply

Your email address will not be published.