jayashree

ବ୍ରହ୍ମବାଦୀ ଭୀମ ଭୋଇ

ପୃଥିବୀ ପୃଷ୍ଠରେ ପଙ୍କରୁ ପଦ୍ମ ଆବିର୍ଭାବ ବିଷୟର ବହୁଳ ଉଦାହରଣ ରହିଛି । ଏପରି ଏକ ଦରିଦ୍ର କନ୍ଧ ପରିବାରରେ ଭୀମ ଭୋଇଙ୍କ ବାଲ୍ୟ କାଳ ଅତିବାହିତ ହୋଇଥିଲା । ଉକ୍ରଳର ଧର୍ମୀୟ ପରଂପରା ଅତ୍ୟନ୍ତ ପ୍ରାଚୀନ । ପ୍ରତ୍ୟେକ ଧର୍ମରେ ଜଣେ ଜଣେ ମହାନ ସାରଥୀଙ୍କ ଭୂମିକା ରହିଛି । ସନ୍ଥ ଭୀମ ଭୋଇ ବ୍ରହ୍ମବାଦର ପ୍ରବକ୍ତା । ଶୂନ୍ୟ ବାଦୀମାନେ ବ୍ରହ୍ମ ସତ୍ତା ଉପରେ ବିଶ୍ୱାସ କରନ୍ତି । କବି ଥିଲେ ନିରାଡମ୍ବର ମହିମା ଧର୍ମର ଉପାସକ ଏବଂ ପ୍ରଚାରକ । ମୂର୍ତ୍ତିପୂଜା ଏବଂ ଜାତିପ୍ରଥାକୁ ଘୋର ବିରୋଧ କରୁଥିବା ମହିମା ଧର୍ମ ପ୍ରତି ଆସକ୍ତ ହୋଇ ଏହାର ବାଣୀ ପ୍ର·ରରେ ସାରାଜୀବନ ଉସର୍ଗ କରି ଦେଇଥିଲେ । ବୌଦ୍ଧ ଧର୍ମକୁ ଐତିହାସିକ ସମ୍ରାଟ ଅଶୋକ ଯେମିତି ଗ୍ରହଣ କରି ନିଜର ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରାଙ୍କ ମାଧ୍ୟମରେ ସିଙ୍ଘଳ ଦ୍ୱିପରେ ପ୍ରଚାର କଲେ ଠିକ୍ ସେହିପରି ଭୀମ ଭୋଇ ମଧ୍ୟ ପୁଅ କପିଳେଶ୍ୱର ଏବଂ ଝିଅ ଲାବଣ୍ୟବତୀଙ୍କୁ ଆସ୍ଥା ପ୍ରକଟ କରି ଓଡ଼ିଶାରେ ମହିମା ଧର୍ମର ପ୍ରସାର ପାଇଁ ଇଚ୍ଛା ପ୍ରକଟ କରିଥିଲେ । କିନ୍ତୁ ଭୀମ ଭୋଇଙ୍କ ସେହି ଇଚ୍ଛା ପୂର୍ଣ୍ଣ ହୋଇ ନଥିଲା । କାରଣ ପୁତ୍ର କପିଳେଶ୍ୱର ଭିନ୍ନକ୍ଷମ ଥିଲେ ।
ଭୀମ ଭୋଇ କେବଳ ବାକ୍ୟ ବୀର ନଥିଲେ, ସେଥିଲେ କର୍ମବୀର । ବିଭିନ୍ନ ସ୍ଥାନରେ ରାଜାମାନଙ୍କର ପ୍ରତିରୋଧ ସତ୍ତେ୍ୱ ଜନ ସାଧାରଣଙ୍କୁ ସବୁବେଳେ ଉଦ୍ବୋଧନ ଦେଉଥିଲେ । ତାଙ୍କ ଭିତରେ ଏକ ବଡ଼ ଶକ୍ତି ଥିଲା, ତାହା ହେଉଛି ନିର୍ଭୀକତା । ଯେଉଁ ବ୍ୟକ୍ତି ଯେତିକି ନିଷ୍କପଟ ସେହି ପରିମାଣରେ ନିଃସ୍ୱାର୍ଥପର । ତା’ ଭିତରେ ସାମାଜିକ ଆହ୍ୱାନ ପାଇଁ ସତ୍ ସାହସ ଥାଏ । ତା’ର କର୍ତ୍ତବ୍ୟର ଦ୍ୱାହିରେ ଏକ ସଂକଳ୍ପ ଥାଏ । ସେହି ମାର୍ମିକତାର ଦୃଢ଼ ବାଣୀ ଭୀମ ଭୋଇଙ୍କ ବିପ୍ଳବୀ ଜୀବନରେ ସର୍ବଦା ସଚେତନ ପଦାତିକ ପାଲଟିଛି ।
   କବି ଜାତିପ୍ରଥାର ଘୋର ବିରୋଧୀ ଥିଲେ । ତାଙ୍କ ମତରେ ଏହି ପ୍ରଥାର ସୃଷ୍ଟି କେତେକ ସ୍ୱାର୍ଥ ସାଧନରେ ନ୍ୟସ୍ତଥିବା ମଣିଷମାନଙ୍କର ଷଡ଼ଯନ୍ତ୍ର । ଏହା ମଣିଷ ଭିତରେ ଭ୍ରାତୃ ପ୍ରେମକୁ  ତୁଟେଇ ଦେଇ ଏକ ବିଭେଦ ସୃଷ୍ଟି କରୁଛି । ସଂସାର ଭିତରେ ମାନବ ଜାତିର ସଂଘତି ବ୍ୟବସ୍ଥାକୁ ସଂକୁଚିତ କରିବାର ମୂଳ କାରଣ ଭାବେ ଏହି ସାଂପ୍ରଦାୟିକତାର ସୃଷ୍ଟି । ଏହାର ଉଚ୍ଛେଦ ପାଇଁ ଲୋକଙ୍କୁ ମହିମା ଧର୍ମରେ ଦୀକ୍ଷିତ ହେବା ସକାଶେ ବୁଝାଉଥିଲେ । କାରଣ ଏଥିରେ ଜାତି ନାହିଁ, ପୂଜା ପାଠ, ଯାଗ, ଯଜ୍ଞ, ବଳିପ୍ରଥାର ଏହା ବହୁ ଊଦ୍ଧ୍ୱର୍ରେ । ଭଗବାନ ଶୂନ୍ୟ ଏବଂ ନିରାକାର । ସମସ୍ତ ମଣିଷ ବ୍ରହ୍ମ ଭିତରେ ଆବଦ୍ଧ । ଆମେ ଯାବତୀୟ ମାୟାକୁ ପରିହାର କରି ହୃଦୟ ଭିତରେ ଅହଂ ଶୂନ୍ୟ ତଥା ନିର୍ମଳ ଭାବକୁ ଅନୁଭବ କରିପାରିଲେ ବ୍ରହ୍ମର ନିକଟବର୍ତ୍ତୀ ହେବା । ସେହି ବ୍ରହ୍ମ ହିଁ ବିଶ୍ୱନିୟନ୍ତା । ସେ ଅଲେଖ, ନିରଞ୍ଜନ, ଅରୂପ ଭାବେ ବିଦ୍ୟମାନ । ତା’ରି ଚିନ୍ତାରେ ମତି ଲଗାଇଲେ ମଣିଷ ଜୀବନର ସାର୍ଥକତା ଅବଶ୍ୟ ମିଳିବ । ଜାତି, ବର୍ଣ୍ଣର ଊଦ୍ଧ୍ୱର୍ରେ ଆମେ ସମସ୍ତେ ମଣିଷ । ଆମର ଅସଲ ପରିଚୟ ହେଉଛି ଆମେ ମଣିଷ । 
   ଭୀମ ଭୋଇ ଉପେନ୍ଦ୍ର, ରାଧାନାଥ, ଅଭିମନ୍ୟୁଙ୍କ ଭଳି ଶୃଙ୍ଗାର ଚର୍ଚ୍ଚା କରିନାହାନ୍ତି । ସ୍ୱପ୍ନର ସେତୁ ଗଠନ କରିବା ଭୀମ ଭୋଇଙ୍କ କବିିତାର ଉଦେ୍ଧଶ୍ୟ ନୁହେଁ । କାରଣ ସେ ଜଣେ ସନ୍ଥ ସାଧକ । ମହିମା ଧର୍ମର ଶୂନ୍ୟବାଦ ହିଁ ତାଙ୍କ କବିତାର ମୁଖ୍ୟ ସ୍ୱର । ତାଙ୍କ ରଚନାଗୁଡ଼ିକ ବ୍ରହ୍ମତତ୍ତ୍ୱର କଥା ହିଁ କହିଛି । ମହିମା ହେଉଛନ୍ତି ସେଇ ବ୍ରହ୍ମ । ତାହା ଅଲେଖ ଭାବେ ପରିଚିତ । ଯାହାର ଲେଖା ବା ବର୍ଣ୍ଣନା ନାହିଁ । ଏହା ସର୍ବପିଣ୍ଡରେ ଅବସ୍ଥିତ । ଏହାର ଉପଲବ୍ଧି ହିଁ ମଣିଷକୁ ଅସହାୟତାରୁ ରକ୍ଷା କରେ । ବ୍ରହ୍ମକୁ ଉପଲବ୍ଧି କରିବା ପାଇଁ ଚିତ୍ତକୁ ଶୁଦ୍ଧ କରିବା ସକାଶେ ଭୀମ ଭୋଇ ଆହ୍ୱାନ ଦେଇଛନ୍ତି । ବ୍ରହ୍ମ ଅଦ୍ୱିତୀୟ । ଏହା ସର୍ବ ଘଟରେ ଚଳମାନ । ସମଗ୍ର ମାନବ ଭିତରେ ବ୍ରହ୍ମର ସତ୍ତାକୁ କବି ଅନୁଭବ କରିଥିଲେ । ଏହାକୁ ଜାଣିବା ପାଇଁ ଗଭୀର ଉପଲବ୍ଧିଟିଏ କେବଳ ଆବଶ୍ୟକ । ପଞ୍ଚସଖା ଯୁଗର ବଳରାମ, ଜଗନ୍ନାଥଙ୍କ ରଚନାରେ ଯେମିତି ଜଗନ୍ନାଥ ତତ୍ତ୍ୱ, ଶୂନ୍ୟ ଓ ନିରାକାର ସତ୍ୟକୁ ସ୍ୱୀକାର କରାଯାଇଛି, କବିଙ୍କ ମତରେ ବ୍ରହ୍ମ ସେମିତି ସର୍ବତ୍ର ବିଦ୍ୟମାନ । ସେ ଅଣାକାର, ତାଙ୍କର ରୂପ ନାହିଁ । ସେହି ଅରୂପଙ୍କ ଠାରେହିଁ ଲୟ ରଖିବାକୁ ଆହ୍ୱାନ କରିଛନ୍ତି ।
        ସନ୍ଥ କବି ସ୍ରଷ୍ଟାଙ୍କ ସୃଷ୍ଟିକୁ ସୁନ୍ଦର ବୋଲି କହିଛନ୍ତି । ଏହା ସମସ୍ତେ ଦେଖିପାରିବେ । ସେଥିପାଇଁ ଏକ ଅନାସକ୍ତ ଅନ୍ତଃଭାବନାର ଆବଶ୍ୟକତା ରହିଛି । ସେହି ସୃଷ୍ଟି କର୍ତ୍ତାଙ୍କର  କୌଣସି ସ୍ୱରୂପ ନାହିଁ, ମୂର୍ତ୍ତି ନାହିଁ । ସେ ଅନନ୍ତ ଏବଂ ଅମୃତ । ଏହା ମହିମା ଧର୍ମର ଅଭ୍ୟନ୍ତରିଣ ବାଣୀ । ଏହି ଭାବନାକୁ ଭିତ୍ତି କରି କବିଙ୍କ ସାହିତ୍ୟ ୠଦ୍ଧିମନ୍ତ ଏବଂ ଆଦୃତ । ଏହି ଚିନ୍ତନ ହେତୁ ଭୀମଭୋଇଙ୍କୁ କବିର, ନାନକ, ତୁଳସୀ ଦାସ, ଜ୍ଞାନାନନ୍ଦ ଇତ୍ୟାଦି ସାଧକଙ୍କ ସହିତ ତୁଳନା କରାଯାଇଛି । ଏମାନେ ଜଣେ ଜଣେ ଏପରି ସାଧକଶିଳ୍ପୀ ଯେଉଁମାନେ କି ନିଜ ସାଧନାର ଚମକ୍ରାରିତା ବଳରେ ଜନପ୍ରାଣକୁ ଜିଣି ପାରିଛନ୍ତି ।  କବି ଜନ୍ମରୁ ଦାରିଦ୍ର୍ର୍ୟର କଷାଘାତ ଭିତରେ ଜୀବନ ଅତିବାହିତ କରିଥିଲେ ମଧ୍ୟ ତାଙ୍କ ସାହିତ୍ୟ ଧାରାରେ ମଧୁ ଅଛି, ଯେଉଁ ମଧୁର ଧାରା ପ୍ରତ୍ୟେକ ଶ୍ରେଣୀ ଜନତାର ହୃଦ କନ୍ଦରକୁ ଛୁଇଁଯିବା ପାଇଁ ସମର୍ଥ । ସେହି ସେବା ମନୋବୃତ୍ତି ଥିବା ହସ୍ତ ଲେଖନୀରୁ ଛୁଟି ଆସିଛି ନିରୀହ ମଣିଷ ପ୍ରତି ସମବେଦନାର ଧାରା । ଯେଉଁ ଧାରା ବ୍ୟକ୍ତିକୁ ଶ୍ରଦ୍ଧା କରିବା ପାଇଁ ଉଦ୍ଧିଷ୍ଟ । ଭକ୍ତିଭାବର ନୈବେଦ୍ୟ ଭରି ଦେବା ପାଇଁ ସମର୍ଥ । ବୋଧହୁଏ ଏହି ମହାଭାବକୁ ଜନତା ନିକଟରେ ପହଞ୍ଚାଇ ତାଙ୍କର ଦୁଃଖ ଉନ୍ମୋଚନ ପାଇଁ ପ୍ରୟାସ ସକାଶେ ଭଗବାନ ତାଙ୍କୁ ସୃଷ୍ଟି କରିଥିଲା । ପୁଣି ବିଧାତା ତାଙ୍କୁ ଦରିଦ୍ର ପରିବେଶରେ ଗଢ଼ିଥିଲା । 
     ଭୀମ ଭୋଇ ଉଦାର ଧର୍ମନୀତିଜ୍ଞ । ସେ ଯଥାର୍ଥରେ ଜଣେ ଭକ୍ତ । ଭକ୍ତି ଭାବରେ ସେ କାନ୍ଦିଛନ୍ତି । ଅଶ୍ରୁ ବିସର୍ଜନ କରିଛନ୍ତି । ନିର୍ଗୁଣ ବ୍ରହ୍ମଙ୍କର ଉପାସନା କରିଛନ୍ତି । ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି ।  ଭୀମ ଭୋଇ ଦୁଃଖୀ ଜନତାର ଦୁଃଖଭରା ବ୍ୟଥା ସବୁକୁ ଭଜନ ମାଳା ଭିତରେ ବିଶ୍ୱ ନିୟନ୍ତାଙ୍କ ନିକଟରେ ଜଣାଇବାରେ ଥିଲେ ସିଦ୍ଧହସ୍ତ । 
ନିଜେ ଜଣେ ମାନବବାଦୀ କବି ହୋଇଥିବା ହେତୁ ତାଙ୍କ ରଚନା ଭିତରେ ରହିଥିଲା ଦଳିତ ଜନତାର ଦାରୁଣ କାହାଣୀ । କବି ଉଚ୍ଚ ଶିକ୍ଷା ଗ୍ରହଣ କରିନଥିଲେ । ତଥାପି ତାଙ୍କ ଲେଖାର ମାନ କୌଣସି ସାହିତ୍ୟ ସ୍ରଷ୍ଟାଙ୍କ କଳାତ୍ମକ ପ୍ରକାଶରୁ କମ୍ ନଥିଲା । ତାଙ୍କ କଥା, ବ୍ୟବହାର, ଜଳଣି ଯେପରି ସାହିତ୍ୟ ସୃଷ୍ଟି ମଧ୍ୟ ସେହିପରି । କୌଣସି ଯଶ କିମ୍ବା ପଦ ପଦବୀର ପ୍ରଲୋଭନ ତାଙ୍କ ଭିତରେ ନଥିଲା । ଭୀମ ଭୋଇ ନିର୍ଦ୍ଧନ ହୋଇ ପାରନ୍ତି, କିନ୍ତୁ ତାଙ୍କ ସାହିତି୍ୟକ ମର୍ଯ୍ୟାଦା ଧନାଢ୍ୟ । ତାଙ୍କ ଶୂନ୍ୟବାଦୀ ବ୍ୟାଖ୍ୟା ହିଁ ପାଠକ ଚିତ୍ତକୁ ଶୁଦ୍ଧ କରିଦେଇଛି ।

ଡକ୍ଟର ଲକ୍ଷ୍ମଣ ମେହେର, ଡିଗ୍ରୀ କଲେଜ, କୁଶଙ୍ଗ, ବଲାଂଗିର
ମୋ-୯୮୫୩୪୯୩୭୯୫

Leave A Reply

Your email address will not be published.