ବିରହ

  • ବବିତା ମହାପାତ୍ର

କିଛି ସମୟର ଦୂରତା ଆଜିକାଲି ଖୁବ୍ କଷ୍ଟ ଦିଏ । ତୁମେ ବୁଝ କି ନା କେଜାଣି । କିନ୍ତୁ ଦେଖାହେଲେ ଦୋଷିଟିଏ ପରି ମୋ ଆଖିରେ ଆଖି ରଖି କ୍ଷମା ମାଗିନିଅ । ପ୍ରେମରେ ଦୋଷ ନମାନିବା ନିର୍ବୋଧତା । ତୁମେ କିନ୍ତୁ ଦୋଷ ନଥାଇ ବି ମୋ ଦେହରେ ଲତା ଟିଏ ଭଳି ଗୁଡେଇ ହେଇ ଗେହ୍ଲେଇ ହୁଅ ଏମିତି ଯେ ତୁମଛଡ଼ା ମତେ କିଛି ଦିଶେନି ।

ଜାଣିଶୁଣି ତୁମକୁ ମେସେଜ୍‌ ଦିଏନି କି ତୁମ ମେସେଜ୍‌ ପଢେନି । ଭାବେ ମୋ ଅଭିମାନ ଟିକକ ତୁମେ ବୁଝି ପାରନ୍ତ ଭଲା ! ତୁମେ କୁହ ସମସ୍ତଙ୍କୁ ଖୁସି ଦେବାକୁ ନିଜେ ବହୁଧା ବିଭକ୍ତ ହେଇ ଖୁସି ପାଅ । ମୁଁ ସେମିତି ଅବୁଝା ରହିଯାଏ । କୋଉ ଭାଗରେ ମୁଁ ଅଛି ଅନୁଭବି ପାରେନି । ମୋ ଅଭିମାନ ହଜିଯାଏ ତୁମ ଓଠର ଗାଢ଼ ଚୁମ୍ବନରେ । ତୁମ ଖୁସିରେ ମୁଁ ଢେର୍ ଖୁସିପାଏ ।

ରାତି ଅଚେତ୍ ହେଲେ ତୁମେ ଧସେଇ ପଶ ମୋ ଆଖିରେ । ମୁଁ ଖୋଜେ ଅନ୍ଧାରରେ । ତୁମେ ସେମିତି ଲତାଟିଏ ଭଳି ମୋତେ ଗୋଟାପଣେ ଆବୁରି ରହିଥାଅ । ସେତିକି ରେ ମୁଁ ଖୁସି । ବାକି ଯାହାତ ଅନ୍ୟ କାହାଠୁ ବିନା ଆଗ୍ରହରେ ବି ମିଳୁଥାଏ । ତୁମର ସୋହାଗ ମତେ ଖୁବ୍ ତୀବ୍ର ଲାଗେ ଲାଭେଣ୍ଡର୍‌ର ବାସ୍ନା ଭଳି । ଖୁସି ପ୍ରାରବ୍ଧ ବୋଲି ଧରିନିଏ ।

ସବୁ ପରେ ବି ମୁଁ କଷ୍ଟ ପାଏ । କାହିଁକି କେଜାଣି ତୁମ ଶୂନ୍ୟସ୍ଥାନ ଭଲ ଲାଗେନି । ଭଲ ଲାଗେନା ବି ବିରହ । ଧେତ୍ ତମେ ଏଇତକ ବୁଝି ପାରନି ଯାହା……

Leave A Reply

Your email address will not be published.

4 × 4 =

error: Content is protected !!