jayashree

ରାମକୃଷ୍ଣ ସାହୁଙ୍କ ନିବନ୍ଧ ସଙ୍କଳନ ‘ଅଜ୍ଞାତର ପଦଚିହ୍ନ’ ଏକ ବହୁଚର୍ଚ୍ଚିତ ପୁସ୍ତକ

  • ଡ. ଦ୍ବାରିକାନାଥ ନାୟକ

କବି, ପ୍ରାବନ୍ଧିକ ରାମକୃଷ୍ଣ ସାହୁଙ୍କ ରଚିତ ପ୍ରାୟ ସତରଟି ତଥ୍ୟ ଓ ତତ୍ତ୍ବପୂର୍ଣ୍ଣ ନିବନ୍ଧର ସଙ୍କଳନ ‘ଅଜ୍ଞାତର ପଦଚିହ୍ନ’ ବର୍ତ୍ତମାନ ସମୟର ଏକ ବହୁଚର୍ଚ୍ଚିତ ପୁସ୍ତକ । ଏଥିରେ ବହୁ ଅସମାହିତ ପ୍ରସଙ୍ଗ, ପ୍ରଶ୍ନର ବିଚାରବନ୍ତ ଚର୍ଚ୍ଚା କରିଛନ୍ତି ରାମକୃଷ୍ଣ । ମୁଁ କିଏ, ଈଶ୍ଵରଙ୍କ ଅବସ୍ଥିତି, ପାପ କଣ, ପୁଣ୍ୟ କଣ, ଜୀବନରେ ଶବ୍ଦର ଆଧିପତ୍ୟ, ଭାବ, ସ୍ଵଭାବ ଓ ପ୍ରଭାବର ଭୂମିକା, ଚେତନାର ଭୋଗଭୂମି, ଆହାର, ମୈଥୁନ, ନିଦ୍ରା କେତେ ପ୍ରଭାବଶୀଳ, ଜୀବନର ଅନ୍ତ କଣ ମୃତ୍ୟୁରେ, ମଣିଷ ଜୀବନର ବାସ୍ତବ ଚିତ୍ର, ପୂର୍ଣତା କେବେ ଓ କିଭଳି ଆସେ ଭଳି ତାତ୍ତ୍ଵିକ ପ୍ରସଙ୍ଗ ପାଠକକୁ କେବଳ ଆଲୋକିତ କରିବ ନାହିଁ , ବରଂ ରାମକୃଷ୍ଣଙ୍କ ଭଳି ଜଣେ ଭାବୁକଙ୍କ ଯୁକ୍ତି ସହ ସମଭାବରେ ଗତି କରି ଜୀବନର ରହସ୍ୟକୁ ଆବିଷ୍କାର କରିବାରେ ସହାୟକ ହେବ । ସମଗ୍ର ପୁସ୍ତକର ନିର୍ୟ୍ୟାସକୁ ସ୍ଵୀକାରୋକ୍ତି ପୂର୍ବକ ରାମକୃଷ୍ଣ ଲେଖିଛନ୍ତି- “ସତ୍ୟ କଣ ? ସତ୍ୟକୁ ଜାଣିବା କେମିତି ? ଏହା ହିଁ ଜୀବନର ମୂଳ ସମସ୍ୟା। ସତ୍ୟକୁ ଜାଣିବାର ଅର୍ଥ ନିଜର ଇଚ୍ଛା ଅନିଚ୍ଛା, ବିଶ୍ଵାସ ଓ ଧାରଣାର ପୃଷ୍ଠଭୂମିରେ ନ ଦେଖି ସତ୍ୟ ଅବିକଳ ଯାହା ଠିକ୍ ସେଇୟା ଦେଖିବା । ସତ୍ୟକୁ ଅବିକଳ ସେହିପରି ଦେଖିବା ଅର୍ଥ ତାକୁ ଉପଲବ୍ଧି କରିବା ।” ତେବେ ସତ୍ୟ ଉପଲବ୍ଧିରେ ହିଁ ବିରାଜମାନ କରେ । ଏଭଳି ସତ୍ୟକୁ ଅନୁସନ୍ଧାନ କରିକରି ଗୌତମ ବୁଦ୍ଧ ପାଲଟିଗଲେ, ଅଶୋକ ଧର୍ମାଶୋକ ପାଲଟି ଗଲେ, ମୋହନ ଦାସ ମହାତ୍ମା ପାଲଟିଗଲେ । ସତ୍ୟାନ୍ଵେଷୀ ମଣିଷ ପାଇଁ ସଂସାର, ଭୋଗ ସର୍ବସ୍ଵ ଜୀବନର କିଛି ମାନେ ନାହିଁ । ସତ୍ୟକୁ ଜାଣିବାର, ଚିହ୍ନିବାର, ବୁଝିବାର ଦୁର୍ବାର ଇଚ୍ଛାର ଜନ୍ମ ହିଁ ଜଣକୁ ପରମପୁରୁଷ ଭାବରେ ଗଢି ତୋଳିଥାଏ । ସତ୍ୟକୁ ଜାଣିବା ଅର୍ଥ ଈଶ୍ଵରଙ୍କୁ ପ୍ରାଣ ମଧ୍ୟରେ ଉପଲବ୍ଧି କରିବା । ଅର୍ଥାତ୍ ସତ୍ୟ ଓ ଈଶ୍ଵର ,ଉଭୟେ ଉପଲବ୍ଧିରେ ଆସନ୍ତି, କହିବାକୁ ଗଲେ ସତ୍ୟ ହିଁ ଈଶ୍ଵରଙ୍କ ଦୃଶ୍ୟରୂପ । ପାପ, ପୂଣ୍ୟ, ଭୋଗ ଆଦି ସତ୍ୟପଥରେ ବାଧକ । ଦୁଇଟି ସତ୍ତାରେ ହିଁ ଏହା ସଂଯୋଜିତ । ଯେଭଳି ଈଶ୍ଵର ଏବଂ ମଣିଷ, ଈଶ୍ଵରଙ୍କ ସୃଷ୍ଟ ମଣିଷ, ମଣିଷର କଳ୍ପିତ, ପୂଜ୍ୟ ଈଶ୍ଵର, ସତ୍ୟର ଅନ୍ଵେଷଣରେ ଏମାନେ ପାଖାପାଖି ହୁଅନ୍ତି, ସତ୍ୟ ଏମାନଙ୍କୁ ଯୋଡେ, ମିଥ୍ୟା ଦୂରକୁ ଫିଙ୍ଗିଦିଏ ।

ବହିଟିର ପ୍ରସଙ୍ଗମାନ ସମ୍ପୂର୍ଣ ଭାବରେ ଦର୍ଶନ ତତ୍ତ୍ଵାଧାରିତ । କେବଳ ବୁଦ୍ଧିଜୀବୀ ନୁହନ୍ତି, ଜୀବନ ଓ ମୃତ୍ୟୁ ସମ୍ପର୍କରେ ଯେଉଁ ପାଠକ ଅଧିକ କିଛି ଜାଣିବାର ଆଗ୍ରହୀ, ସେମାନଙ୍କ ପାଇଁ ଏ ପୁସ୍ତକଟି ଅମୂଲ୍ୟ ସମ୍ପଦ । ରାମକୃଷ୍ଣଙ୍କ ଚିନ୍ତାଶୀଳତା ଏବଂ ମନସ୍ତତ୍ତ୍ବକୁ ମୋ ଭଳି ଜଣେ ସାଧାରଣ ପାଠକର ସେଲ୍ୟୁଟ୍ । କବିତା ଯେଉଁଠି ସଙ୍କୁଚିତ ହୋଇଯାଏ, ସେଠାରେ ଜନ୍ମ ନିଏ ଏଭଳି ମନସ୍ତାତ୍ତ୍ଵିକ ବିଶ୍ଳେଷଣ । ଏଭଳି ଚିନ୍ତାରେ ଦେବୀଦାସ କଲମ କାଗଜ ଫିଙ୍ଗିଦେଲି, ପ୍ରଦୀପ ଅଚିନ୍ତା ରହିଲେ, କବିତାର ନୂଆ ସ୍ଵରୂପ ଖୋଜିଲେ, ଆଉ ରାମକୃଷ୍ଣ ଭାବୁକ ଭଳି ଉଭୟ କବିତା ଓ ଗଦ୍ୟ ରଚନାର ସହାୟତାରେ ଜୀବନର ସତ୍ୟକୁ ଅନ୍ଵେଷଣ କରିଚାଲିଲେ । ମାଟି ଖୋଳା ଚାଲିଥାଉ, ସୁନା ଅବଶ୍ୟ ଆବିଷ୍କୃତ ହେବ ଦିନେ ନା ଦିନେ ।

Leave A Reply

Your email address will not be published.