om academy

ଦୁଃସମୟର ଅନୁଭୂତି

jsm
  • ପ୍ରଣତି ବେହେରା

ଆଜିକୁ ମାସେ ତଳେ, ଏପ୍ରିଲ୍ ୧୩ରେ ଆକସ୍ମିକ ଭାବେ ହୃଦଘାତରେ ମା'(ଶାଶୁ)ଙ୍କ ଦେହାନ୍ତ ହୁଏ । ଇଏ (କବି ତ୍ରିନାଥ ସିଂ)ନିଜେ ସେତେବେଳକୁ ସାଂଘାତିକ ଅସୁସ୍ଥ । ମା’ଙ୍କ ଅଂତିମ ସଂସ୍କାରର ବିଧି ବିଧାନ ଆଦି ସଂପନ୍ନ କରିବା, ଖାଇବା ପିଇବାରେ ଅନିୟମିତତା, ପୁଣି ମା’ଙ୍କୁ ହରେଇବାର ଦୁଃଖଦ ମାନସିକତା ଭିତରେ ଆଉ ଟିକିଏ ଦେହପ୍ରତି ଅବହେଳା ଯୋଗୁଁ ଇଏ ବେଶି ବେଶି ଅସୁସ୍ଥ ହୋଇପଡିଲେ । ସାତ ଦିନ ଯାଇଥାଏ, ୟା’ଙ୍କ ସ୍ଥିତି ସାଂଘାତିକ । ନିଜେ ହିଁ କହିଲେ, ମୋତେ କୌଣସି ହସ୍ପିଟାଲରେ ଆଡମିଟ୍ କରିଦିଅ, ନହେଲେ ବହୁତ ଅସୁବିଧା ହେଇଯିବ ।

ପରିଚିତ ଏକ ଘରୋଇ ଡ଼ାକ୍ତରଖାନାରେ ଯାଇ ଡାକ୍ତରଙ୍କ ପରାମର୍ଶ ନେଲି । ଆଣ୍ଟିଜେନ୍ ଟେଷ୍ଟ୍ ରିପୋର୍ଟ୍ ନେଗେଟିଭ୍ ତ ଆସିଥାଏ । କିନ୍ତୁ ଜ୍ବର ଛାଡୁ ନଥାଏ । ଡାକ୍ତରଙ୍କ ପରାମର୍ଶରେ ସିଟି ସ୍କାନ୍ ହେଲା । ଫୁସଫୁସ୍ ସଂକ୍ରମଣ ଚିହ୍ନଟ ହେଲା, ଯାହାକୁ କରୋନା ପଜିଟିଭ୍ କୁହାଯାଉଛି ।

“ଅକ୍ସିଜେନ୍ ସୁବିଧା କେବଳ ଆମର ଅଛି, ଭେଣ୍ଟିଲେଟର୍ ସୁବିଧା ନାହିଁ, ତେଣୁ ଏଠି ରଖିବେ କି ନାହିଁ, ନିଜେ ଡିସାଇଡ୍ କରନ୍ତୁ, ଯଦି ରଖିବାକୁ ରାଜି, ସାଇନ୍ କରନ୍ତୁ । କିନ୍ତୁ ପ୍ରସ୍ତୁତ ଥିବେ, କେତେବେଳେ ବି ସିଫ୍ଟ୍ କରିବାକୁ ପଡିପାରେ ପେସେଣ୍ଟକୁ….ଅନ୍ୟ ହସ୍ପିଟାଲକୁ……” ମୋ’ର ଗୋଡ଼ ତଳୁ ମାଟି ଖସିବା ଭଳି ଅନୁଭବ କଲି ।

ମୁଁ କିଛି ବି ନିଷ୍ପତ୍ତି ନେଇ ପାରିଲିନାହିଁ । ଚାମ୍ବରରୁ ବାହାରକୁ ଆସି ଚିନ୍ତା କଲି, ରାଉରକେଲାରେ ଏତେ କୋଭିଡ ହସ୍ପିଟାଲର ସୁବିଧା ରହିଛି । ଭେଣ୍ଟିଲେଟର ସୁବିଧାଥିବା ଗୋଟେ ହସ୍ପିଟାଲରେ ଆମେ କାହିଁକି ଆଡମିଶନ୍ ନ ନେବା । ହାଇଟେକ୍ ଯିବାର ନିଷ୍ପତ୍ତି ନେଲୁ । ସେଠି ପହଞ୍ଚିବାର କିଛି ସମୟ ପରେ ହିଁ ଜାଣିଗଲୁ, ପଜିଟିଭ୍ ରିପୋର୍ଟ ନ ଥିଲେ ସେମାନେ ଦାଖିଲା ଦେବେ ନାହିଁ । ଏମିତି କି ଅକ୍ସିଜେନ୍ ସୁବିଧା ବି ଯୋଗେଇ ପାରିବେ ନାହିଁ । ଦୁଇତିନି ଘଣ୍ଟାରୁ ବେଶି ସେଠି ଆମେ ରହିପାରିଲୁ ନାହିଁ । ମୁଁ ପୁଣି ପୂର୍ବରୁ ଦେଖେଇଥିବା ଡ଼ାକ୍ତରଙ୍କ ପାଖକୁ ଯାଇ ବେଡ଼ ପାଇଁ କହିବା ବେଳକୁ ବେଡ୍ ମଧ୍ୟ ଆଉ ମିଳିଲା ନାହିଁ । ଖୁବ୍ ହତାଶା ଆଉ ନିରାଶା ଭିତରେ ଆମେ ଘରକୁ ଫେରି ଆସିଲୁ । ରାତିସାରା ଅସ୍ଥିରତା ଭିତରେ ସମସ୍ତେ ରହିଲୁ । ସକାଳୁ ମୋତେ ପାଖକୁ ଡାକି କହିଲେ, ତୁ କେମିତି ବି ଯାଇକି ସେଇ ପ୍ରଥମ ଭେଟିଥିବା ଡାକ୍ତରଙ୍କୁ ଦେଖାକର । ବେଡ୍ ଟିଏ ଯୋଗାଡ଼ କରି ମୋତେ ସେଇଠି ହିଁ ଭର୍ତ୍ତି କରିଦେ । ଦେଖିବୁ, ମୁଁ ସେଇଠି ଭଲ ହେଇଯିବି । କେହି କିଛି ଆଉ ଦ୍ବିତୀୟ ଚିନ୍ତା କରନି । ସେ ଖୁବ୍ ଦୃଢମନରେ ଏତକ କହିଲେ ।

ଯା’ ବି ହେଉ ସବୁକିଛି ଠିକ୍‌ଠାକ୍‌ ହେଇଗଲା । ଏପ୍ରିଲ୍୧୯ ତାରିଖରେ ସେ ଆଡମିଟ୍ ହେଲେ । ଯେଉଁ ଦୁଇଜଣ ଡାକ୍ତର ତାଙ୍କ ଚିକିତ୍ସା କଲେ, ସେମାନଙ୍କ ସେବା ମନୋବୃତ୍ତି ଓ ଯତ୍ନଶୀଳତା ସଂପର୍କରେ ଯେତେ ପ୍ରଶଂସା କଲେ ବି କମ୍ ହେବ । ଅନ୍ୟାନ୍ୟ କର୍ମଚାରୀଙ୍କ ସହାୟତା ବି ଭୁଲିବାର ନୁହେଁ । କିନ୍ତୁ ସବୁଠାରୁ ବେଶି କାମକଲା ୟା’ଙ୍କର ଦୃଢମନୋବଳ । ଖୁବ୍ ଶୀଘ୍ର ଚିକିତ୍ସା ତାଙ୍କ ଉପରେ ଭଲ ପ୍ରଭାବ ପକାଇବା ହେତୁ ଡାକ୍ତରମାନେ ବି ଖୁସି ହେଇଯାଇଥିଲେ । ସାତ/ଆଠ ଦିନ ପରେ ଭଲ ହେଇ ଘରକୁ ଆସିଲେ ।

ୟା’ଭିତରେ ଆମେ ସମସ୍ତେ ସଂକ୍ରମିତ ହେଇଯାଇଥିଲୁ । ଅସୁସ୍ଥତା ଭୋଗିଲୁ । ଏବେ ସୁଦ୍ଧା ଦୁର୍ବଳତା ରହିଛି, ଅସହାୟତା ବି ରହିଛି । ବ୍ୟକ୍ତିଗତ ରୋଗ, ଯନ୍ତ୍ରଣା ଭିତରେ ମା’ଙ୍କ ଶୁଦ୍ଧିକ୍ରିୟା କର୍ମରେ ବି କେହି ଆମେ ସାମିଲ୍ ହେଇପାରିଲୁନି । ବ୍ରାହ୍ମଣଙ୍କ ପରାମର୍ଶକ୍ରମେ ଏକୋଇଶ ଦିନରେ ତିନି ବାପପୁଅଙ୍କ ମୁଣ୍ଡନ ସଂସ୍କାର ହେଲା । ଅବଢ଼ା ଆଣି ପାଇଲୁ ।

ଏବେ ବି ବିଶ୍ବାସ ହେଉନି, ମାସକ ଭିତରେ ଯାହାସବୁ ଘଟି ଯାଇଛି, ସେସବୁ ବାସ୍ତବ ଥିଲା ନା କେବଳ ଦୁଃସ୍ବପ୍ନ ଥିଲା ଆମ ପାଇଁ !

Leave A Reply

Your email address will not be published.