jayashree

ସଂଚାର କର୍ମଶାଳା ଏକ ଅନନ୍ୟ ପ୍ରୟାସ

  • ଜୟଶ୍ରୀ ସାହୁ

ପିଲାବେଳେ ଗାଁରେ ନାଟକ, ଦଣ୍ଡ, ସଂଚାର, ପାଲା ବା ଦାସକାଠିଆ ହେଲେ ଦିନବେଳୁ ଆମେ ବସ୍ତା, ପଟି ଆଦି ପକେଇ ନିଜ ପାଇଁ ଜାଗା ସୁରକ୍ଷିତ ରଖୁଥିଲୁ । ସଂରକ୍ଷିତ ଜାଗାଟା ମୁକ୍ତ ମଂଚର ଏତେ ପାଖରେ ଥିଲା ଯେ ଖଳନାୟକ ବା ଖଳନାୟିକାକୁ ଗୋଡି, ଖପରା ଆଦି ନିରାପଦରେ ମାରି ହେଉଥିଲା । ଗାଁକୁ ବିଜୁଳି ଆଲୁଅ ଆସି ନଥିଲା । ପାଠ ପଢାର ବି ଏତେ ଚାପ ନଥିଲା । କେତେଜଣ ତ ସଂଧ୍ୟା ୭ଟାରୁ ଖିଆପିଆ ସାରି ଦେଇ ପହଂଚି ଯାଇ ବସ୍ତା ଉପରେ ବସିପଡି ନାଟକକୁ ଅପେକ୍ଷା କରୁଥିଲେ । ନାଟକ ଆରମ୍ଭ ହେଲା ବେଳକୁ ଏମାନଙ୍କ ଶୟନର ଅଢେଇ ପ୍ରହର । ମାଇକ୍‌ ଆୱାଜ ସହ ଏକ ପ୍ରକାର ପ୍ରତିଯୋଗିତା କରି ହଲେଇ ଝୁଲେଇ ସେମାନଙ୍କ ନିଦ ଭାଙ୍ଗିବା ପରେ ଷ୍ଟେଜ୍‌ ଆଡକୁ କେବଳ ମୁଣ୍ଡଟା ଟୁଙ୍ଗାରି ଦେଇ କହୁଥିଲେ- “ମାଏଝି ବାହାରଲେ ଉଠାବୁ ଗା ।” କହିବା ବାହୁଲ୍ୟ, ଏଠି ମାଏଝି’ ର ଅର୍ଥ ହେଲା ନାରୀ ବେଶରେ ପୁରୁଷ ଅଭିନେତା ।

ଦଣ୍ଡରେ ବି ରାଧା, ଦୂତୀ, ବାଁଡି ଆଦି ଚରିତ୍ରରେ ପୁରୁଷ ଅଭିନେତା । ସତସତିକା ନାରୀ ଥିଲେ ସଂଚାର ବା ଗାହାକ ବାହାକରେ । ଅଧିକାଂଶ ଦଳର ମୁଖ୍ୟ କଳାକାର ଥିଲେ ନାରୀ; ନିଟୋଳ ସ୍ୱାସ୍ଥ୍ୟବତୀ, କାନ୍ଧରେ ମୃଦଙ୍ଗ, ପାଦରେ ଘୁଙ୍ଗୁର । ଏମାନେ ଥିଲେ ଏକାଧାରରେ ବିଦୂଷୀ, ସ୍ୱାସ୍ଥ୍ୟବତୀ, ଗାୟିକା, ମୃଦଙ୍ଗବାୟିକା, ନୃତ୍ୟନିପୁଣା ତଥା ପ୍ରତ୍ୟୁତ୍ପନ୍ନମତି । କାରଣ ଘଣ୍ଟା ଘଣ୍ଟା ଧରି ଏକା ସାଙ୍ଗେ ଚାଲୁଥିଲା ନୃତ୍ୟ, ଗୀତ, ବାଦ୍ୟ, ଅଭିନୟ ସହ ଜ୍ଞାନ, ଶାସ୍ତ୍ରଚର୍ଚ୍ଚା । ସେମାନଙ୍କ ଜ୍ଞାନଚର୍ଚ୍ଚା ଆମପରି ବିଛୁଆତିମାନଙ୍କ ପାଇଁ ବି ଆକର୍ଷଣୀୟ ଥିଲା ନିଶ୍ଚୟ, କାରଣ ମସିଣା କି ବସ୍ତା ଉପରେ ଢୁଳେଇ ପଡିବା ବା ଗୋଡି ମାରିବା ପରି ଦୁର୍ଘଟଣା ତ ଜମ୍ମା ମନେ ପଡୁନି ।

ମୋଟାମୋଟି ପ୍ରାୟ ଚାଳିଶ ବର୍ଷ ପରେ ବରଗଡ ପରି ସହରରେ ସଂଚାର କର୍ମଶାଳା ଦେଖିବାର ସୁଯୋଗ ମୋ ପରି ଅନେକଙ୍କ ପକ୍ଷେ ଏକ ନିଆରା ଅନୁଭବ ଥିଲା । ଜିଲ୍ଲା ପ୍ରଶାସନର ସହଯୋଗରେ ବରଗଡ ସାମ୍ବାଦିକ ସଂଘ ଦ୍ୱାରା ଆୟୋଜିତ ଚାରି ଦିନିଆ ସଂଚାର କର୍ମଶାଳା ନିଜ ମାଟି ପ୍ରତି ଏକ ପ୍ରତିବଦ୍ଧ, ଅନନ୍ୟ ଉଚ୍ଚାରଣ ଥିଲା । ବ୍ୟକ୍ତିଗତ ଅସୁବିଧାବଶତଃ କର୍ମଶାଳାର କେବଳ ଶେଷସଂଧ୍ୟାର କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ମିଳିଲା । ପ୍ରତ୍ୟେକ କଳାକାରଙ୍କ ପ୍ରଦର୍ଶନରେ ଭିନ୍ନତା ବାରି ହେଇଯାଉଥିଲା । ସଂଚାର ଶିଳ୍ପୀ ଜୟନ୍ତୀ ଦୀପ ତ’ ଗଣମାଧ୍ୟମରେ ଏକ ଚର୍ଚିତ ଚେହେରା । ସଂଚାର ମୋହରେ ମାତ୍ର ଅଷ୍ଟମ ଶ୍ରେଣୀରୁ ପାଠପଢାର ମୋହ ଛାଡିଥିବା ପ୍ରଭାସିନୀ ବାଗଙ୍କ ଉଦାର ଅଥଚ ବଳିଷ୍ଠ ହାସ୍ୟମଧୁର ପରିବେଷଣ ଶୈଳୀ କିନ୍ତୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।

Leave A Reply

Your email address will not be published.