କବିତା : ବାୟା ଚଢେ଼ଇ

ଉଡ଼ିବ ଉଡ଼ିବ ବୋଲି
ଡେଣା ଫଡ଼୍-ଫଡେ଼ଇଲାଣି
ବାୟା ଚଢେ଼ଇ
ଉଡ଼ିବ… ଏଥର ଉଡ଼ିଯିବ!

ଝାଟିମାଟି ଚାଳଘର ମୋର
ବଡ଼ ଶାନ୍ତ ପରିବେଶ
ଶୀତଳ ପବନ ଝର୍କା ବାଟେ ଆସୁଥିଲା
ନାକପୁଡ଼ାରେ ଯେତିକି ଧରିବ
ମୁଁ ଶୋଷି ନେଉଥିଲି
ଆଲୁଅ ଅନ୍ଧାର ସାଂଗରେ
ସମୟ ବିତୁଥିଲା ମୋର ।

କୋଉଠୁ କେଜାଣି ଡେଣା ମେଲେଇ
ଉଡ଼ି ଆସିଲା ବାୟା ଚଢେ଼ଇଟେ
ବୋହି ଆଣିଲା କାଠିକୁଟା
ଶୁଖିଲା ପତ୍ର
ବଡ଼ ଅଦ୍ଭୁତ୍ ଛନ୍ଦରେ ଛନ୍ଦି
ବସା ବାନ୍ଧିଦେଲା
ମୋ’ ରୁମ୍ ରେଲିଂ ରେ ।

ଗୁଲୁରୁ ଗୁଲୁରୁ କଥା କୁହା
କିଚିରି ମିଚିରି ସ୍ୱରରେ ତାର
ମୁଁ ବାନ୍ଧି ହେଇଗଲି ତା ସାଂଗେରେ
ତା ବସା ସାଙ୍ଗରେ ।

ଧୀରେ ଧୀରେ ଏମିତି ଲାଗିଲା
ସେ ବସା ବାନ୍ଧିନି ମୋ’ ଘରେ
ମୁଁ ଘର ବାନ୍ଧିଛି, ମନ ବାନ୍ଧିଛି
ନିଜକୁ ବାନ୍ଧିଛି ତା’ ବସାରେ
ଆଉ ଧୀରେ ଧୀରେ ବାନ୍ଧି ହେଇଗଲି
ଚଢେ଼ଇ ସାଙ୍ଗରେ ମୁଁ ।

ମୁଁ ମୋ’ ଘର ଭୁଲିଗଲି
ଉଡ଼ି ବୁଲିଲି ଚଢେ଼ଇ ସାଙ୍ଗରେ
ପାହାଡ଼, ପର୍ବତ, ନଈ, ନାଳ
ବଣ, ଜଂଗଲ, ତୋଟାମାଳ
ପତ୍ର ଉହାଡ଼, ଗଛ କରୋଡ଼
ଫୁଲ ବଗିଚା, ବର ଓହଳ… ।

ନିଜକୁ ଭୁଲି ଆମେ ଝୁଲି ଚାଲିଲୁ
ପବନର ଦୋଳିରେ
ଚଢେ଼ଇ ମତେ ଦେଖେଇ ଚାଲିଲା
ଆକାଶର ଦୈର୍ଘ୍ୟ ପ୍ରସ୍ଥ
ସମୁଦ୍ରର ଗଭୀରତା
ଚଖେଇ ଚାଲିଲା
ପବନର ଶୀତଳତା ।

ବାୟା ଚଢେ଼ଇ ଥଂଟରେ ଥଂଟ ଘଷି
ଭୋକ ଶୋଷ ଭୁଲି ଯାଉଥିଲି ମୁଁ
ଆଉ ନିଜକୁ ବି ।

ମୁଁ କ’ଣ ଜାଣିଥିଲି
ବାୟା ଚଢେ଼ଇ ସିନା ବସା ବାନେ୍ଧ
ପୋଷା ମାନେନି କାହାର!

ବାନ୍ଧି ହେଇଗଲେ କାହା ମନରେ
ଛନ୍ଦି ହେଇଗଲେ କାହା ଛନ୍ଦରେ
ସୁନ୍ଦ, ଉପସୁନ୍ଦ, ଅଳିନ୍ଦ, ନୀଳୟକୁ
ଆପଣେଇ ନେବା ପରେ
ମୁଁ କ’ଣ ଜାଣିଥିଲି
ମୋ’ ଝାଟିମାଟି କୁଡ଼ିଆ
ବାୟା ଚଢେ଼ଇକୁ ଛୋଟ ଲାଗିଲାଣି
ଶ୍ୱାସରୁଦ୍ଧ ଲାଗିଲାଣି ।

ଚଢେ଼ଇ ଖୋଜିଲାଣି ଡେଙ୍ଗା ତାଳଗଛ
ତା’ ବାହୁଙ୍ଗାରେ ବସା ଓହଳେଇବ
ମୋ’ ଠୁ ଉଚ୍ଚ
ବହୁ ଉଚ୍ଚରେ ତା’ ଆକାଂକ୍ଷା
ଆକାଶଠୁ ବି ଉଚ୍ଚରେ ତା’ ଆଶା ।

ଉଡ଼ିଲା ଚଢେ଼ଇକୁ
କିଏ ବା କେମିତି ରୋକି ପାରନ୍ତା
ଏଡ଼ ବଡ଼ ମନ ଯା’ର, ତାକୁ
କୋଉ ମନରେ କିଏ ବାନ୍ଧି ପାରନ୍ତା ।

ଏଠି ସବୁକିଛି ବାନ୍ଧିହୁଏ
ବାନ୍ଧି ହୁଏନା କା’ ମନ
ଏଠି ସବୁକିଛି ରୋକିହୁଏ
ରୋକି ହୁଏନା ଲୁହ
ସବୁକିଛି କହିହୁଏ
କହିହୁଏନା କୋହ ।

ଏଠି ସବୁ କୋହ ସେମିତି
ଅଟକିଥାଏ ଓଠର ଏରୁଣ୍ଡିରେ
ଥମ୍ ଥମ୍ ମୁହଁରୁ ବାହାରୁ ନଥାଏ କଥା
ଯିଏ ଯେମିତି ବାଛି ନିଅନ୍ତି
ନିଜ ନିଜ ବ୍ୟବସ୍ଥା ।

ବାୟା ଚଢେ଼ଇ ବି ଉଡ଼ି ଚାଲିଲା
ଉଚ୍ଚକୁ… ଉଚ୍ଚକୁ
ମୋ’ ହାତ ନପାଇବାଠୁ ଆହୁରି ଉଚ୍ଚକୁ
ମୋ’ ଆଖିକୁ ଦେଖା ନଯିବାର
ଆଢ଼ୁଆଳକୁ ।

ମୁଁ ହାତ ବଢେ଼ଇଲି ଉପରକୁ
ଆକାଶ ଖତେଇ ହଉଥିଲା
ଆଖି ମେଲିଲି ଦେଖିବି ବୋଲି
ମେଘ କାନ୍ଦୁଥିଲା ।

ଆକାଶ କ’ଣ ବୁଝି ପାରିବ
ତା’ଠୁ ବଡ଼, ତା’ଠୁ ମହାନ, ତା’ଠୁ ବିଶାଳ
ଆମ ସଂପର୍କର ସରହଦ
ମେଘ କ’ଣ ବୁଝି ପାରିବ
ତା’ଠୁ ବେଶୀ କାନ୍ଦି ପାରିବ
ମୋ’ ଆଖିର ସମୁଦ୍ର!

ବୁଝିଲାନି ବାୟା ଚଢେ଼ଇ
କାହା ମନ ଭାଙ୍ଗିଦେଲେ
କ’ଣ କ’ଣ ଭାଂଗେ
କାହା ଘର ଭାଂଗିଦେଲେ
କି ଶବ୍ଦ ଶୁଭେ ।
ଝାଟିମାଟି, କାଠିକୁଟାର ଘର
କ’ଣ ସତରେ ଘର
ମୁଁ ତ’ ପଞ୍ଜରା ହାଡ଼ର ଘରେ
ପିଞ୍ଜରେଇ ସାରିଥିଲି ମୋ’ ବାୟା ଚଢେ଼ଇକୁ
ମୋ’ ଆରକ୍ତିର ଥାଳିଆରେ
ମୋ’ ରକ୍ତ, ମାଂସ ଖାଇବାକୁ ଦେଉଥିଲି
ମୋ’ ଶୂନ୍ୟ ସଂହିତାକୁ ।

କିଛି ତ’ ଆକଟ କରି ନଥିଲି
ଆକଣ୍ଠ ପିଇବାରେ
ମୋ’ ବେଂଟ ପୋଖରୀକୁ
ତେବେ ମୋର ଭୁଲ କୋଉଠି ରହିଗଲା
ମନେଇବାରେ ମୋ’ ମନସ୍ୱିନୀକୁ
ମୋର ବୋଲି କହିବାରେ ପାପ
କୋଉଠି ରହିଗଲା ପୂଣ୍ୟତୋୟାର
ପୂର୍ଣ୍ଣ କଳସକୁ ।

ବସା ବାନ୍ଧିବାରେ ନା’ କିଛି ସର୍ତ୍ତଥିଲା
ନା’ ବସି ରହିବାରେ କିଛି ପ୍ରତିଶ୍ରୁତି
ନା’ ମୁଁ ହିସାବ ରଖିଛି
ଯାହା ଦେଇଛୁ ତୁ
ନା’ ମୁଁ ଛାତିର ସେ କ୍ଷତକୁ
ଦେଖେଇ ପାରିବି କାହାକୁ
ତୋ’ ଥଂଟରେ ଖୁଂପି ଖୁଂପି
ଯାହା ଯାହା ନେଇଛୁ ତୁ ।

ଏବେ ବି ମୁଁ ମୁକୁଳା ରଖିଛି
ମୋ’ ଘରର କବାଟ ଝର୍କା
ଖୋଲା ରଖିଛି ମୋ’ ଛାତିର
ନିଭୃତତା ।

ନେବାର ଅଛି ତ’ ନେଇଯାଅ
ଜୀବନ ଯାକର ପୁଣ୍ୟ ମୋର
ସ୍ନେହ ମୋର, ଶ୍ରଦ୍ଧା ମୋର
ମୋର ଏଇ ବଳକା ବୟସ
ଉଡ଼ିଯିବ … ଉଡ଼ିଯିବ ହେଉଥିବା
ମୋର ଶେଷ ନିଃଶ୍ୱାସ ।

ସବୁ ହରେଇ ସାରିଥିବା ଲୋକଟେ
କ’ଣ ବା ଦେଇ ପାରିବ କାହାକୁ
ସବୁ ଲୁଟି ନେଇଥିବା ଲୋକ
କ’ଣ ବା ଦେଖେଇ ପାରିବ କାହାକୁ
ନାହିଁ ନାହିଁର ନଅରରେ
ନିଆଁ ଲାଗିଗଲେ
ଲିଭେଇବାକୁ ଡାକ ପକେଇବ କାହାକୁ
ଡେଣା ଝାଡ଼ି ଉଡ଼ି ଯାଉଥିବା ଚଢେ଼ଇକୁ
ଧର ଧର ବୋଲି
ଗୁହାରି ହବ କାହାକୁ ।

ଉଡ଼ି ଉଡ଼ି ମହାଶୂନ୍ୟରେ
ମିଳେଇ ଯାଉଥିବା ଚଢେ଼ଇ
କ’ଣ ବୁଝି ପାରିବ
ମାଟିରେ ଛାଡ଼ି ଯାଇଥିବା
ତା’ ନଖର କ୍ଷତରେ
ନାରଖାର ଏଠିକାର ନନ୍ଦନ କାନନ
ସତରେ କ’ଣ ବୁଝି ପାରିବ
ଜଳିଯାଉଛି ଜଣକର ଚନ୍ଦନ ବନ ।

ମାଟିର ଦୁଃଖ ମାଟିରେ ମିଶିଯିବ
ବାୟା ଚଢେ଼ଇ
ମହାଶୂନ୍ୟରେ ଉଡ଼ି ବୁଲିବ
ତାଳ ଗଛରେ ବସା ବାନ୍ଧିବ
ତା’ର ବା କ’ଣ ଗରଜ ଥିବ
ବା’ ହେଲେ ବସା ଦୋହଳୁଥିବ । ।
କବି ନୀଳାଦ୍ରି ମହାପାତ୍ର
ସଭାପତି
ସମ୍ବାଦ ସାହିତ୍ୟ ଘର, ଆଳି
ମୋ.ନଂ. : ୯୪୩୧୧୧୩୬୫୮

Leave A Reply

Your email address will not be published.