କବିତା : ତଥାପି

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ
ତଥାପି
ବାକି ରହିଛି ଅସ୍ତ ହେବାକୁ ।
କଳା ଚାଦର ତଳେ ଲୁଚି
ସବୁ ଭୁଲି ଯିବାକୁ ।

ସୁନାର ମୁକୁଟ ପିନ୍ଧି ସାରିଛି ସତ
ହେଲେ,
କିଛି ପଥ ଏବେବି
ରହିଛି ବାକି ।

ବିଶ୍ୱାସ କର
ଏ ପରିଧାନ
କରିଥିବା ଅସ୍ତଗାମୀ ବସ୍ତ୍ର
କୂଳରେ କଚାଡି
ଛିନ୍ନଭିନ୍ନ କଲା ଭଳି ଅସ୍ତିତ୍ୱ ।

କାହିଁକି ଜାଣିଛ ?
ଦିନ ଆରମ୍ଭରେ ଥିଲି ଚଳମାନ
ଅନ୍ଧୁପୁଟୁଳି ବାନ୍ଧି ବି
ସାଉଁଟି ପାରୁଥିଲି
ସମଗ୍ର ସଂସାର ।

କିଛି ଜଳୁଥିଲେ ଉତ୍ତାପରେ
ଆଉ କିଛି
ଅବିଶ୍ୱାସର ଲହଡ଼ା ଭାଙ୍ଗି
ଆଡେଇ ଯିବାର
ବାଟ ଖୋଜୁଥିଲେ ।

‘ଯିବି ମ
ଏତେ ଉଚ୍ଛନ୍ନ କିଆଁ
ରୁହ
ରହିଯାଅ ଟିକେ।
ସାରିଦିଏ ବାକି କାମ କିଛି
କିଛି ବୁଝିବାର ଅଛି
ଆଉ କିଛି ବୁଝେଇବାର ।’

ଏତକ ପରେ
କିଛି ହିଁ ନଥିବ ଆଉ
ନା ତୁମେ
ନା ମୁଁ
ନା ଏ ସଂସାର !

ଓଡିଆ ଅଧ୍ୟାପିକା,
ସରକାରୀ ଏସ୍‌ଏସ୍‌ଡ଼ି, ଏଚ୍ଏସ୍ଏସ୍,
ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ, ବାଲିଶଙ୍କରା,
ସୁନ୍ଦରଗଡ-୭୭୦୦୧୫

Leave A Reply

Your email address will not be published.