lika

କବିତା : ଝଡ଼

gbag

ମୁଁ ଜାଣେ
ଝଡ଼ରେ ଭାଙ୍ଗିଲେ ପୁଣି ଉଠିବୁ

ଅମାନିଆ ଲୁହକୁ ଜମା ଅନାନା
ପବନକୁ ଭୂତ ଭାବି ଥରିବାର ନାହିଁ
ବନ୍ୟା ଅଜଗର ସୁଅ
ଯାଉ ଯୁଆଡେ଼ ବାଡ଼ ଭାଙ୍ଗି

ଆ, ପିଲାପିଲିଙ୍କୁ ପାଖରେ ବସେଇ
ଆଶ୍ୱସ୍ତ ହ’
ଦିଅଁଙ୍କୁ ଦୟାବନ୍ତ କହ
ରାତିକୁ କହ ପ୍ରିୟ ସାଥୀ
କ୍ଷତିକୁ ନୂଆ ଆଶାର ଫରୁଆ ତଳେ
ଲୁଚେଇ ଦେ’

ମୁଁ ଜାଣେ
ନିଦ ନଥିବ, ଭୋକ ମରିଥିବ
ଝିଅର ନିସ୍ତେଜ ଆଖି ରାସ୍ତାକୁ ଅନେଇଥିବ
ରିଲିଫ୍ ମିଳିବ, ସାନ୍ତ୍ୱନା ବି
ଭାର୍ଯ୍ୟା ତୁନିଥିବ ଛାତକୁ ବସୁଧା କରି
ଅଭାବକୁ ଅଣ୍ଟିରେ ଖୋଷି,
ବାତ୍ୟା ପଛକୁ ବନ୍ୟା
ବିପତ୍ତିର କଳାଛାଇ ଉପରେ
ଦେବୀର ପୁଣି ଆଗମନ
ଖଡ଼୍ଗ ହସ୍ତ, ଚମକ ଆଖବ, ଦର୍ପ ପାଦ
ଉଜୁଡ଼ା ଘର କ୍ଷେତର ଦୀର୍ଘଶ୍ୱାସ ଚାପି
କରପତ୍ର ଯୋଡ଼ିବାକୁ ନଥିଲା ତର,
ଦେବୀ କ’ଣ ନିଜେ ଝଡ଼,
ଅସରା ମେଘ, ନଈର ତୋଡ଼
ଦଇବ ପାହାର

ମୁଁ ଜାଣେ
ତୁ ଫେରିବୁ ତୋ’ ପୃଥିବୀକୁ
ଥାଉ, ନିନ୍ଦା ଦେଏନା’ ନିୟତିକୁ,
ଅଭାବୀ ଜୀବନ ତୋ’ର
କାହାକୁ ଦେଖଉଛୁ ମରମଜ୍ୱାଳା
ତୋ’ ଦାରିଦ୍ର୍ୟ ତୋ’ ନର୍ମଠାଣିର
ଆଜନ୍ମ ସହଚର ।।

ପିନାକୀ ମିଶ୍ର
ଶୂନ୍ୟନୀଡ଼, ଜେଲ୍ ରୋଡ଼୍, କେନ୍ଦୁଝର

babaa
Leave A Reply

Your email address will not be published.