csstore

କବିତା : ଚାଲ, ଫେରିଯିବା

ସସ୍ମିତା ମହାପାତ୍ର
ଚାଲ, ଫେରିଯିବା !
ସମୟକୁ ସ୍ତବ୍ଧ କରିଦେଇ
କିଛି ବର୍ଷ ପଛକୁ ଲେଉଟି ଚାହିଁବା,
ବୋଝ ବୋଝ ମନେ ହେଉଥିବା
ଜୀବନକୁ କାନ୍ଧରୁ ଓହ୍ଲେଇ ଦେଇ
ଚାଲ, ଫେରିଯିବା !

ଆମେ ଭୋଗୁଥିବା ଆକାଶଟା
ଏବେ ଅଦିନିଆ ମେଘରେ ଥମ୍ ଥମ୍
ହାତଧରି ଖଣ୍ଡିଉଡା ଦେଉଥିବା
ପକ୍ଷୀମାନେ ଉଡିଗଲେଣି
ଅନେକ ବେଳୁ,
ଚାରିଆଡ ନୀରବ ନିଶୂନ୍
କେବଳ ତମେ ଆଉ ମୁଁ
ହାତରେ ଆଉ କିଛି ନାହିଁ
ଖାଲି ଭୋଗିବାକୁ ବାକି ଜୀବନ ।

ଆଜି ଆଉ ମୁଁ ତମ ହାତରେ
ପରିବା ବେଗ୍ କି
ସଉଦା ଚିଠା ଦେବିନି ମ’
କୋଉଠି କେତେ କଣ ଖର୍ଚ୍ଚ କଲ
ହିସାବ ବି ମାଗିବିନି,
ତୁମେ ବି ମତେ ଘରେ କଣ ସବୁ
ବାସନକୁସନ ଢ଼ଣ୍ ଢାଣ୍
କିଛି ପଚାରିବନି
ଆଜିକାଲି ତମର ଆଣ୍ଠୁ ଦରଜ
ଚାଲିପାରୁନ,
ମୋର ବି ଅଣ୍ଟା ଦରଜ
ସିଧାରେ ଠିଆ ହେଇପାରୁନି,
ଚାଲ, ମୋର ହାତ ଧର
ସଞ୍ଜ ନଇଁ ଆସିଲାଣି
ବାହାରେ ଘେରାଏ ବୁଲିଆସିବା !

ଘରଅଗଣା ଖାଲି ଖାଲି ଲାଗୁଚି ତ !
ଦୁଃଖ କଣ, ତମେ ଅଛ ପାଖରେ
ମୁଁ ବି ତ ଅଛି !
ଖଣ୍ଡ ଖଣ୍ଡ କରି ବାଣ୍ଟିଥିବା
ଜୀବନକୁ ଆମର
ବିଶ୍ୱାସରେ ଯୋଡିଦେଇ
ବଳକା ଆୟୁଷ ପାଇଁ
ଟିକେ ସଜାଡି ଦେବା !

ଚାଲ ପୁଣି ଥରେ ବଞ୍ଚିବା
ନିଜେ ନିଜ ପାଇଁ
କି ଆଉ କାହା ପାଇଁ ନୁହେଁ,
ଏଥର ଦୁହେଁ ଦୁହିଁଙ୍କ ପାଇଁ ଜିଇଁବା
ହଜିଯାଇଥିବା ଜୀବନକୁ
ପୁଣି ଥରେ ସାଉଁଟି ଆଣି
ଶୂନ୍ୟ ଘର ଶୂନ୍ୟ ଅଗଣାରେ
ଆମେ ଶୂନ୍ୟ ହେବା ଯାଏଁ
ନିଜକୁ ଖୋଜିବା ନିଜକୁ ପାଇବା
ଚାଲ ପୁଣି ଥରେ ଆମେ
ଜୀବନକୁ ଭେଟିବା !

ବଲାଙ୍ଗୀର- ୭୬୭୦୦୧

jayashree
Leave A Reply

Your email address will not be published.