pakka

କବିତା : ସନ୍ଧାନ

  • ସୁଜାତା ଭୋଇ

କେହି ଆସୁ ନ ଥିବା ବେଳେ
ଯେବେ ଶୁଭେ କାହା ପଦଧ୍ଵନି
ଭାବିନିଏ ମୁଁ ଏକଲା ନୁହେଁ !
ସବୁ ଦହନକୁ ଦଳିଦେଇ
ଛଳଛଳ ଆବେଗରେ
ଆଗେଇଯାଏ ଆଗକୁ, ଆହୁରି ଆଗକୁ ।

କେହି ଡାକୁ ନ ଥିବା ବେଳେ
ଯେବେ ଗୁଞ୍ଜେ ଏକ ପ୍ରତିଧ୍ୱନି,
କିଛି ସନ୍ଧାନରେ
ଡେଇଁଯାଏ କିଛି ଧାରୁଆ ପାଚେରୀ…
ହଠାତ୍ ପଛକୁ ଚାହେଁ,
ହେଲେ ଫେରିବାକୁ ଆଉ ବାଟ ତ ନଥାଏ
ନଥାଏ ଇଚ୍ଛା ବି ।

କେହି ଜଣେ ଛୁଇଁଦେଲା ପରି
ଦେହସାରା ଖେଳିଯାଏ ଶିହରଣ,
କାହିିଁ କେହି ତ ନଥାନ୍ତି !
ଅନ୍ତରର ତାତିକୁ ନିବୁଜ୍ କରି ଅନ୍ତରରେ,
ଛାତି ତଳେ ସୃଜିନିଏ ଆଞ୍ଜୁଳେ ଅରଣ୍ୟ ।

କିଛି ପାଇ ନ ଥିବା ବେଳେ
କେହିଜଣେ ମାଗୁଥାଏ ମତେ
ଆଲୁଅ ଦେ’ ରେ, ଦେ’ ଆକାଶ…
ତା’ ପାଇଁ ଛାଡିଦିଏ ମାଟି ଓ ମଶାଲ
ଆଜି ବି ମୁଁ ଚିହ୍ନେନାହିଁ ବହୁରୂପୀ ବେଶ ।

ହତାଶ ହୁଏ
ସଜଳ ସକାଳଟିଏ କିଏ ବା ନ ଚାହେଁ ?

ଏଇତ
ସବୁଶେଷ ହେଲା ପରେ ମଧ୍ୟ
ଶୁଖି ଯାଇନି ସବୁଜିମା
ଏକ ବେଫିକର୍ ହସ ସହ
ଅରଣ୍ୟରେ ଆଉଜି ହୁଏ ହଜାରେ ପଲ୍ଲବନ,
କେହି କହୁ ନଥିବା ବେଳେ
କେହିଜଣେ କହୁଥାଏ ମତେ….
ଫେରିଯାଇ ଫେରାଇନିଅ ବନ୍ଧୁ,
ଶେଷ ହେଲା ଆଜି ତୁମ ଅଭିଷ୍ଟ ସନ୍ଧାନ ।

Leave A Reply

Your email address will not be published.

5 × four =