jayashree

ଗପ : କୋମଳ କୋଳାହଳ

  • ମଂଜୁ ପଣ୍ଡା

ଅଦିନିଆ ବର୍ଷା – କିନ୍ତୁ ଥମିବାର ନାଁ ନେଉନି । ଘରୁ ବାହାରିଲା ବେଳେ ଛତାଟିଏ ବ୍ୟାଗରେ ରଖିବାକୁ ସେ ଭୁଲିଯାଇଛି । ଅଟୋ ଷ୍ଟାଣ୍ଡ୍‌ ସାମାନ୍ୟ ଦୂରରେ । କିନ୍ତୁ କାମ ସରିଗଲା ପରେ ମଲ୍‌ରେ ଆଉ କେତେବେଳ ଯାଏଁ ଅପେକ୍ଷା କରିହବ? ଅଳ୍ପ ଭିଜିବାକୁ ପଡିବ – କିନ୍ତୁ ଅଟୋ ଯାକେ ପହଂଚିଗଲେ ସନ୍ଧ୍ୟା ପୂର୍ବରୁ ଘରେ ପହଂଚି ହବ । ମଲ୍‌ରୁ ବାହାରି ବଡ ବଡ ପାହୁଣ୍ଡ ପକେଇ ଚାଲିଲା ସେ ।
ତା’ ଡାହାଣ ପାଖ ଦେଇ କାର୍‌ ଟିଏ ପାସ୍‌ କଲା । ଗତି ଖୁବ୍‌ ଧିମା ଥିଲା । ଅଳ୍ପ ବାଟ ଗଲାପରେ ଟିକେ ବେଳ ଅଟକି ପୁଣି ପଛକୁ ଫେରିଲା କାର୍‌ ଏବଂ ତା’ରି ପାଖରେ ଅଟକିଲା । ଚମକି ଚାହିଁଲା ସେ ।
ଡ୍ରାଇଭିଂ ସିଟ୍‌ ରୁ ନିଜ ବାଆଁ ପଟକୁ ସମ୍ପୂର୍ଣ୍ଣ ଢଳିଯାଇ କାର୍‌ର ସାମ୍ନା ଡୋର୍‌ ଖୋଲି ଯିଏ ତା’କୁ ଭିତରକୁ ଯିବାପାଇଁ ଆଖିରେ କହିଲେ – ତାଙ୍କୁ ଦେଖି ହଠାତ୍‌ ତା’ ଆଖି ବଡ ବଡ ଓ ପାଟି ଅଳ୍ପ ମେଲା ହେଇଗଲା ।
ମୁହୂର୍ତ୍ତ କେତୋଟିର ନୀରବତା । ଏ ଭିତରେ ଆହୁରି ଜୋର୍‌ ରାଝିଦେଲା ବର୍ଷା । ଚିନ୍ତା କରିବାକୁ ଆଉ ବେଳ ନାହିଁ । ସେ କାର୍‌ ଭିତରକୁ ତା’ ଦେହଟା ଘୋଷାରିନେଇ ବସିଲା ଓ ଡୋର୍‌ ବନ୍ଦ କଲା । ଓଦା କାନିରେ ହିଁ ଓଦାମୁହଁକୁ ପୋଛି ଆଣିଲା ।
ଗାଡି ଚାଲିଲା । ତା’ ଛାତି ଖୁବ୍‌ ଜୋରରେ ଧଡ଼ଧଡ଼ ହେଉଥିଲା – ଆବେଗ ଓ ଉଦ୍‌ବେଗ ଯୋଗୁଁ ହଠାତ୍‌ ତା’ ମୁହଁ ବିକୃତ ହେଲା । ସିଗାରେଟର ଉତ୍କଟ ଗନ୍ଧ । ତା’କୁ ସବୁକାଳେ ଯାହା ବଡ ଅସହ୍ୟ ଲାଗେ ।
କାର୍‌ ଚାଳକ ତଳ ଓଠକୁ ଉପର ଦାନ୍ତରେ ଖୁବ୍‌ ଜୋରରେ ଚାପି ଧରିଥିଲେ । ସେ କିଛି ଅନୁମାନ କଲେ କି କ’ଣ ବାମହାତରେ ଗ୍ଲୋବ୍‌ ବକ୍ସ ଖୋଲି ପର୍ଫ୍ୟୁମ୍‌ ଶିଶି ବାହାର କଲେ ଓ ଚାରିଆଡେ ସ୍ପ୍ରେ କଲେ । ତୀବ୍ର ଗନ୍ଧ ଅପସରି ହାଲ୍କା ମିଠା ବାସ୍ନା ଖେଳିଗଲା ।
ସେ କଣେଇ ଚାହିଁ ଦେଖିଲା – ଗ୍ଲୋବ୍‌ ବକ୍ସରେ ଥାକେ ସିଗାରେଟ୍‌ ପ୍ୟାକେଟ୍‌ । ଡ୍ୟାସ୍‌ ବୋର୍ଡ୍‌ ଉପରେ ବି ଖୋଲା ସିଗାରେଟ୍‌ ପ୍ୟାକେଟ୍‌ ଗୋଟିଏ । ଛାତି ଚିରି ଦୀର୍ଘଶ୍ୱାସଟିଏ ବାହାରି ଆସିଲା ତା’ର । ମୁହଁ ବୁଲେଇନେଲା ସେ ।
ସେ ଆଖି ବୁଜିଲା । ହେଲେ ଖୋଲା ପଲକରେ ଯାହା – ବୁଜା ପଲକ ତଳେ ବି ତାହା । ଓଠ ଚାପି ଧରିଲେ ଦମ୍ଭ ଆସେ କି? କେଜାଣି! ତଥାପି ଚେଷ୍ଟା କଲା ।
ନୀରବତାର ବି ଏକ ନିଜସ୍ୱ ସ୍ୱର ଥାଏ । ନୀରବୀ ଯାଇଥିବା ମନ ହିଁ ତା’କୁ ନୀରବରେ ଅନୁଭବିପାରେ ।
କିଛି ସମୟ ପରେ କାର୍‌ ଅଟକିଲା ।
ଆରେ! କେଉଁଠିକୁ ଆସିଗଲେ ସେମାନେ!! ଇଏ ସାଂସାରିକ ଜଞ୍ଜାଳ ଜନିତ ଅନ୍ୟମନସ୍କତା କି ଆବେଗ ବତୁରା ସ୍ମୃତିମନସ୍କତା !!!
ଦୁହିଁଙ୍କ ମନ ଭିତରେ ଏକ କୋମଳ କୋଳାହଳ!!!!
କୋଡିଏ ବର୍ଷ ପୂର୍ବେ ଛାଡି ଯାଇଥିବା କଲେଜ କ୍ୟାମ୍ପସ୍‌ ସତେ କି ସେମାନଙ୍କୁ ସ୍ୱାଗତ କରୁଥିଲା । ସେ ଜାଗାର ପରିବେଶ କି ପରିପାଟୀ ଏତେ ଟିକିଏ ବି ବଦଳିନି । କ୍ୟାମ୍ପସର ଅପେକ୍ଷାକୃତ ଏଇ ନିଛାଟିଆ ସ୍ଥାନରେ ଥିବା ସେଇ ଝଙ୍କା ରାଧାଚୂଡା ଗଛ, ସେଇ ଚଉତରା – ଯେଉଁଠି ସେମାନେ ନିତି ପ୍ରତିଦିନ ବସୁଥିଲେ, ସମସ୍ତଙ୍କ ‘ଲଭ୍‌ ବାର୍ଡ’ କମେଣ୍ଟ ଶୁଣି ପରସ୍ପରକୁ ଅନେଇ ଚୁପଚୁପ୍‌ ହସୁଥିଲେ – ଠିକ୍‌ ସେଇମିତି ଅଛି । କଲେଜ ଛୁଟି ହେଇ ସାରିଥିବାରୁ ଓ ବର୍ଷା ଯୋଗୁଁ ଏବେ ସମ୍ପୂର୍ଣ୍ଣ ନିର୍ଜନ ଯଦିଓ ।
ପରସ୍ପରକୁ ଏବେ ସିଧା ଚାହିଁଲେ ଦୁହେଁ । ଉଭୟଙ୍କ ହୃଦୟ ଚିରି ଶବ୍ଦମାନେ ନିଃଶବ୍ଦରେ ଶବ୍ଦାୟିତ ହେଉଥିଲେ ।
: ଏତେବେଳ ଧରି ତୁ ଚୁପ୍‌ ରହିବା ମୁଁ ଏଇ ପ୍ରଥମ ଦେଖୁଛି । କିଛି ବି ପଚାରିବୁନି?
: ତମେ ଖୁବ୍‌ କମ୍‌ କହୁଥିଲ – ଖୁବ୍‌ ବେଶୀ ଶୁଣୁଥିଲ । ଏବେ ବି ସେମିତି? ହେଲେ କେମିତି ଚିହ୍ନିପାରିଲ ମୋତେ ଏତେ ବର୍ଷ ପରେ କାର୍‌ ଭିତରୁ – ପୁଣି ମୋତେ ପାସ୍‌ କରୁକରୁ ??
: ହୃଦୟରେ ଚିହ୍ନ ଛାଡି ଯାଇଥିବା ମଣିଷଟା କେବେ କ’ଣ ଅଚିହ୍ନା ହୁଏ ? ଅନେକବେଳୁ ଦୂରରେ ଥାଇ ତୋତେ ଦେଖୁଥିଲି । କିଛିଟା ସନ୍ଦୀହାନ ଥିଲି । ହେଲେ କାର୍‌ ମିରରରେ ତୋତେ ଖୁବ୍‌ ପାଖରୁ ଦେଖିବା ପରେ ମୋର ଆଉ ସନ୍ଦେହ ରହିଲାନି । ଖୁବ୍‌ ଝଡିଯାଇଛୁ କିନ୍ତୁ । ଦେହର ଯତ୍ନ ନେଉନୁ ଜମା ।
: କି ଚେହେରା ହେଲାଣି ତମର ? ଏତେ ବେଶୀ ସିଗାରେଟ୍‌ ପିଉଛ ?? ଅବଶ୍ୟ ସେ ବେଳେ ବି ଏଇ ବଦଭ୍ୟାସକୁ କୋଉ ଛଡେଇ ପାରିଥିଲି ଯେ ମୁଁ !
: ସିଗାରେଟ୍‌ ହିଁ ତ ସେଇ ଗୋଟିକ ଆଶ୍ରା ମୋର – ତୋତେ ମନେ ପକେଇଦିଏ ଓ ଭୁଲେଇ ବି ଦିଏ । ସିଗାରେଟ୍‌ ଧୂଆଁରେ ଏବେ ବି ତୋ ମୁହଁ, ପାଉଁଶରେ ଏବେ ବି ତୋ ସ୍ମୃତି !
: ଏମିତି ବି ପୁଣି ଥରେ ଦେଖାହୁଏ ଜୀବନରେ ? ମୁଁ ତ ସ୍ୱପ୍ନରେ ବି ଭାବି ନ ଥିଲି । ଏ ପୁରୁଣା ସହରରେ କେମିତି ତମେ ? ବୁଲି ଆସିଛ ?? ଏକା କି ପରିବାର ସହ ???
: ପୃଥିବୀ ଗୋଲ୍‌ । ଆରମ୍ଭ ଓ ଶେଷ ବିନ୍ଦୁ ଏକ । ତେଣୁ ଆମର କେବେ ଦିନେ ଦେଖା ହବାଟା ତ ସୁନିଶ୍ଚିତ ଥିଲା । ଦି’ ଦିନ ପାଇଁ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଏ ସହରକୁ ଆସିବା ଅବସରରେ ତୋ ସହିତ ଏମିତି ଅଚାନକ ଦେଖାହବାଟା ହୁଏତ ବିଧି ନିର୍ଦ୍ଧାରିତ ।
: ଉଭୟଙ୍କ ପରିବାରର ଧାର୍ମିକ ଭାବନାକୁ ସମ୍ମାନ ଦେଇ ଆମେ ଆମ ହୃଦୟର ଭାବାବେଗକୁ ଚାପିଦେଇ ଭିନ୍ନ ବାଟ ବାଛିବାକୁ ବାଧ୍ୟ ହେଇଥିଲେ । ପରସ୍ପର ଠିକଣା ନ ଜାଣିବାକୁ ଆମେ ବଚନବଦ୍ଧ ହେଲେ । ଜାଣ, ନୈଷ୍ଠିକ ହିନ୍ଦୁ ହେଇ ବି ମୁଁ ପ୍ରତି ଏକ୍ସମାସ୍‌ ବେଳେ ନିଶ୍ଚୟ ଚର୍ଚ୍ଚ ଯାଇ ବିଶ୍ୱ କଲ୍ୟାଣ ପାଇଁ ଯୀଶୁଙ୍କୁ ପ୍ରାର୍ଥନା କରେ । ମୁଁ ତମକୁ ଉପହାର ଦେଇଥିବା ଜଗନ୍ନାଥଙ୍କ ସୁନାବେଶ ଫଟୋ ଅଛି ତମ ପାଖରେ ?
: ତୁ ଦେବା ଜଗନ୍ନାଥଙ୍କ ଫଟୋଟି ମୁଁ ଲୁଚେଇ ରଖିଛି ମୋ ବ୍ୟକ୍ତିଗତ ଆଲମିରାରେ । ଆଉ ଠାକୁରଙ୍କ ସତ୍ତାକୁ ମୋ ହୃଦୟ ଭିତରେ ।
ଦୁହେଁ ନୀରବ ଥିଲେ ଯଦିଓ ଉଭୟେ ପରସ୍ପରକୁ ଗଭୀର ଭାବେ ଅନୁଭବି ପାରୁଥିଲେ । ରାଧାଚୂଡା ଗଛଟି ଅନେକ ଦିନ ପରେ ନିଜ ପ୍ରିୟ ମଣିଷ ଦୁହିଁଙ୍କୁ ପାଖରେ ପାଇ ରହି ରହିକା କିଛି ଫୁଲ ବିଂଛି ଦଉଥିଲା ।
ଏବେ ଉଭୟଙ୍କ ଆଖିରେ ହାବୁକା ହାବୁକା ଲୁହର ଢେଉ ।
ବ୍ୟାକ୍‌ ଗିଅରରେ ହାତ ଦେଲେ ସେ ।

Leave A Reply

Your email address will not be published.