oum

ନିଷ୍କ୍ରିୟ ହେଲା “ୟାସ”ର ପ୍ରଭାବ : ପାରାଦୀପରେ ଜିରୋ କାଜୁଆଲ୍‌ଟି ଅଭିଯାନ ସଫଳ

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମେ ୨୬ ତାରିଖ ବୁଧବାର ଦିନ ବାତ୍ୟା “ୟାସ” ପାରାଦୀପ ନିକଟ ଦେଇ ବାଲେଶ୍ୱର ଓ ଦୀଘାରେ ଲ୍ୟାଣ୍ଡଫଲ କରିବାର ଆକଳନ କରିଥିଲା ଏବଂ ଏହି ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୮୫ ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷାର ସୂଚନା ଦିଆଯାଇଥିଲା । ଏହି ବାତ୍ୟାର ଆଖି ବା ମଧ୍ୟସ୍ଥଳ ୩୫କି.ମି. ବ୍ୟାସାର୍ଦ୍ଧ ଥିବା ପାରାଦୀପର ଡଫଲର ରାଡର ସୂଚନା ଦେଇଥିଲା । ତେବେ ବୁଧବାର ପ୍ରତ୍ୟୁଷରେ ବାତ୍ୟା ୟାସ୍‌ ପାରାଦୀପରୁ ପ୍ରାୟ ୮୦କି.ମି. ଦୂରରେ ତାର ଦିଗ ପରିବର୍ତ୍ତନ କରି ବାଲେଶ୍ୱର ଓ ଦୀଘା ଆଡକୁ ଗତି କରିଥିଲା । ଯାହା ଫଳରେ ସୌଭାଗ୍ୟ ବଶତଃ ପାରାଦୀପ ବନ୍ଦର ତଥା ଜଗତ୍‌ସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଂଚଳରେ ଏହା ବିଶେଷ କ୍ଷତି ଘଟାଇ ପାରିନଥିଲା । ତେବେ ସାମ୍ଭାବ୍ୟ ବାତ୍ୟା ବିପଦ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଅନୁଯାୟୀ ଜଗତ୍‌ସିଂହପୁର ଜିଲ୍ଲା, ପାରାଦୀପ ବନ୍ଦର ଓ ପୋଲିସ ପ୍ରଶାସନ ପ୍ରମୁଖ ଏହି ବାତ୍ୟା ସମୟରେ ଶୂନ୍ୟ ଜୀବନ ହରାଇବା ଉପରେ ଗୁରୁତ୍ୱାରୋପ କରି ଏହି ଅଭିଯାନରେ ସକ୍ରିୟ ଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତି, ତଳିଆ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରଣ ଓ ସେମାନଙ୍କ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ପାରାଦୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାରଙ୍କ ମାର୍ଗଦର୍ଶନରେ ବନ୍ଦର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୬ଟି ବାତ୍ୟା ଆଶ୍ରୟସ୍ଥଳରେ ବନ୍ଦରାଞ୍ଚଳ ତଳିଆ ବସ୍ତିର ୧୫ଶହ ସ୍ଥାନାନ୍ତରିତ ଲୋକଙ୍କୁ ରାଖାଯାଇ କୋଭିଡ୍‌ ନିୟମ ପାଳନ ପୂର୍ବକ ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଏତତ୍‌ବ୍ୟତୀତ ସହରରେ ରାସ୍ତାଘାଟରେ ଉପୁଡିଥିବା ଗଛ କାଟିବା ଓ ସଫା କରିବା ପାଇଁ ସିଆଇଏସ୍‌ଏଫ ଅଗ୍ନିଶମ ବିଭାଗ ଓ ପେଲୋଡର ବ୍ୟବସ୍ଥା କରାଯାଇଥିଲା । ସେହିପରି ସାମ୍ଭାବ୍ୟ ବିପଦ ଦୃଷ୍ଟିରୁ ପାରାଦୀପରେ ୨୪ ଜଣିଆ ଦୁଇଟି ଓଡ୍ରାଫ ଟିମ ଓ ୨୩ ଜଣିଆ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପ୍ରସ୍ତୁତ ରହିଥିଲେ । ଏତଦ୍‌ବ୍ୟତୀତ ପାରାଦୀପ ସବଡିଭିଜନରେ ୩ ପ୍ଲାଟୁନ ପୋଲିସ ଫୋର୍ସ ପ୍ରସ୍ତୁତ ରହିଥିବା ବେଳେ ପାରାଦୀପ ପୋଲିସ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲଙ୍କ ଠାରୁ ପ୍ରକାଶ ।
ତେବେ ପାରଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ, ବନ୍ଦର ସମେତ ସହରାଞ୍ଚାଳରେ ବିଶେଷ ବଡ ଧରଣର କ୍ଷୟକ୍ଷତି ହୋଇ ନଥିଲା । ବାତ୍ୟା ସମୟରେ ବନ୍ଦର ଅଧିକାରୀ ଓ କର୍ମଚାରୀ ମାନଙ୍କ ସାହାସିକ କାର୍ଯ୍ୟ ପାଇଁ ବନ୍ଦରାଧ୍ୟକ୍ଷ ବିନୀତ କୁମାର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ସୂଚନା ଥାଉକି, ଏହି ବାତ୍ୟା ସମୟରେ ବିଦ୍ୟୁତ୍‌ ଓ ଜଳ ଯୋଗାଣ ନିରବଚ୍ଛିନ୍ନ ଭାବେ ଅବ୍ୟାହତ ରହିଥିଲା ଏବଂ ଆସନ୍ତା କାଲି ଗୁରୁବାର ସକାଳ ଠାରୁ ଜାହାଜ, ପଣ୍ୟ କାରବାର ସ୍ୱାଭାବିକ ହେବା ସଙ୍ଗେ ସଙ୍ଗେ ଟ୍ରକ ଓ ରେଲୱେ ପରିବହନ ଆଜି ସଂନ୍ଧ୍ୟା ଠାରୁ ଚଳାଚଳ ହେବ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ବନ୍ଦରାଞ୍ଚଳର ସୀମାରେ ଅବସ୍ଥିତ ମୁନିସିପାଲିଟି ଅଧିନସ୍ଥ ତାରେଣୀଗଡା ଅଂଚଳରେ ୫୦ହଜାରରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଥିଲେ ମଧ୍ୟ ବାତ୍ୟା ଆରମ୍ଭ ସମୟରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଥିଲା । ଅଦ୍ୟାବଧି ବାତ୍ୟାର ପ୍ରକୋପ କମି ଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ନହୋଇଥିବା ଯୋଗୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବିଦ୍ୟୁତ୍‌ ନଥିବା ଯୋଗୁଁ ଅଚଳାବସ୍ଥା ସୃଷ୍ଟି ହୋଇଛି । ବର୍ତ୍ତମାନ ସମୟରେ ପିଲାମାନଙ୍କର ପାଠପଢା, ପରୀକ୍ଷା ଅନ୍‌ଲାଇନ୍‌ରେ ଚାଲୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ଏବାବଦରେ ସ୍ଥାନୀୟ ଲାଇନ୍‌ ମ୍ୟାନ ଦୋରାବାବୁଙ୍କୁ ଫୋନ ଯୋଗେ ପଚାରିବାରୁ ଉତ୍ତରରେ କହିଲେ ଚେଷ୍ଟା ଚାଲିଛି ଆସନ୍ତା କାଲି ବିଦ୍ୟୁତ ସଂଯୋଗ କରାଯିବ । ତେବେ ପାରାଦୀପରେ ବାତ୍ୟା ଟଳିଯାଇଥିବାରୁ ସାଧାରଣରେ ଆଶ୍ୱସ୍ଥି ପ୍ରକାଶ ପାଇଛି । ଏବେ ବାତ୍ୟା ପରେ ପୁଣି କରୋନା ଚିନ୍ତା ବୋଲି ସାଧାରଣରେ ଶୁଣିବାକୁ ମିଳିଲାଣି ।

Leave A Reply

Your email address will not be published.