ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗିରି ଗୋବର୍ଦ୍ଧନ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଯାଦବ ସମାଜ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଯଦୁପତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମର ସଭାପତି ଭରତ ଲାଲ ରାଉତଙ୍କ ସଭାପତିତ୍ୱରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ଉତ୍କଳ ଯାଦବ ମହାସଭାର ମହାସଚିବ ଲମ୍ବୋଦର ନିଆଲ, ବିଶିଷ୍ଟ ଅତିଥି ହରେରାମ କୋଠାର, ମୁଖ୍ୟବକ୍ତା ପ୍ରେମସିନ୍ଧୁ ହେର୍ଣ୍ଣା, ସମ୍ମାନିତ ଅତିଥି ରାମଲାଲ ହଂସ, ଯୈବନ ସଲମା, ଲିଙ୍ଗରାଜ ଘିଭେଲା, ଘନଶ୍ୟାମ କଁରୁଆ, ରାମଚନ୍ଦ୍ର କଟା, ସତ୍ୟବ୍ରତ ଗହୀର, ଚଞ୍ଚଳ ସଗଡିଆ, ସୁରେଶ ବାଗ, ଯୁଧିଷ୍ଠିର ସଗଡିଆ, କିର୍ତ୍ତନ ପୋଡ଼, ତ୍ରିନାଥ ପୁଞ୍ଜି, ବିଷ୍ଣୁପତି ବାଗ, ତାରାଚନ୍ଦ ଥପା, ମାଲଖମ ନାଗ, ବୃନ୍ଦା କଟା, ନିତ୍ୟାନନ୍ଦ କଟା, ଲକ୍ଷ ରାମ ଷାଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ବୈଠକରେ ନୂଆପଡ଼ା ଜିଲ୍ଲାରେ ୧୯୯୯ ମସିହାରେ ନୂତନ ଭାବରେ ଜିଲ୍ଲା ଯାଦବ ସମାଜ ଗଠନ ହୋଇ ନୂତନ ସାମାଜିକ ନିୟମାବଳୀ ପ୍ରଚଳିତ ହୋଇଥିଲା । ଏହାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କେମିତି ହେବ, ଯାଦବ ସମାଜର ବିକାଶ କେମିତି ହେବ, ଯାଦବ ସମାଜରେ ବାଲ୍ୟବିବାହ ବନ୍ଦ କେମିତି ହେବ, ସମାଜର ବିଭିନ୍ନ ଦିଗ ଯଥା ଶିକ୍ଷା, ସଂସ୍କାର, କୃଷି କାର୍ଯ୍ୟ, ଗୋପାଳନ, ବାଣିଜ୍ୟ, ରାଜନୈତିକ, ନିଯୁକ୍ତି କ୍ଷେତ୍ରରେ ଯାଦବ ସମାଜର ଲୋକମାନେ ଅଗ୍ରଗତି କେମିତି କରିବେ, ମହିଳା ଶାଖା ଗଠନ, ଯୁବ ଯାଦବ ଗଠନ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକର ଯାଦବ ସମାଜ ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ଆଞ୍ଚଳିକ କେନ୍ଦ୍ରର ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ମାଦି ମେମ୍ବର ଓ ଯାଦବ ଭାଇବନ୍ଧୁମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଣୀମୁଣ୍ଡା ଆଞ୍ଚଳିକ କେନ୍ଦ୍ର ଓ ଲିଟିସରଗି ଆଞ୍ଚଳିକ କେନ୍ଦ୍ରର ବିଶେଷ ସହଯୋଗ ରହିଛି ।