- ଅକ୍ଟୋବର ୩୦ ତାରିଖ ସୁଦ୍ଧା ବୃହତ୍ତମ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ
- ସମସ୍ତ ଗ୍ରାମପଞ୍ଚାୟତ ଅଧିକାରୀମାନଙ୍କୁ ଦକ୍ଷତା ଭିତ୍ତିରେ କାର୍ଯ୍ୟକରି ସମ୍ପନ୍ନ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତାଗିଦ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୁସ୍ଥ ଓ ନିର୍ଭୁଲ ନିର୍ବାଚନ ସକାଶେ ସମ୍ପୂର୍ଣ୍ଣ-ନିର୍ଭୁଲ ଭୋଟର ତାଲିକାର ଆବଶ୍ୟକତା ରହିଛି । ଏଣୁ ଭୋଟର ତାଲିକା ସଂଶୋଧନ ଦିଗରେ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି । ଚଳିତ ମାସ ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନିର୍ଭୁଲ ତଥ୍ୟ ଥିବା ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ଗ୍ରାମ ପଞ୍ଚାୟତ ଅଧିକାରୀମାନଙ୍କୁ କୁହାଯାଇଛି । ଯେଉଁମାନେ ସ୍ଥାନାନ୍ତରୀତ ହୋଇଥିବେ କିମ୍ବା ମୃତ୍ୟୁବରଣ କରିଥିବେ ସେମାନଙ୍କ ନାମ ବାଦ୍ କରିବା ବେଳେ ସତର୍କ ଏବଂ ସଠିକ ସୂଚନା ଥାଇ ବାଦ୍ କରିବା ପାଇଁ କୁହାଯାଇଅଛି । ସୋମବାର ଭିଡିଓ କନଫରେନ୍ସିଂରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଜଣାଇଥିଲେ ଯେ, ୨୦୧୧ ମସିହା ଜନ ଗଣନା ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ କରାଯାଉଅଛି । ଭୋଟଗ୍ରହଣ କେନ୍ଦ୍ରଗୁଡିକ ବର୍ତ୍ତମାନଠାରୁ ଚିହ୍ନଟ କରି ସେଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ପ୍ରାୟତଃ ୨୦୧୭ ନିର୍ବାଚନରେ ବ୍ୟବହୃତ ହୋଇଥିବା ଭୋଟ୍ ଗ୍ରହଣ କେନ୍ଦ୍ର ଅନୁଯାୟୀ ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତ ହେବ । ଭୋଟ ଗଣତି କେନ୍ଦ୍ରଗୁଡିକ ମଧ୍ୟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଭୋଟ୍ ଗଣତି କେନ୍ଦ୍ର ସ୍ଥଳରେ ହିଁ ଯେପରି ଷ୍ଟ୍ରଙ୍ଗ ରୁମ୍ର ବ୍ୟବସ୍ଥା ହେବ ସେହିଭଳି ସୁବିଧା ଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ସମସ୍ତ ବ୍ୟବସ୍ଥା ଉପଲବ୍ଧ ହେବା ଭଳି ସ୍ଥାନଗୁଡିକରେ ଭୋଟ୍ ଗଣତି କେନ୍ଦ୍ର ହେବ । ବୈଠକରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।