ନୂଆପଡ଼ା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା ଭିଜଲାନ୍ସ ଜାଲରେ ପଡିଥିବା ଜଣାପଡିଛି । ସୂଚନା ଅନୁସାରେ, ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡାର ନିତ୍ୟାନନ୍ଦ ହିଆଲ ସହ ତାଙ୍କ ପରିବାରର ୮ ଜଣ ଏବଂ ତାଙ୍କ ଗାଁର ୭ ଜଣ ଆବାସିକ ପ୍ରମାଣ ପତ୍ର ପାଇଁ ୩୦ ହଜାର ଟଙ୍କା ଦେବା ପାଇଁ ତହସିଲଦାରଙ୍କ ସହ କଥା ହୋଇଥିଲେ । ପୂର୍ବ କଥା ଅନୁଯାୟୀ, ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଡ଼ିଏସପି ଦୀନବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ ଦଳ ତହସିଲଦାର କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ । ଏହି ଚଢାଉ ବେଳେ କଳାହାଣ୍ଡି ଡ଼ିଏସପି ସଦାନନ୍ଦ ପାଣି, ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନା ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ଏନେଇ ଭୋଳା ମହେଶ୍ଵର ଦଣ୍ଡସେନାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।