ବଜରଙ୍ଗ-ଭୀମ ଆର୍ମି କର୍ମୀ ମୁହାଁ ମୁହିଁ : ଉତ୍ତେଜନା ପ୍ରକାଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହନୁମାନ ଜୟନ୍ତୀ ଏବଂ ଆମ୍ବେଡ଼କର ଜୟନ୍ତୀ ଅବସରରେ ଗତକାଲି ସନ୍ଧ୍ୟାରେ ସବୁଠି ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବା ବେଳେ ବରଗଡ଼ ଜିଲ୍ଲାର ଗୋଡ଼ଭଗା ବଜରଙ୍ଗ ଦଳ ଏବଂ ଭୀମଆର୍ମି ଦଳର କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଇକ୍‌ ଭଙ୍ଗାରୁଜା ସହିତ ମାଡ଼ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା । ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ଯୋଗୁ ଅତାବିରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରକାଶ ଯେ, ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଛକରେ ବଜରଙ୍ଗ ଦଳ କର୍ମୀମାନେ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ । ସେହି ସମୟରେ ଭୀମ ଆର୍ମି ଦଳର କର୍ମୀମାନେ ଶୋଭାଯାତ୍ରା ସାରି ଫେରୁଥିଲେ । ଘଟଣା ସ୍ଥଳରେ କୌଣସି କାରଣରୁ ସେଠାରେ ଉଭୟ ଦଳ ମଧ୍ୟରେ ଠେଲାପେଲା, ମାଡ଼ପିଟ୍‌ ଏବଂ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ପୋଲିସ ୩ଟି ଟ୍ରାକ୍ଟର ଏବଂ ବହୁସଂଖ୍ୟକ ବାଇକ୍‌ ଜବତ କରି ଅତାବିରା ଥାନାକୁ ଆଣିଥିଲା । ଅନ୍ୟପଟେ ଭଙ୍ଗା ଯାଇଥିବା ବାଇକ୍‌ର କ୍ଷତିପୂରଣ ଦାବୀ କରି ଭୀମଆର୍ମି ଦଳର କର୍ମୀମାନେ ଅତାବିରାରେ ପହଞ୍ଚିଥିଲେ । ସେଠାରେ ରାଜପଥରେ ବସି ବଜରଙ୍ଗ ଦଳର ଶୋଭାଯାତ୍ରାକୁ ଅଟକାଇଥିଲେ । ଫଳରେ ଅତାବିରା ବସ୍ତି ସମ୍ମୁଖରେ ବଜରଙ୍ଗ ଦଳର ଶୋଭାଯାତ୍ରା ଅଟକି ରହି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲ, ଏସ୍‌ଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରି ପରିସ୍ଥିତିକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.