jayashree

୨୭ ତାରିଖରୁ ଛତ୍ରପୁରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ମଇ ମାସ ୨୭ ତାରିଖରୁ ଛତ୍ରପୁରର ଐତିହାସିକ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ବିଗ୍ରହ ମାର୍ବଲ ମୂର୍ତ୍ତି ସ୍ଥାପନା ଓ ପ୍ରତିଷ୍ଠା ଉତ୍ସବ ଯଥା ରୀତିନୀତି ଅନୁଯାୟୀ ଯଜ୍ଞାନୁଷ୍ଠାନ ସାମାରୋହ ଆରମ୍ଭ ହେବ । ଏହି ବର୍ଣ୍ଣାଢ଼୍ୟ ଧର୍ମାନୁଷ୍ଠାନ ସମାରୋହରେ ସହରର ବୁଦ୍ଧିଜୀବରୀଙ୍କ ଆକୁଣ୍ଠିତ ସହଯୋଗ କାମନା କରାଯାଇଛି । ଏନେଇ ବୁଧବାର ମଧ୍ୟାହ୍ନରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଏକ ପ୍ରେସ୍‌ମିଟ ଅନୁଷ୍ଠିତ ହୋଇ ବିବିଧ ବିଷୟରେ ସୂଚନା ପ୍ରଦାନ କରାଯାଇଛି ।

ଛତ୍ରପୁର ସହର ତାଡେପଲ୍ଳୀସାହିରେ ଅବସ୍ଥାପିତ ପୁରାତନ ଜଗନ୍ନାଥ ମନ୍ଦିର ୧୮୯୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୧୯୨୦ ମସିହାରେ ଚିକିଟି ରାଜବଂଶର ରାଜାଙ୍କ ପୃଷ୍ଠପୋଷକତା ଲାଭ ପରେ ଏହି ମନ୍ଦିରର ଧୀରେ ଧୀରେ ଉନ୍ନତିର ଅଗ୍ରଗତି କରିଥିବା ହେତୁ ଏହି ମନ୍ଦିରର ନାମ ଲୋକମୁଖରେ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭାବେ ଖ୍ୟାତ ହେଲା । ଗତ ୧୯୮୮ ମସିହାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେବଙ୍କ ପଦାର୍ପଣ ହୋଇଥିଲା । ଏପରିକି ବହୁ ସାଧୁସନ୍ଥଙ୍କର ଏଠାରେ ପଦାର୍ପଣ ହୋଇଆସିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମନ୍ଦିର ଖ୍ୟାତିସମ୍ପନ୍ନ ହୋଇଉଠିଲା । ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କ ପରିବର୍ତ୍ତନ କରାଯାଇ ନୂତନ ମାର୍ବଲ ମୂର୍ତ୍ତି ସ୍ଥାପନ ତଥା ନୂତନ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହୋଇ ଏହି ସମ୍ଭାର ଜୁନ୍ ୨ ତାରିଖରେ ସମ୍ପନ୍ନ ହେବ ବୋଲି କୁହାଯାଇଛି । ଏହି ଅବସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ବିଷଦ ସୂଚନା ଦିଆଯାଇଛି । ଏହି ଅବସରରେ ୨୭ ତାରିଖରେ ୧୦୮ ହନୁମାନ ଚାଳିଶା, ୨୮ ତାରିଖରେ କଳସ ଯାତ୍ରା, ଅଙ୍କୁରା ରୋପଣ, ୨୯ ତାରିଖରେ ଯଜ୍ଞାନୁଷ୍ଠାନର କର୍ମାରମ୍ଭ, ୩୦ ତାରିଖରେ ନୂତନ ବିଗ୍ରହ ପ୍ରତିଷ୍ଠା, ୩୧ ତାରିଖରେ ନାମଯଜ୍ଞ, ୧ ତାରିଖରେ ଦେବତାମାନଙ୍କର ଆବାହନ ଓ ସିଂହାସନାରୋହଣ ଏବଂ ୨ ତାରିଖରେ ଦଧିଭାଣ୍ଡ ଭଗ୍ନ, ନଗର କୀର୍ତ୍ତନ ଯମୁନାସ୍ନାନ ହେବ ବୋଲି ସୂଚନା ପ୍ରଦତ୍ତ ହୋଇଛି । ସ୍ଥାନୀୟ ଜନସାଧାରଣ ଏହାର ସୁଯୋଗ ନେଇ ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ଜଗବନ୍ଧୁ ପାଣିଗ୍ରାହୀ, ସମ୍ପାଦକ ରମେଶ ଚନ୍ଦ୍ର ଚୌଧୁରୀ, ସୁଧିରକାନ୍ତ ରଥ, ଆଦିକନ୍ଦ ପାଣିଗ୍ରାହୀ, ସୁରେନ୍ଦ୍ର ନାଥ ପାଢୀ, ମନ୍ଦିରର ମୁଖ୍ୟ ପୂଜକ ରାଜେନ୍ଦ୍ର କୁମାର ଶତପଥି ଉପସ୍ଥିତ ଥିଲେ ।

Leave A Reply

Your email address will not be published.