ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ଓ ସତସଙ୍ଗ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ ସମ୍ମୁଖସ୍ଥ ପଡିଆରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଶୁଭ ଜନ୍ମ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ସତସଙ୍ଗ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସତସଙ୍ଗର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶିର୍ବାଦ ଓ ପୂଜ୍ୟପାଦ ଅବୀନ ଦାଦାଙ୍କ ପୂତ ପ୍ରେରଣାରେ ଏହି ଉତ୍ସବକୁ “ଐଶୀ ଯାଗୀ” ନାମରେ ନାମିତ କରାଯାଇଥିଲା । ଏହି ଉତ୍ସବକୁ ଜିଲ୍ଲାସ୍ତରୀୟ ଉତ୍ସବ କମିଟିର ମୁଖ୍ୟ ବରିଷ୍ଠ ସହ ପ୍ରତି ରିତ୍ୱିକ ରାଧାକାନ୍ତ ମିଶ୍ର, ବରିଷ୍ଠ ସହ ପ୍ରତି ରିତ୍ଵିକ ପ୍ରେମାନନ୍ଦ ଦାସ, ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ବବିତା ଭିତ୍ରିଆ, ରୋଟାରୀ କ୍ଲବର ସଭାପତି ଚିରବ୍ରତ ଦତ୍ତ ଆନୁଷ୍ଠାନିକ ରୂପେ ଉଦ୍‌ଘାଟନ କରିଥିଲେ । ବ୍ରାହ୍ମ ମୂହୁର୍ତ୍ତରୁ ବେଦମାଙ୍ଗଳିକି, ସାହନାଇ, ଉଷା କୀର୍ତ୍ତନ ସହ ସମବେତ ବିନତୀ ପ୍ରାର୍ଥନା ସହ ଗ୍ରନ୍ଥ ପାଠ କରାଯାଇଥିଲା । ଜିଲ୍ଲା ଓ ଜିଲ୍ଲା ବାହାରୁ ଆଗତ କଣ୍ଠଶିଳ୍ପୀ ମାନଙ୍କଦ୍ଵାରା ଏକ ପ୍ରାରମ୍ଭିକ ସଙ୍ଗୀତ “ଆର୍ଯ୍ୟ ଭାରତ ବର୍ଷ ଆମାର୍” ପରିବେଷଣ କରାଯାଇଥିଲା । ଅଭିଜ୍ଞ ବରିଷ୍ଠ ଡାକ୍ତରମାନଙ୍କ ଦ୍ଵାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଭଜନ କୀର୍ତ୍ତନ ସହ ବିଭିିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । ଏଥିରେ ମୟୂରଭଞ୍ଜର ଛଉ ନୃତ୍ୟ, କଳାହାଣ୍ଡିର ଘୁମୁରା ନୃତ୍ୟ, ଘୋଡ଼ା ନାଚ, ଓଡ଼ିଶୀ, ସମ୍ବଲପୁରୀ ଓ ସ୍ଥାନୀୟ କଳାକାରଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ସଦାଲୋଚନାରେ ବକ୍ତାମାନେ ଆଦର୍ଶ ପରିବାର ଗଠନ ସମ୍ପର୍କରେ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ଓ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଗୁରୁଭ୍ରତାମାନେ ନିଜ ନିଜ ଅନୁଭୂତି କହିଥିଲେ । ଆଜିର ପରିସ୍ଥିତିରେ ଶ୍ରୀ ଶ୍ରୀ ଠାକୁରଙ୍କ ଅମୀୟ ବାଣୀ ଓ ତାଙ୍କ ଜୀବନାଦର୍ଶ କେତେ ପ୍ରାସଙ୍ଗିକ ତାହା ବକ୍ତାମାନେ ଆଲୋଚନା କରିଥିଲେ । ଏଥିରେ ଦଶ ହଜାରରୁ ଅଧିକ ଭକ୍ତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ସମାଗମ ହୋଇଥିଲେ ଓ ଭଣ୍ଡାରାରେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ସହର ସମେତ ରାଉରକେଲା, ବଣେଇ, କୋଇଡା, ଟେନସା, ଲହୁଣିପଡା, ବୀରମିତ୍ରପୁର, ରାଜଗାଙ୍ଗପୁର, କୁଆରମୁଣ୍ଡା ଓ ଆଖପାଖ ଜିଲ୍ଲା ଓ ଭୁବନେଶ୍ୱର କଟକରୁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ଦୀକ୍ଷାପତ୍ର କାର୍ଯ୍ୟକ୍ରମ ସହ ୫୨ ଜଣ ନୂତନ ଭକ୍ତ ଶ୍ରୀ ଶ୍ରୀ ଠାକୁରଙ୍କ ସଦମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିଲେ । ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମ ପରିବେଶରେ ଏକ ଆଧ୍ୟାତ୍ମିକ ବାତାବରଣ ଜାଗରଣ କରିଥିଲା । ସନ୍ଧ୍ୟାରେ ସମବେତ ବିନତୀ ପ୍ରାର୍ଥନା ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Leave A Reply

Your email address will not be published.