ଏଚ୍‌ଏମ୍‌ପିଭି ଅପ୍‌ଡେଟ୍‌

  • ଶ୍ୱାସଜନିତ ସଂକ୍ରମଣ ଓ ପ୍ରତିକାରର ଷ୍ଟାଟସ ରିପୋର୍ଟ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ଶ୍ୱାସଜନିତ ସମସ୍ୟା ବୃଦ୍ଧିର ନଜିର ନାହିଁ, ତୀକ୍ଷ୍ଣ ସର୍ଭେଲାନ୍ସ ଲାଗି ନିର୍ଦ୍ଦେଶ
  • ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଲାଗି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ
  • ଆଇଏଲଆଇ ଓ ଏସ ଏଆରଆଇ ସର୍ଭେଲାନ୍ସ ମଜଭୂତ କରିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ, (ପିଆଇବି) : ଚୀନରେ ବ୍ୟାପୁଥିବା ଏଚ୍‌ଏମ୍‌ପିଭି ରୋଗର ଷ୍ଟାଟସ ତଥା ଆମ ଦେଶରେ ଶ୍ୱାସ ଜନିତ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ନେବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଭର୍ଚୁଆଲ ମୋଡରେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଆଲୋଚନା କରିଛନ୍ତି । ଡିଏଚ୍‌ଆର୍‌ ସଚିବ ଡଃ. ରାଜୀବ ବହଲ, ଡି.ଜି.ଏଚ୍‌.ଏସ୍‌. ଡଃ. ପ୍ରଫେସର ଅତୁଲ ଗୋଏଲ, ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ପଦାଧିକାରୀ, ଏନ୍‌ସିଡିସି, ଆଇଡିଏସ୍‌ପି, ଆଇସିଏମ୍‌ଆର୍‌, ଏନ୍‌ଆଇଭି ଓ ଆଇଡିଏସ୍‌ପି ରାଜ୍ୟ ୟୁନିଟର ବିଶେଷଜ୍ଞମାନେ ଏହି ବୈଠକରେ ଯୋଗଦେଇଥିଲେ । ମିଳିଥିବା ଆଇଡିଏସ୍‌ପି ଡାଟା ଅନୁସାରେ ଦେଶ ଭିତରେ ଆଇଏଲ୍‌ଆଇ କିମ୍ବା ଏସ୍‌ଏଆର୍‌ଆଇ ମାମଲାର ସେମିତି କିଛି ପରିବର୍ତ୍ତନ ଦେଖାଯାଇ ନଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟକୁ ଆଇସିଏମ୍‌ଆର ସର୍ଭେଲାନ୍ସ ଡାଟା ବି ପରିପୁଷ୍ଟ କରିଛି । ୨୦୦୧ ମସିହାରୁ ସମଗ୍ର ବିଶ୍ୱରେ ରହିଥିବା ଏହି ଭୂତାଣୁ ନେଇ ଆମ ଦେଶର ନାଗରିକମାନେ ଅଯଥା ବ୍ୟତିବ୍ୟସ୍ତ ହେବାର ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଆଇଏଲ୍‌ଆଇ ଓ ଏସ୍‌ଏଆର୍‌ଆଇ ସର୍ଭେଲାନ୍ସକୁ କଡାକଡି କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ସାଧାରଣତଃ ଶୀତ ଦିନରେ ଆମ ଦେଶରେ ଏଭଳି ଶ୍ୱାସ ଜନିତ ସଂକ୍ରମଣ ଦେଖିବାକୁ ମିଳିଥାଏ । ତେବେ ଏପ୍ରକାର ଅସୁସ୍ଥତାକୁ ପ୍ରତିହତ କରିବା ଲାଗି ଆମ ଦେଶ ଯଥେଷ୍ଟ ପ୍ରସ୍ତୁତ ରହିଥିବା ବିଭାଗୀୟ ସଚିବ କହିଛନ୍ତି ।
ସାଧାରଣତଃ ଶୀତ ଦିନ ଓ ବସନ୍ତ ଋତୁର ପ୍ରାରମ୍ଭରେ ଆମ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଏଚ୍‌ଏମ୍‌ପିଭି ଭୂତାଣୁ ପରି ରୋଗର ଶ୍ୱାସଜନିତ ପ୍ରଭାବ ଦେଖିବାକୁ ମିଳିଥାଏ । ଅନେକ କ୍ଷେତ୍ରରେ ଏପ୍ରକାର ଭୂତାଣୁ ମନକୁ ମନ ଭଲ ହୋଇଯାଇଥାଏ ବୋଲି ବି ସୂଚନା ଦିଆଯାଇଛି । ଆଇସିଏମ୍‌ଆର୍‌ – ଭିଆର୍‌ଡିଏଲ୍‌ ପରୀକ୍ଷାଗାରରେ ପର୍ଯ୍ୟାପ୍ତ ଡାଇଗ୍ନୋଷ୍ଟିକ ସୁବିଧା ରହିଥିବା ବି କୁହାଯାଇଛି । ଏପ୍ରକାର ଭୂତାଣୁ ସଂକ୍ରମିତ ନହେବା ଲାଗି ଲୋକମାନଙ୍କ ଭିତରେ ସଚେତନତା ତଥା ଆଇଇସି ବୃଦ୍ଧି ଉପରେ ନଜର ରଖିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି । ହାତକୁ ସାବୁନ ପାଣିରେ ଧୋଇବା, ଆଖି, ନାକ ଓ ପାଟିକୁ ଖାଲି ହାତରେ ନଛୁଇଁବା, ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ପାଖକୁ ନଯିବା, କାଶିବା ବା ଛିଙ୍କିବା ବେଳେ ନାକ ଓ ପାଟିକୁ ଘୋଡାଇ ରଖିବା ପରି ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.