ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଏବେ ମଧ୍ୟ ଅବହେଳିତ, ଖଣି ଖାଦାନରେ ଅଞ୍ଚଳରେ ମୁଖ୍ୟତଃ ଲୋକଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ପରିବେଶ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ନାହାନ୍ତି । ଫଳରେ ଲୋକମାନେ ଏବେ ମଧ୍ୟ ଏହି ମୈଳିକ ସୁବିଧା ପିଇବାକୁ ବଞ୍ଚିତ ହେଉଛନ୍ତି । ଅପରପକ୍ଷରେ ଏ ବିଷୟରେ ସ୍ଥାନୀୟ ପ୍ରତିନିଧିମାନେ ନିଜ ସରକାରମାନଙ୍କୁ ଅବଗତ ମଧ୍ୟ କରାଉନାହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ବିଜୟୀ ହେଲେ ଏଥିପ୍ରତି ଧ୍ୟାନ ଦେଇ ତାଙ୍କ ଅଭିଜ୍ଞତା ଦୃଷ୍ଟିରୁ ସ୍ୱର ଉତ୍ତୋଳନ କରିପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଚାର କମିଟିର ସଂଯୋଜକ ଜଗନ୍ନାଥ ପଟ୍ଟନାୟକ ପ୍ରକାଶ କରିଥିଲେ । ଆହୁରି ମଧ୍ୟ କହିଥିଲେ ଯେ, ବ୍ରଜରାଜନଗରବାସୀଙ୍କ ଅନେକ ସମସ୍ୟା ରହିଛି । ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଏ ପର୍ଯ୍ୟନ୍ତ ଧ୍ୟାନ ଦେଉନାହାନ୍ତି । ସେଥିମଧ୍ୟରୁ ରେଳ ଷ୍ଟେସନରେ ଗତ ଦିନରେ ଅନେକ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନର ରହଣି ହେଉଥିଲା କିନ୍ତୁ ବର୍ତ୍ତମାନ ଲୋକମାନେ ଏଇ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ କେନ୍ଦ୍ରରେ ରେଳମନ୍ତ୍ରୀ ଉଭୟ ବିଜେଡି ଓ ବିଜେପିର ମିଳିତ ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରହିଛନ୍ତି । ଏଥିପାଇଁ ସେମାନେ କିଛି ସୁବିଧା କରି ପାରୁନାହାନ୍ତି । ସେହିପରି ଗତ ଦିନରେ ବ୍ରଜରାଜନଗରକୁ ଏକ ଉପଖଣ୍ଡର ମାନ୍ୟତାର ପ୍ରତିଶୃତି ଦିଆଯାଇଥିଲା । ହେଲେ ତାହା ମଧ୍ୟ ପାଣିର ଗାର ହୋଇଗଲା । ବ୍ରଜରାଜନଗର ଆଜି ପର୍ଯ୍ୟନ୍ତ ସରକାରୀ କଲେଜ ନାହିଁ । ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ଏପରି ଅନେକ ସମସ୍ୟା ମଧ୍ୟରେ ବଞ୍ଚିଛନ୍ତି ବ୍ରଜରାଜନଗରବାସୀ, ଏହି ନିର୍ବାଚନରେ ସେମାନେ ଏହାର କଡ଼ା ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।