ଜଟଗଡ ଓ ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବରେ ମକା ଚାଷ ନଷ୍ଟ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗ୍ରାମପଞ୍ଚାୟତର ଜଟଗଡ଼, ସୋରିପଡ଼ାରେ ଜଙ୍ଗଲି ବରାହ ଉପଦ୍ରବ ଦେଖାଦେଇଛି । ଏଥିରେ ୧୦ ଏକର ମକା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ଜଟଗଡ଼ ଓ ସୋରିପଡ଼ାରେ ବରାହ ଉପଦ୍ରବ ଦେଖା ଦେଇଛି । ଏଥିରେ ଜଟଗଡ ଗାଁର ଚାଷୀ ଅନ୍ତ ସାହୁଙ୍କ ୧୦ ଏକର ମକା ଚାଷକୁ ଜଙ୍ଗଲି ବରାହମାନେ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଏହି ଚାଷୀ ଜଣକ ୧୦ ଏକର ମକା ଚାଷ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି । କିନ୍ତୁ ଅମଳ ପୂର୍ବରୁ ଚାଷ ନଷ୍ଟ ହୋଇଥିବାରୁ ସେ ଚିନ୍ତାରେ ପଡିଛନ୍ତି । ଏହି ଚାଷୀ ଧାର ଉଧାର କରି ପରିବାର ପ୍ରତିପୋଷଣ ପାଇଁ ଚାଷ କରିଥିଲେ । ଏବେ ମକାଚାଷ ନଷ୍ଟ ହୋଇଥିବାରୁ କେମିତି ପରିବାର ଚଳାଇବେ, ସେହି ଚିନ୍ତାରେ ଘାରି ହେଉଛନ୍ତି । ସେହିପରି ଅଞ୍ଚଳରେ ବରାହ ଉପଦ୍ରବ ହେତୁ ଅନେକ ଚାଷୀଙ୍କ ମଧ୍ୟ ମକାଚାଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ଜଟଗଡ ଓ ସୋରିପଡ଼ା ଏକ ଅଣଜଳସେଚିତ ଅଞ୍ଚଳ । ଏଠାରେ ପ୍ରତିବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ପରିସ୍ଥିତି ଦେଖା ଦେଉଛି । ଗତ କିଛିବର୍ଷ ହେବ ମରୁଡି ସହଣି କପା, ମକା ସହ ତୈଳବୀଜ ଜାତୀୟ ଫସଲକୁ ଚାଷୀ ଆପଣେଇ ନେଇଛନ୍ତି । ଚଳିତ ବର୍ଷ ଚାଷୀ ମକା ଚାଷରୁ ଭଲ ରୋଜଗାର କରିବାକୁ ଆଶା ବାନ୍ଧିଥିଲେ । କିନ୍ତୁ ବରାହ ଉପଦ୍ରବ ଯୋଗୁଁ ଚାଷୀ ଅନ୍ତ ସାହୁ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଚାଷୀଙ୍କ ବରାହ ଉପଦ୍ରବର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଜଟଗଡ଼ର ଅନ୍ତ ସାହୁ ଓ ଅନ୍ୟାନ୍ୟ ଚାଷୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.