ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କ ସପ୍ତାହକ ଭିତରେ ଦୁଇ ଦୁଇଟି ଅପୂର୍ବ ସଫଳତାର ସିଢି ଆରୋହଣ କରିବା ସହିତ ରାଉରକେଲାକୁ ଗୌରବାନ୍ୱିତ କରିଛି । ସମ୍ପର୍କର ପ୍ରାଣ ପ୍ରତିଷ୍ଠାତା ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ତଥା ନାଟ୍ୟଚର୍ଚ୍ଚା ପତ୍ରିକାର ସମ୍ପାଦକ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ସଙ୍କଳନ ଓ ସମ୍ପାଦନାରେ ଓଡ଼ିଶାର ପ୍ରଥମ ନାଟ୍ୟ ପ୍ରବନ୍ଧ ସଙ୍କଳନ ‘ନାଟ୍ୟ ପ୍ରବନ୍ଧ ମାନସ’ ଭୁବନେଶ୍ୱରର ସୂଚନା ଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ନୋଚିତ ହୋଇଯାଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟକ୍ରମ ଅଧିକାରୀ ଡ. ମିହିର କୁମାର ସାହୁ, ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଂଗ୍ରାମ କେଶରୀ ସ୍ୱାଇଁ, ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଭରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷକ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ସମର ମୁଦୁଲି, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ନାରାୟଣ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ୟ ଡ. ବିବେକାନନ୍ଦ ପାଣିଗ୍ରାହୀ ଏହି ପୁସ୍ତକର ପ୍ରକାଶକ ଶୁଭେନ୍ଦୁ ଶେଖର ପାତ୍ର, ସଂକଳ୍ପର ସଭାପତି ସୁବ୍ରତା ପତି ଯୋଗଦାନ କରିଥିଲେ । ୪୩୨ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଓଡ଼ିଶାର ୫୨ ଜଣ ବରିଷ୍ଠ ପ୍ରାବନ୍ଧିକଙ୍କ ୫୨ଟି କାଳଜୟୀ ପ୍ରବନ୍ଧ ସ୍ଥାନିତ ହୋଇଛି । ଏହା ଓଡ଼ିଆ ନାଟ୍ୟଜଗତର ଦୁଇ ଶହ ବର୍ଷର ଇତିହାସର ସ୍ୱାକ୍ଷର ବହନ କରିଛି । ଏହି ଅବସରରେ ଭଞ୍ଜ କଳା ମଣ୍ଡପରେ ସମ୍ପର୍କର କାଳଜୟୀ ଏକକ ନାଟକ ‘ଅନାମ ଆତ୍ମଲିପି’ ସଫଳତାର ସହିତ ମଞ୍ଚସ୍ଥ ହୋଇଥିଲା । ନାଟକର ରଚୟିତା ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର ଏକ ଘଣ୍ଟା ଧରି ନିଜର ନିଖୁଣ ଏକକ ଅଭିନୟରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଜଣେ ଅନାମଧେୟ ନାଟ୍ୟକାରଙ୍କ ଜୀବନୀ ଉପରେ ଆଧାରିତ ଏହି ନାଟକରେ ସହ ନିର୍ଦ୍ଦେଶକ ଥିଲେ ସୁରେନ୍ଦ୍ର ପାଢୀ, ପ୍ରଚ୍ଛଦ କଣ୍ଠଦାନ କରିଥିଲେ ଅଶୋକ ବଳ, ପୁଷ୍ପା ବିଶୋଇ ଓ ସସ୍ମିତା ବେକ୍। ସଙ୍ଗୀତ- ଶକ୍ତି ପ୍ରସାଦ ମିଶ୍ର, ଆଲୋକ, ରାକେଶ ଶତପଥୀ ଦେଇଥିବା ବେଳେ ଉପସଭାପତି ବିଜୟ ପାତ୍ର ମଞ୍ଚ ପରିଚାଳନା କରିଥିଲେ ।