ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ସୁପରିଚିତ ଅନ୍ଧକବି ଆଗଲପୁର ବ୍ଲକ ସାନଟୀକା ଗ୍ରାମ ବାସିନ୍ଦା ସୁରେଶ ନାଏକଙ୍କ ଦ୍ୱାରା ରଚିତ ଓ ପ୍ରକାଶିତ ପୁସ୍ତିକା ‘ଶ୍ରୀ ଜଳେଶ୍ୱର ବାବା ଓ ଜଗନ୍ନାଥ ଜଣାଣ’ ଆଜି ଶୁଭ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ପ୍ରସିଦ୍ଧ ଶୈବପୀଠ ସାନଟୀକା ସ୍ଥିତ ଜଳେଶ୍ୱର ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟି ସଭାପତି କହ୍ନେଇ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନେପାଳ ପଧାନ, ମୁଖ୍ୟ ବକ୍ତା ଭାବେ ନାରାୟଣ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସୁବଳ ମିଶ୍ର ଯୋଗ ଦେଇଥିଲେ । ଜଳେଶ୍ୱର ଶୈବପୀଠର ଅନାଲୋଚିତ ତଥା ଅଲୌକିକ କଥାବସ୍ତୁକୁ ଲୋକଲୋଚନକୁ ଆଣିବା ଦିଗରେ ଅନ୍ଧକବିଙ୍କ ପ୍ରୟାସକୁ ଅତିଥିବୃନ୍ଦ ଭୁୟସୀ ପ୍ରଶଂସା କରିଥିଲେ । ଦିଲୀପ କୁମାର ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପଣ୍ଡିତ ଶ୍ରୀୟାକାନ୍ତ ମିଶ୍ର, ଦଶରଥ ଦୀପ, ସଦାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।