- ନୂତନ ସମବାୟ ନୀତି ଆଗାମୀ ଦୁଇ ଦଶନ୍ଧି ପାଇଁ ଭାରତର ସମବାୟ ଆନ୍ଦୋଳନରେ ଏକ ମାଇଲଖୁଣ୍ଟ ହେବ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂତନ ସମବାୟ ନୀତି ୨୦୨୫ ର ଲକ୍ଷ୍ୟ ହେଉଛି ସମବାୟ କ୍ଷେତ୍ରକୁ ପୁନର୍ଜୀବିତ କରିବା ଏବଂ ଆଧୁନିକୀକରଣ କରିବା ସହିତ ତୃଣମୂଳ ସ୍ତରରେ ଏକ ରୋଡମ୍ୟାପ୍ ସୃଷ୍ଟି କରି ‘ସହକାର ସେ ସମୃଦ୍ଧି’ର ଦୃଷ୍ଟିକୋଣକୁ ସାକାର କରିବା
- ଏହି ନୂତନ ନୀତି ବର୍ତ୍ତମାନର ଆର୍ଥିକ ପରିଦୃଶ୍ୟରେ ସମବାୟ ସଂସ୍ଥାଗୁଡ଼ିକୁ ଜୀବନ୍ତ କରିବ ଏବଂ ବିକଶିତ ଭାରତ ୨୦୪୭ର ପରିକଳ୍ପନାକୁ ସହାୟକ ହେବ
ଜାତୀୟ ସମବାୟ ନୀତି ୨୦୨୫ ବ୍ୟାପକ ସ୍ତରରେ ନିଯୁକ୍ତି ଏବଂ ଜୀବିକା ସୁଯୋଗ ସୃଷ୍ଟି କରିବ - ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ନେତୃତ୍ୱରେ ୪୮ ଜଣିଆ ଜାତୀୟ ସ୍ତରୀୟ କମିଟି ନୂତନ ଜାତୀୟ ସମବାୟ ନୀତି ପ୍ରସ୍ତୁତ କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ୨୦୨୫ ମସିହା ଜୁଲାଇ ୨୪ ତାରିଖରେ ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସମବାୟ ନୀତି ୨୦୨୫ ର ଘୋଷଣା କରିବେ । ଜାତୀୟ ସମବାୟ ନୀତିର ଡ୍ରାଫ୍ଟିଂ କମିଟିର ସଦସ୍ୟ, ସମସ୍ତ ଜାତୀୟ ସମବାୟ ସଂଘର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାତୀୟ ସମବାୟ ବିକାଶ ନିଗମ (ଏନ୍ସିଡିସି), ଜାତୀୟ ସମବାୟ ତାଲିମ ପରିଷଦ (ଏନ୍ସିସିଟି) ଏବଂ ବୈକୁଣ୍ଠ ମେହେଟ୍ଟା ଜାତୀୟ ସମବାୟ ପରିଚାଳନା ପ୍ରତିଷ୍ଠାନ (ଭାମ୍ନିକମ୍)ର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ରହିବେ । ନୂତନ ସମବାୟ ନୀତି ୨୦୨୫-୪୫ ଆଗାମୀ ଦୁଇ ଦଶନ୍ଧି ପାଇଁ ଭାରତର ସମବାୟ ଆନ୍ଦୋଳନରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ମାର୍ଗଦର୍ଶନରେ, ନୂତନ ସମବାୟ ନୀତି ୨୦୨୫ ସମବାୟ କ୍ଷେତ୍ରକୁ ପୁନର୍ଜୀବିତ ଏବଂ ଆଧୁନିକୀକରଣ କରିବା ସହିତ ତୃଣମୂଳ ସ୍ତରରେ ଏକ ରୋଡମ୍ୟାପ୍ ସୃଷ୍ଟି କରି ସହଯୋଗ ମାଧ୍ୟମରେ ସମୃଦ୍ଧିର ଦୃଷ୍ଟିକୋଣକୁ ସାକାର କରିବାକୁ ଲକ୍ଷ୍ୟ ରଖିଛି । ୨୦୦୨ ମସିହା ପ୍ରାରମ୍ଭରେ, ଦେଶର ପ୍ରଥମ ଜାତୀୟ ସମବାୟ ନୀତି ଜାରି କରାଯାଇଥିଲା, ଯାହା ସମବାୟ ଅନୁଷ୍ଠାନଗୁଡ଼ିକର ଆର୍ଥିକ କାର୍ଯ୍ୟକଳାପର ଉନ୍ନତ ପରିଚାଳନା ପାଇଁ ଏକ ମୌଳିକ ଢାଞ୍ଚା ପ୍ରଦାନ କରିଥିଲା । ଗତ ୨୦ ବର୍ଷ ମଧ୍ୟରେ ଜଗତୀକରଣ ଏବଂ ବୈଷୟିକ ପ୍ରଗତି ଯୋଗୁଁ ସମାଜ, ଦେଶ ଏବଂ ବିଶ୍ୱରେ ଅନେକ ବଡ଼ ପରିବର୍ତ୍ତନ ଘଟିଛି । ଏହି ପରିବର୍ତ୍ତନଗୁଡ଼ିକୁ ଧ୍ୟାନରେ ରଖି, ଏକ ନୂତନ ନୀତି ପ୍ରସ୍ତୁତ କରିବା ଆବଶ୍ୟକ ହେଲା, ଯାହାଦ୍ୱାରା ବର୍ତ୍ତମାନର ଆର୍ଥିକ ପରିଦୃଶ୍ୟରେ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସକ୍ରିୟ ଏବଂ ଉପଯୋଗୀ କରାଯାଇପାରିବ ଏବଂ “ବିକଶିତ ଭାରତ ୨୦୪୭”ର ଲକ୍ଷ୍ୟ ହାସଲ କରିବାରେ ସମବାୟ କ୍ଷେତ୍ରର ଭୂମିକାକୁ ସୁଦୃଢ଼ କରାଯାଇପାରିବ । ଜାତୀୟ ସମବାୟ ନୀତିର ଉଦ୍ଦେଶ୍ୟ ହେଉଛି ସମବାୟ ସଂସ୍ଥାଗୁଡ଼ିକୁ ସମାବେଶୀ କରିବା, ସେଗୁଡ଼ିକୁ ପେସାଦାର ଭାବେ ପରିଚାଳନା କରିବା, ଭବିଷ୍ୟତ ପାଇଁ ସେଗୁଡ଼ିକୁ ପ୍ରସ୍ତୁତ କରିବା ଏବଂ ବିଶେଷ କରି ଗ୍ରାମୀଣ ଭାରତରେ ବ୍ୟାପକ ନିଯୁକ୍ତି ଏବଂ ଜୀବିକା ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହେବା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ନେତୃତ୍ୱରେ ୪୮ ଜଣିଆ ଜାତୀୟ ସ୍ତରୀୟ କମିଟି ନୂତନ ଜାତୀୟ ସମବାୟ ନୀତି ପ୍ରସ୍ତୁତ କରିଛନ୍ତି । ଏହି କମିଟିରେ ଜାତୀୟ/ରାଜ୍ୟ ସମବାୟ ମହାସଂଘର ସଦସ୍ୟ, ସମସ୍ତ ସ୍ତରର ଏବଂ କ୍ଷେତ୍ରର ସମବାୟ ସମିତି, ସମ୍ପୃକ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରଣାଳୟ/ବିଭାଗର ପ୍ରତିନିଧି ଏବଂ ଶିକ୍ଷାବିତମାନେ ସାମିଲ ଥିଲେ । ଏକ ଅଂଶଗ୍ରହଣକାରୀ ଏବଂ ସମାବେଶୀ ଆଭିମୁଖ୍ୟ ସୁନିଶ୍ଚିତ କରିବା ପାଇଁ କମିଟି ଅହମ୍ମଦାବାଦ, ବେଙ୍ଗାଲୁରୁ, ଗୁରୁଗ୍ରାମ ଏବଂ ପାଟନାରେ ୧୭ଟି ବୈଠକ ଏବଂ ୪ଟି ଆଞ୍ଚଳିକ କର୍ମଶାଳା ଆୟୋଜନ କରିଥିଲା । ଅଂଶୀଦାରମାନଙ୍କ ଠାରୁ ପ୍ରାପ୍ତ ୬୪୮ଟି ମୂଲ୍ୟବାନ ପରାମର୍ଶକୁ ଯତ୍ନର ସହ ମୂଲ୍ୟାଙ୍କନ କରାଯାଇଥିଲା ଏବଂ ନୂତନ ସମବାୟ ନୀତିରେ ଅନ୍ତର୍ଭୁକ୍ତ କରାଯାଇଥିଲା ।