ଭଗବତୀ ଥିଲେ ଆଧୁନିକ ଓଡିଆ ସାହିତ୍ୟର ନବସରଣୀର ଉନ୍ମୋଚକ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ମଞ୍ଚର ସଭାପତି ଶିକ୍ଷାବିତ୍‌ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ଓ ଗୁରୁଚରଣ ପଟ୍ଟନାୟକଙ୍କ ଜନ୍ମ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ସାରସ୍ୱତ ମହୋତ୍ସବରେ ମୁଖ୍ୟଅତିଥି ଭାବରେ ମାର୍କସ୍ୱୀୟ ଚେତନାର ବାଖ୍ୟାକାର ବିଷ୍ଣୁ ମହାନ୍ତି ମୁଖ୍ୟଅତିଥି, ବର୍ଷୀୟାନ ସ୍ତମ୍ଭକାର ଭୂପେନ ମହାପାତ୍ର ସ୍ୱତନ୍ତ୍ର ଅତିଥି ଓ ମୁଖ୍ୟବକ୍ତା ରୂପେ କବି ତଥା ପ୍ରାବନ୍ଧିକ ବଳରାମ ରାଉଳ ଯୋଗଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଅତିଥି ପରିଚୟ ସହିତ ଭଗବତୀ ଏବଂ ଗୁରୁ ଚରଣ ପଟ୍ଟନାୟକଙ୍କ ଜୀବନବ୍ୟାପି ସାହିତ୍ୟ ସାଧନା କିପରି ଓଡିଆ ସାହିତ୍ୟରେ ନବୀନ ଯୁଗର କ୍ରାନ୍ତି କରିଥିବା ତତ୍ ସମ୍ପର୍କୀୟ ଏକ ପ୍ରବନ୍ଧ ପାଠ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାନ୍ତି ଭଗବତୀ ଓ ଗୁରୁ ଚରଣ ମହାନ୍ତିଙ୍କ ସାହିତ୍ୟରେ ବୈଜ୍ଞାନିକ ସମାଜବାଦ କିପରି ଫୁଟି ଉଠିଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀ ମହାପାତ୍ର ଭଗବତୀ ଓ ଗୁରୁ ଚରଣଙ୍କ ନେତୃତ୍ୱରେ ଓଡିଶାର ସାମ୍ୟବାଦୀ ଚେତନା କିପରି ବିକାଶ ଲାଭ କରିଥିଲା, ତାଙ୍କର ସଂଗ୍ରାମୀ ଜୀବନ ଉପସ୍ଥାପନ କରି ତାଙ୍କର ବିଶ୍ୱ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ରାଉଳ ସ୍ୱାଧିନତା ପୂର୍ବବର୍ତ୍ତି ଓ ପରବର୍ତ୍ତି ବିଶ୍ୱ ଯୁଦ୍ଧର ପୃଥିବୀରେ ଭଗବତୀଙ୍କ ଲେଖନୀ ସ୍ୱରାଜ୍ୟ ଲାଭ ପାଇଁ କିପରି ଓଡିଶାବାସୀଙ୍କୁ ପ୍ରେରିତ କରିଥିବା ତତ୍ ସମ୍ପର୍କରେ ବିଭିନ୍ନ ଦୃଷ୍ଟାନ୍ତମାନ ଉପସ୍ଥାପନ କରିଥିଲେ । ସଭାପତିୟ ଅଭିଭାଷଣରେ ଶ୍ରୀ ପତି ଅତିଥିମାନଙ୍କ ବକ୍ତବ୍ୟର ନିର୍ଯ୍ୟାସକୁ ଉପସ୍ଥାପନ କରି ଭଗବତୀ ଓ ଗୁରୁ ଚରଣଙ୍କୁ ଆତ୍ମାର କାରୀଗର ଏବଂ କଲମର ସିପାହୀ ବୋଲି ଅଭିହିତ କରି ତାଙ୍କର ସାରସ୍ୱତ କ୍ରାନ୍ତି, ସାମାଜିକ ସାଂସ୍କସ୍କୃତିକ ଓ ଅର୍ଥନୈତିକ କ୍ଷେତ୍ରରେ କିପରି ଝଡର ଝଙ୍କାର ତୋଳିଥିଲା ସେ ସମ୍ପର୍କରେ ଆଲୋଚନା କରିଥିଲ । ଦ୍ୱତୀୟ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ପ୍ରଗତିଶୀଳ କାବ୍ୟସଂନ୍ଧ୍ୟା ଆୟୋଜିତ ହୋଇଥିଲା । ଏଥିରେ କବି କୁଞ୍ଜବିହାରୀ ରାଉତ, ଡ. କୃପାସିନ୍ଧୁ ନାୟକ, ସଂଜୀବ କୁମାର ଭୋଇ, ପ୍ରତାପ କୁମାର ପଣ୍ଡା, ଗୌତମ ଦାସ, ଅର୍ଚ୍ଚନା ପାତ୍ର, ଅଜୟ କୁମାର ମହାନ୍ତି, ଶ୍ରୀଧର ସୁନା, ବସନ୍ତ ବିଶ୍ୱକର୍ମା, ଅଶୋକ ପଟ୍ଟନାୟକ, ଧୋବେଇ ବେହେରା, ଆର୍ତ୍ତତ୍ରାଣ ମହାପାତ୍ର, ବଳରାମ ରାଉଳ, କାଶୀନାଥ ପାତ୍ର, ବ୍ରଜେନ୍ଦ୍ର ଦାଶ ପ୍ରମୁଖ କବିମାନେ ନିଜସ୍ୱ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଗନ ବିହାରୀ ଧଳ, ଡ. ନଗେନ ଦାସ, ଅକ୍ଷୟ ସାମଲ, ପ୍ରଫୁଲ୍ଲ ସାମଲ, ବିଭୁ ନାୟକ, ପ୍ରଭାତ ମହାନ୍ତି, ବସନ୍ତ ନାୟକ, ବାସୁଦେବ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ । ଶେଷରେ ପ୍ରତାପ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.