csstore

୧୦୦ ବର୍ଷର ପୁରାତନ କଟାବାହାଲ ୟୁଜି ଏମ୍‌ଇ ସ୍କୁଲକୁ ୫ଟି ରୂପାନ୍ତରିତ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦିନ ହେଲା ବହୁ ମେଧାବୀ ଛାତ୍ରଛାତ୍ରୀ ଦେଇ ଆସିଥିବା ବରଗଡ ଜିଲ୍ଲାର ମରୁଡି ପ୍ରପୀଡ଼ିତ ଗାଇସିଲେଟ ବ୍ଲକର କଟାବାହାଲ ୟୁ.ଜି.ଏମ.ଇ ସ୍କୁଲକୁ ‘୫ଟି’ ରୂପାନ୍ତରିତ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଏହି ସ୍କୁଲରେ ମାତ୍ର ୬ଟି ଶ୍ରେଣୀ ଗୃହ ଥିବା ବେଳେ ଶିକ୍ଷକ ଅଛନ୍ତି ୪ ଜଣ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଠାରେ ଜଣେ ନିୟମିତ ହେଡ୍ ମାଷ୍ଟର କେବେ ମଧ୍ୟ ଥାଆନ୍ତି ନାହିଁ ଓ ସ୍କୁଲ ଶ୍ରେଣୀ ଗୃହଗୁଡ଼ିକ ଭଙ୍ଗା ଦଦରା ଅବସ୍ଥାରେ ପଡ଼ି ରହିଛି । ହେଲେ ସ୍କୁଲର ବୋର୍ଡ ଅନୁସାରେ ପାଖାପାଖି ୧୦୦ ବର୍ଷର ଏହି ପୁରାତନ ସ୍କୁଲକୁ ‘୫ଟି’ ସ୍କୁଲ ରୂପାନ୍ତରଣ ଯୋଜନାରେ ସାମିଲ କରାଗଲେ ଏହି ଅଞ୍ଚଳର ଛାତ୍ରଛାତ୍ରୀ ବିଶେଷ ଭାବରେ ଉପକୃତ ହୋଇ ପାରନ୍ତେ ବୋଲି ଏହି ସ୍କୁଲରୁ ପାଠପଢ଼ି ଆଜି ସୁଦୂର ଅରୁଣାଚଳ ପ୍ରଦେଶର ଅରୁଣାଚଳ ବିଶ୍ଵବିଦ୍ୟାଳୟରେ ଆସୋସିଏଟ୍‌ ପ୍ରଫେସର ଭାବରେ କାର୍ଯ୍ୟରତ ଡ. ପ୍ରଶାନ୍ତ ନନ୍ଦ କହିଛନ୍ତି । ଶ୍ରୀ ନନ୍ଦ ଏବେ ସ୍କୁଲର ଆନୁଷଙ୍ଗିକ ବ୍ୟବସ୍ଥା ଦେଖି ଖୁବ୍ ମର୍ମାହତ ହେବା ସହ କୋଭିଡ ପୂର୍ବରୁ ସ୍କୁଲର ଉନ୍ନତି ପାଇଁ ଓ ରକ୍ଷଣାବେକ୍ଷଣ ପାଇଁ ଡିପିସି, ଡିଇଓ, ଉପଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କିନ୍ତୁ ଆଜି ଯାଏିଁ କିଛି ଫଳ ହେଲା ନାହିଁ । ଡ. ନନ୍ଦ ସରକାରଙ୍କ ଏହି ସ୍କୁଲ ରୂପାନ୍ତରଣ ଯୋଜନାର ପ୍ରଶଂସା କରିଥିବା ବେଳେ ସେ କେବଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକୁ ଏଥିରେ ସାମିଲ ନ କରି ୟୁ.ଜି.ଏମ.ଇ ସ୍କୁଲ ଗୁଡିକ ଯାହାକି ଶିକ୍ଷାର ମୂଳଦୁଆ ପକାଉଛି, ସେ ଗୁଡିକ ମଧ୍ୟ ଏହି ଯୋଜନାରେ ସାମିଲ କରାଗଲେ ତୃଣମୂଳ ସ୍ତରରୁ ଶିକ୍ଷା ବ୍ୟବସ୍ଥାରେ ବହୁ ଗୁଣରେ ଉନ୍ନତି ହୋଇ ପାରିବ ବୋଲି ଡ. ନନ୍ଦ ଆଶା ବ୍ୟକ୍ତ କରିଛନ୍ତି ଏବଂ ଏହି ସର୍ବ ପୁରାତନ ସ୍କୁଲକୁ ଯେଉଁ ସ୍କୁଲ କି ବହୁ ଡ଼ାକ୍ତର, ଇଞ୍ଜିନୟର, ପ୍ରଫେସର ତଥା ବହୁ ସଂଖ୍ୟାରେ ତଫସିଲ ଭୁକ୍ତ ଜାତି ଓ ଜନଜାତିର ଶିକ୍ଷକ ସୃଷ୍ଟି କରିଛି ଏବଂ ଯେଉଁମାନେ ରାଜ୍ୟ ଓ ଜାତୀୟ ସ୍ତରରେ କାର୍ଯ୍ୟରତ ସେହି ସ୍କୁଲକୁ ଏହି ଯୋଜନାରେ ସାମିଲ କରିବାକୁ ଦାବୀ କରିଛନ୍ତି । ସେ ଏଭଳି ଏକ ସର୍ବ ପୁରାତନ ସ୍କୁଲ୍‌ର ନା ବେସରକାରୀ ସ୍ତରରେ ନା ସରକାରୀ ସ୍ତରରେ କେବେ କାହାରି ଦ୍ଵାରା ସ୍କୁଲର ରୌପ୍ୟ ଜୟନ୍ତୀ, ସ୍ୱର୍ଣ୍ଣ ଜୟନ୍ତୀ କିମ୍ବା ପ୍ଲାଟିନମ ଜୟନ୍ତୀ ପାଳନ କରିବାକୁ ଚିନ୍ତା ସୁଦ୍ଧା କରି ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଅଟେ ବୋଳି କହିଛନ୍ତି । ଏହି ସ୍କୁଲକୁ ସରକାର ଯଥା ଶୀଘ୍ର ମୋ ସ୍କୁଲ ଯୋଜନାରେ ସାମିଲ କରି ଏହି ସ୍କୁଲର ସାମଗ୍ରିକ ବିକାଶ ପ୍ରତି ଗୁରୁତ୍ଵ ଦେବାକୁ ଡ. ନନ୍ଦ ଅନୁରୋଧ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ‘୫ଟି’ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରୋଗ୍ରାମ ଅଧୀନରେ ରାଜ୍ୟ ସରକାର ୮୦୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତର କରିବାକୁ କାର୍ଯ୍ୟ ଆରମ୍ଭ କରି ବହୁ ଗୁଡ଼ିଏ କାର୍ଯ୍ୟ ସମାପ୍ତି ପରେ ଉଦ୍‌ଘାଟିତ ହୋଇସାରିଛି । ଏହି ପ୍ରକଳ୍ପ ତିନୋଟି ପର୍ୟ୍ୟାୟରେ ଅନ୍ତର୍ଭୁକ୍ତ ହୋଇଛି ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୪ ସୁଦ୍ଧା ୧୦୭୨ ରୂପାନ୍ତରିତ ବିଦ୍ୟାଳୟକୁ ଉତ୍ସର୍ଗ କରିଛନ୍ତି । ସମାନ ପ୍ରକଳ୍ପ ଅଧୀନରେ, ପ୍ରଭାବଶାଳୀ ପ୍ରଶାସନ ତଥା ଏକାଡେମିକ୍ ଉତ୍କର୍ଷତା ହାସଲ କରିବାକୁ, ସେପ୍ଟେମ୍ବର ୨୨ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୬ଟି ଟାସ୍କ ଫୋର୍ସ ଗଠନ କରାଯାଇଥିଲା ।ଟାସ୍କଫୋର୍ସ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ଏକ ମାସ ସମୟସୀମା ମଧ୍ୟରେ ନିଜସ୍ୱ ରିପୋର୍ଟ ଦାଖଲ କରିବା ପରେ ଏହି ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

jayashree
Leave A Reply

Your email address will not be published.