ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ୍ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଅଗଷ୍ଟ/ସେପ୍ଟେମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ ।
ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଛାତ୍ରଛାତ୍ରୀମାନଙ୍କର ଯଦି କିଛି ପୂର୍ବ ସେମିଷ୍ଟାର/ବର୍ଷ ପରୀକ୍ଷା ବାକି ଅଛି କିମ୍ବା ତାଙ୍କର ଯଦି ବ୍ୟାକ୍ ପେପର୍ ଅଛି, ସେହି ପରୀକ୍ଷା ସବୁ ମଧ୍ୟ ଅନ୍ଲାଇନ୍ରେ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ହେବ ।
ପରୀକ୍ଷା ତାରିଖ ସଂପୃକ୍ତ ବିଶ୍ୱବିଦ୍ୟାଳୟ/ସ୍ୱୟଂଶାସିତ ମହାବିଦ୍ୟାଳୟ ନିର୍ଦ୍ଧାରଣ କରିବେ । ଛାତ୍ରଛାତ୍ରୀମାନେ ତାଙ୍କ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍ଲାଇନ୍ ପରୀକ୍ଷା ଦେଇପାରିବେ । ଦରକାର ପଡ଼ିଲେ ସେମାନଙ୍କର ଘର ପାଖରେ ଥିବା ଡିଗ୍ରୀ ମହାବିଦ୍ୟାଳୟକୁ ଯାଇ ଏହି ଅନ୍ଲାଇନ୍ ପରୀକ୍ଷା ଦେଇପାରିବେ । ଅନ୍ଲାଇନ୍ ପରୀକ୍ଷା କେମିତି ହେବ, ସେ ସଂପର୍କରେ ସଂପୃକ୍ତ ବିଶ୍ୱବିଦ୍ୟାଳୟ/ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜଣାଇବେ । ଜୁଲାଇ ମାସ ମଧ୍ୟଭାଗରୁ ଶେଷ ଭାଗ ପର୍ୟ୍ୟନ୍ତ ଇଣ୍ଟଆକ୍ଟିଭ୍ ଡାଉଟ୍ କ୍ଲିୟରିଂ କ୍ଲାସ୍ ଚାଲିବ ।
ଉପରୋକ୍ତ ସବୁ ନିଷ୍ପତ୍ତି ଶେଷ ବର୍ଷ/ଫାଇନାଲ୍ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଉଦ୍ଦିଷ୍ଟ । ଅନ୍ୟ ସେମିଷ୍ଟାର କିମ୍ବା ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।