୧୫ତମ ଲୋଇସିଂହା ମହୋତ୍ସବ- ୨୦୨୫ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ୧୫ତମ ଲୋଇସିଂହା ମହୋତ୍ସବ-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ପୁଷପୁନି ଅବସରରେ ଆୟୋଜିତ ଏହି ଦୁଇ ଦିନିଆ ଉତ୍ସବକୁ ଆୟୋଜକ କମିଟି ଏକ ବିଶାଳ ମଶାଲ ଶୋଭାଯାତ୍ରା କରି ଉତ୍ସବ ସ୍ଥଳରେ ସ୍ଥାପନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଏବଂ କ୍ରୀଡା, ଯୁବ, ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ପର୍ବ ପୁଷପୁନିର ମହକ ସାରା ରାଜ୍ୟରେ ମହକୁ ବୋଲି ଅତିଥି ବୃନ୍ଦ କହିବା ସହିତ ଲୋଇସିଂହାର ଆତିଥ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଏହି ଉତ୍ସବକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ମଧ୍ୟ ଚେଷ୍ଟା କରାଯିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏଥିସହିତ ପୁଷପୁନିର ସଂସ୍କୃତି ଓ ପରମ୍ପରାକୁ ସାରା ଓଡ଼ିଶା ଜାଣିବା ସହିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ନିଜସ୍ଵ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟି ସଭାପତି ରବୀନ୍ଦ୍ର ପୁଟେଲ ଓ ସମ୍ପାଦକ ଭୂତନାଥ ନାଏକ ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ସ୍ମାରକୀ ସ୍ୱରୂପ ନିଜ ନିଜ ଫଟୋ ଚିତ୍ର ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ଶିଳ୍ପୀ ଶଙ୍କର ବେଜ ମଧ୍ୟ ପୁଆଲରେ ନିର୍ମିତ ଫଟୋଚିତ୍ର ଅତିଥି ମାନଙ୍କୁ ପ୍ରଦାନ କରିଥିଲେ । ପୂର୍ବରୁ ହାସ୍ୟ କଳାକାର ବିନ୍ଦୁ ଦର୍ଶକଙ୍କୁ ହସାଇ ବେଦମ୍ କରିଥିବା ବେଳେ ପୁରୀର ଶିଳ୍ପୀ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ଉପରେ ନୃତ୍ୟ ନାଟିକା ପ୍ରଦର୍ଶନ କରାଯାଇଥିଲା । ସେହିପରି ସ୍ଥାନୀୟ କଳାକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ ହୋଇଥିଲା । କାର୍ଯ୍ୟକ୍ରମକୁ ଜ୍ୟୋତି ପ୍ରକାଶ ସାହୁ ସଂଯୋଜନା କରିଥିବା ବେଳେ ଲୋଇସିଂହା ମହୋତ୍ସବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.