ଭୋଗରାଇ : ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ସରସ୍ଵତୀପୁର ନୋଡାଲ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣାଂଶୁ ଶେଖର ମାଝୀ ଅଧ୍ୟକ୍ଷତା କରିଥିଲେ । ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯେକୌଣସି ଶିକ୍ଷାୟତନର ବିକାଶ ଓ ଆଦର୍ଶ ନାଗରିକ ଗଢି ତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମର୍ପିତ କାର୍ଯ୍ୟଧାରା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଗୌତମବୁଦ୍ଧ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦର୍ଶ ନାଗରିକର ସଂଜ୍ଞା ବିସ୍ତାରିତ ଭାବେ ଆଲୋଚନା କରିଥିଲେ । ପୁରାତନ ଛାତ୍ର ତଥା ବରିଷ୍ଠ ବୈଜ୍ଞାନିକ ଡଃ କମଳାକାନ୍ତ ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଚେତନା ସମ୍ପର୍କିତ ଅନୁଭୁତି ଓ ଅଭିଜ୍ଞତା ବାଣ୍ଟିଥିଲେ ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ତଥା ସାରସ୍ବତ ସାଧକ ସନ୍ତୋଷ କୁମାର ପାତ୍ର, ସାଂସଦ ପ୍ରତିନିଧି ଅଂଶୁମାନ ମହାନ୍ତି, ପୁରାତନ ଛାତ୍ର ସଂସଦ ସଭାପତି ରାମହରି ସୁର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଘରାଇ, ପୁରାତନ ଛାତ୍ର ତଥା ଶିକ୍ଷକ ରବୀନ୍ଦ୍ର କୁମାର ଘଡ଼ାଇ, ଭୋଗରାଇ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସମିତି ସମ୍ପାଦକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ଶିକ୍ଷାନୁଷ୍ଠାନ ମାନଙ୍କର ଭିତ୍ତିଭୂମି ସୁଦୃଢ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ବୈଦ୍ଧିକ ଓ ପ୍ରୟୋଗାତ୍ମକ ଶିକ୍ଷାରେ ପରିପୁଷ୍ଟ କରିବା ପାଇଁ ଆହ୍ୱାନ ଦେଇଥିଲେ । କମ୍ପ୍ୟୁଟର ଶିକ୍ଷକ ଶିଶିର କୁମାର ପ୍ରଧାନ ମଞ୍ଚ ଆହ୍ୱାନ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ଆବାହନୀ ସଙ୍ଗୀତ ଗାନ କରିଥିଲେ । କଳା ଶିକ୍ଷକ ମନୋଜ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦ ତଥା ଉତ୍ସବ କମିଟିର ସମ୍ପାଦକ ସତ୍ୟନାରାୟଣ ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ କାଲାଚାନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।