om academy

ଦୟାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର

jsm

ଭୁବନେଶ୍ୱର/ଧଉଳି : ଦୟାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ଦୟାନଦୀ ଲିଙ୍ଗିପୁର ଦେବୀଘାଟରେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଗତକାଲି ବିଳମ୍ବିତ ରାତି ଯାଏଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି ପରେ ମଧ୍ୟ ପତ୍ତା ପାଇନଥିଲେ । ଶୁକ୍ରବାର ସକାଳୁ ପୁଣି ଦୟାନଦୀ​‌ରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ପରିଶ୍ରମ ପରେ ନିଖୋଜ ନାବାଳକଙ୍କ ନାମ ସୁମିତ ଓରଫ ସୌମିତେନ୍ଦ୍ର ସାହୁ(୧୪)ଙ୍କ ମୃତଦେହ ଦୟାନଦୀରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ମୃତଦେହକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ଣ ସାଢ଼େ ୪ଟାରେ ସୌମିତେନ୍ଦ୍ର ଓ ତାଙ୍କର ୩ ସାଙ୍ଗ ସାଇକେଲ ଯୋଗେ ଦୟାନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସୌମିତେନ୍ଦ୍ର ଗଭୀର ଜଳକୁ ଭାସି ଯାଇଥିଲେ । ଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ । ହାତ ହଲାଇ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତେଣୁ ସେମାନେ କୂଳକୁ ଆସି ଚିତ୍କାର କରିଥିଲେ । ସେମାନଙ୍କ ପାଟି ଶୁଣି ନିକଟରେ ମାଛ ମାରୁଥିବା କିଛି ଲୋକେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସୌମିତେନ୍ଦ୍ରଙ୍କୁ ପାଇ ନଥିଲେ ।

ଖବରପାଇ ସୌମିତେନ୍ଦ୍ରଙ୍କ ପରିବାର ଲୋକେ ପହଞ୍ଚି ଯାଇଥିଲେ । କାନ୍ଦବୋବାଳିରେ ପୂରା ନଦୀକୂଳ ଫାଟି ପଡ଼ିଥିଲା । ଏହାପରେ ଧଉଳି ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ ପାଣିରେ ବୁଡ଼ି ଖୋଜାଖୋଜି କରା ଯାଇଥିଲା । ପରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ସୌମିତେନ୍ଦ୍ରଙ୍କୁ ପାଇ ନଥିଲେ । ବିଳମ୍ବିତ ରାତି ହୋଇଯିବା ପରେ ସର୍ଚ୍ଚ ଅପରେସନ୍ ବନ୍ଦ କରାଯାଇଥିଲା । ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପୁଣି ଦୟାନଦୀ​‌ରେ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ସମୟ ପରିଶ୍ରମ ପରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଧଉଳି ପୋଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.