ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ଠାରେ ନୂତନ ଦେଓ୍ଵାନୀ ଓ ଫୌଜଦାରୀ କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ଉକ୍ତ ଉଦଘାଟନୀ ସମାରୋହରେ ବଲାଙ୍ଗିର ରେଜିଷ୍ଟ୍ରାର ଶ୍ରୀଦୀପ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକାରୀ, ଏସ୍ଡିପିଓ ବଲାଙ୍ଗିର, ଆଗଲପୁର ତହସିଲଦାର ନବୀନ କିଶୋର ପାଢ଼ୀ, ଆଗଲପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଓଡ଼ିଶା ହାଇକୋର୍ଟ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ନୂତନ କୋର୍ଟ ଉଦଘାଟିତ ହେଲାପରେ ଆଗଲପୁର କୋର୍ଟରେ ନିଯୁକ୍ତି ପାଇଥିବା ବିଚାରପତି ଦୀପ୍ତିମୟୀ ସାହୁ ତାଙ୍କ ନିଜ ଆସନରେ ବସି କୋର୍ଟ କାର୍ଯ୍ୟକ୍ରମ ଚାଲୁ ରଖିଥିଲେ । ମିଳିଥିବା ସୂଚନା ମୁତାବକ ଦୁଇଟି କେସ୍ ଯଥା ଜିଆର୍୪୦/୨୬ ଓ ସିଏସ୍ ୦୩/୨୬ର ଶୁଣାଣି ହୋଇ କୋର୍ଟ କାର୍ଯ୍ୟକ୍ରମ ଚାଲୁ ରଖିଥିଲେ । ଏଣୁ ଏଣିକି ସମସ୍ତ ଆଗଲପୁର ତହସିଲର ସିଭିଲ କେସ୍ ଓ ଆଗଲପୁର ଜିଲ୍ଲାପରିଷଦ ୧ ନମ୍ଵର ଜୋନର ସମସ୍ତ ଫୌଜଦାରୀ ମାମଲା ମାନ ଆଗଲପୁର କୋର୍ଟରେ ବିଚାର ହେବା ନେଇ ସୂଚନା ମିଳିଛି । ଉକ୍ତ ଉଦଘାଟନୀ ସମାରୋହରେ ବରିଷ୍ଠ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲଙ୍କ ସହ ଲୋଇସିଂହା ବାର୍ ତଥା ଆଗଲପୁରର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ । ଆଗଲପୁର ବରିଷ୍ଠ ନାଗରିକ କମିଟିର ସମସ୍ତ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଦଘାଟନୀ ସମାରୋହ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି ।