- ଗଣତନ୍ତ୍ର ଥିଲେ ବି ରାଜତନ୍ତ୍ର ପାଇଁ ଅବହେଳିତ ପଶ୍ଚିମ ଓଡ଼ିଶା : ନରସିଂହ
ତୁଷୁରା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ବାଳକ ହାଇସ୍କୁଲ ପଡ଼ିଆ ଠାରେ ପଞ୍ଚମ ବର୍ଷରେ ତୋଷାଳୀ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ ଯେ, ପୂର୍ବରୁ ଆମ ଅଞ୍ଚଳରେ ଅନେକ ସଂସ୍କୃତି ଥିଲା । ବିଦେଶରୁ ଏଠାକୁ ପଢ଼ିବା ପାଇଁ ଆସୁଥିଲେ । ଏବେ ଏଠିକାର ଲୋକ ବିଦେଶ ଯାଉଛନ୍ତି । ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ବି ରାଜତନ୍ତ୍ର ଶାସନ ଯୋଗୁଁ ଅଞ୍ଚଳ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଗଣତନ୍ତ୍ର ଚାଲିଛି, ହେଲେ ରାଜତନ୍ତ୍ରର ଠାଣି ଯାଇନି । ମହୋତ୍ସବ ଅଞ୍ଚଳର ବିକାଶକୁ ଦିଗଦର୍ଶନ ଦେଇଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ । ଉଦ୍ଘାଟନୀ ଦିବସରେ କୋରାପୁଟର ଢେମସା, ସାଇସ୍ୱର୍ଣ୍ଣ କଳା ପରିଷଦ ବଲାଙ୍ଗିର, ଆନନ୍ଦିତା ସାମଲ ଓଡ଼ିଶୀ, ଜିତେନ୍ଦ୍ର ଭୋଇ ଏଣ୍ଡ ଗ୍ରୁପ କଳାହାଣ୍ଡି, ବେନାର କଳା ପରିଷଦ ହାତୀସରାର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା ଓ ହିମାନୀ ହଂସରାଜ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଲିଥିଲା ।