ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ସ୍ଥିତ ରୟାଲ ପଡିଆ ଠାରେ ଜିଲ୍ଲାସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ ଉଦଘାଟିତ ହୋଇଯାଇଛି । ଏହା ଦୁଇଦିନ ଧରି ଅନୁଷ୍ଠିତ ହେବ । ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ମୁଖ୍ୟଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୂର୍ଗାଦତ୍ତ ଦାଶ ଯୋଗ ଦେଇଥିଲେ । ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସଭାଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜି ସଭାରେ ଯୋଗଦେଇ ପାରି ନଥିବା ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓଡ଼ିଶା, ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ପ୍ରେରିତ ଭିଡିଓ ଶୁଭେଚ୍ଛା ବାର୍ତ୍ତା ଓ ଅଭିଭାଷଣକୁ ଉପସ୍ଥିତ ଜନସାଧାରଣ ନିମନ୍ତେ ଏଲ୍ଇଡି ସ୍କ୍ରିନ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଯୋଗୁଁ ଏହି ବିକାଶ ଧାରାକୁ ଜାରି ଓ ବଜାୟ ରଖିବା ପାଇଁ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳନ କରୁଥିବା ଚାଷି ମାନଙ୍କୁ ପରାମର୍ଶ ଦେଇ ପ୍ରୋତ୍ସାହିତ କରିଥିଲେ । ଏହି ମେଳାରେ ସର୍ବମୋଟ ୩୦ ଗୋଟି ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ୮ ଗୋଟି ପ୍ରାଣୀସମ୍ପଦ ବିଭାଗ ଦ୍ଵାରା ବିଭିନ୍ନ ପ୍ରକାରର ଗାଈ, ମହିଷି, କୁକୁଡ଼ା, ଅନ୍ୟ ପ୍ରାଣୀସମ୍ପଦ ଓ ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିବା ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ୬ ଗୋଟି ଷ୍ଟଲରେ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ପ୍ରଦର୍ଶନ କରାଯାଇଛି । ମେଳା ଆରମ୍ଭ ପୂର୍ବରୁ ଅତିଥିମାନେ ପ୍ରଥମେ ବିଭିନ୍ନ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ । ଏହି ଅବସରରେ ସଭାପତି ଓ ଅତିଥିମାନଙ୍କ ଦ୍ଵାରା ସଫଳ ଚାଷୀ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । ସଭା ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।