ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷାକତା ଏବଂ ଆର୍ଏସ୍ପି ଆନୁକୂଲ୍ୟରେ ୨୭ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଉଦଘାଟିତ ହୋଇଯାଇଛି । ଏଥିରେ ଆର୍ଏସ୍ପିର ଡିଆଇସି ଆଲୋକ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଉତ୍କୃଷ୍ଠ କଳା ପ୍ରଦର୍ଶନ ସୃଜଶୀଳତାର ପରିଚୟ ଦେଇଥାଏ, ନାଟକର ଅଭିବ୍ୟକ୍ତି ଅନନ୍ୟ ଓ ଅଭିନବ ହୋଇଥାଏ । ରାଉରକେଲା ସହର ଆପଣାର ଭାବରେ ପରସ୍ପରକୁ ବାନ୍ଧି ରଖିପାରେ । ଏହା ହିଁ ଏ ସହରର ବିଶେଷତ୍ୱ ବୋଲି ସେ କହିଥିଲେ । ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗ ହେଇ କହିଲେ ଯେ, ପ୍ରତ୍ୟେକଟି ନାଟକ ସମାଜକୁ କିଛି ନା କିଛି ବାର୍ତ୍ତା ଦେଇଥାଏ, ଏହି କଳାକୁ ବଞ୍ଚାଇ ରଖିବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଏକତ୍ରର ସଭାପତି ରାଜୀବ ପାଣି ସ୍ୱାଗତ ଭାଷଣ ଦେଇଥିଲେ । ଉପଦେଷ୍ଟା ଡାକ୍ତର କୃପାସିନ୍ଧୁ ନାୟକ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ପ୍ରବୀର ଜେନା ସଂଯୋଜନା କରିଥିବା ବେଳେ ସମ୍ପାଦକ ବିଜୟ କୁମାର ପାତ୍ର ବିବରଣୀ ଉପସ୍ଥାପନା କରିଥିଲେ । ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏକତ୍ର ପକ୍ଷରୁ ପ୍ରସନ୍ନ କୁମାର ମହାନ୍ତି, ପ୍ରଜ୍ଞାନନ୍ଦ ମହାନ୍ତି, ଆଲୋକ ବୋଷ, ସ୍ୱଦେଶ ନାୟକ, ପ୍ରଦୀପ କୁମାର ନାୟକ, କଲ୍ୟାଣୀ ଦାଶ, ସନ୍ଧ୍ୟା ପଟ୍ଟନାୟକ, ଅରୁନ୍ଧତୀ ସ୍ୱାଇଁ, ଅକ୍ଷୟ ଧଳ, ଶାନ୍ତିଲତା ଦାସ, ରଶ୍ମି ପରିଡା, କ୍ଷୀରଦା ବାରିକ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ କଳାକାର ସୂର୍ଯ୍ୟରଶ୍ମିଙ୍କ ଅକାଳ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଭକ୍ତର ଭଗବାନ ନାଟକ ମଞ୍ଚସ୍ଥ ହୋଇଥିଲା । ଭକ୍ତର ଭାବରେ ଡୋରିରେ ବନ୍ଧା କଳା ଠାକୁର । ଭକ୍ତର ଭାବରେ ବନ୍ଧା ଜଗନ୍ନାଥ ନିଜର ଭକ୍ତମାନଙ୍କର ଗଭୀର ପରୀକ୍ଷା ନିଅନ୍ତି ପୁଣି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ କରାଇବାରେ ସହାୟକ ହୋଇଥାନ୍ତି । ଷୋଡ଼ଶ ଶତାବ୍ଦୀର ଆରମ୍ଭରେ କଳାପାହାଡ଼ ଶ୍ରୀମନ୍ଦିରକୁ ଆକ୍ରମଣ କରିଛି, ମନରେ ତାହାର ରହିଛି ଗଭୀର ରୋଷ ପଣ୍ଡା ପଡିହାରୀ ଆଉ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଉପରେ । ତାହାର ପ୍ରତିଜ୍ଞା ଉତ୍କଳ କଳା ସ୍ଥାପତ୍ୟର ଘୋର କ୍ଷତି ସାଧନ କରିବା ପାଇଁ, ସେତେବେଳକୁ ଜଗନ୍ନାଥଙ୍କ କୃପାରୁ ବିଶର ମହାନ୍ତି ବ୍ରହ୍ମ ପଦାର୍ଥକୁ ଉଦ୍ଧାର କରିଛନ୍ତି, ସେ ବ୍ରହ୍ମ ପଦାର୍ଥ ତୁଳା ପରି ନରମ ନା ପଥର ପରି ଟାଣ ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥାଏ । ନାଟ୍ୟାନୁଷ୍ଠାନ ଦି ବିଲିଭର, ରାଉରକେଲା ପରିବେଷଣ କରିଥିଲା ଏହି ନାଟକ “ଭକ୍ତର ଭଗବାନ” । କାହାଣୀ ବଦ୍ରି ମିଶ୍ର ରଚନା କରିଥିବା ବେଳେ ନାଟ୍ୟ ରୂପ ଦେଇଥିଲେ ଚିନ୍ମୟ ତ୍ରିପାଠୀ । ସୁଲିପ୍ତା ଜେନା ନିର୍ଦ୍ଦେଶନା ଦେଇ ଥିବାବେଳେ ବିଭିନ୍ନ ଚରିତ୍ରରେ ଶ୍ରୀକାନ୍ତ ଚୌଧୁରୀ, ରାଜେଶ ପ୍ରସାଦ, ନନ୍ଦନ ମୂଖାର୍ଜୀ, ଚିତ୍ତରଞ୍ଜନ ସାମଲ, ପ୍ରତ୍ୟୁଷ ପାଢ଼ୀ, ଜର୍ଜ ବିଲୁଙ୍ଗ, ସୌମ୍ୟରଞ୍ଜନ ସାହୁ, ସୁଲିପ୍ତା ଜେନା, ବର୍ଷା ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ଅଭିନୟ କରିଥିଲେ । ସଂଗୀତ ପୁଲିନ ରାଉତରାୟ, ସହଯୋଗୀ ଲକ୍ଷ୍ମୀନାରାୟଣ ଦୋରା, ପ୍ରଚ୍ଛଦପଟ ସ୍ୱର ସଂଯୋଜନା – ଅନୀଲ ମଲ୍ଲିକ, ରୂପ ସଜ୍ଜା ଓ ବେଶ ପୋଷାକ ପ୍ରତ୍ୟୁଷ ପାଢ଼ୀ, ମଞ୍ଚ ସଜ୍ଜା – ଜର୍ଜ ବିଲୁଙ୍ଗ, ଆଲୋକ ସଜ୍ଜା ଓ ଶବ୍ଦ ସଂଯୋଜନା ସାଗର ସ୍ୱରୂପ ସ୍ୱାଇଁ କରିଥିବା ବେଳେ ପ୍ରାୟୋଜକ ଥିଲେ – ଗଜେନ୍ଦ୍ର ନାଥ ବେହେରା । ଏହି ନାଟକଟି ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।
Next Post