
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସଂସ୍କୃତି ବିକାଶ ପରିଷଦ ଏବଂ ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ସାହିତ୍ୟ, ସଂସ୍କୃତି, ସମନ୍ୱୟର ଅପୂର୍ବ ସମାରୋହ ତିନିଦିନଆ ବସନ୍ତ ମହୋତ୍ସବ “ହେ ବସନ୍ତ” ଉଦ୍ଘାଟିତ ହୋଇଯାଇଛି । ମହୋତ୍ସବର ପ୍ରଥମ ଦିବସରେ ଆୟୋଜିତ କବିସୂର୍ଯ୍ୟ ବଳଦେବ ରଥ ସନ୍ଧ୍ୟାର ମୁଖ୍ୟବକ୍ତା ଭାବେ ବରେଣ୍ୟ ସାହିତ୍ୟ ସ୍ରଷ୍ଟା ତଥା ମୁଖ୍ୟବକ୍ତା ଭାବେ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ବ୍ରହ୍ମପୁର) ଉପ-ସଚିବ ଡ଼ଃ. କୁଳମଣି ଓଝା ଯୋଗଦେଇ କବିସୂର୍ଯ୍ୟ ବଳଦେବ ରଥ ଜଣେ ଗଞ୍ଜାମ ଜିଲ୍ଲାର ହେଲେ ମଧ୍ୟ ତାଙ୍କରି ରଚିତ କିଶୋର ଚନ୍ଦ୍ରାନନ ଚମ୍ପୁ ସାରା ଓଡ଼ିଶା କଣ, ସାରା ଭାରତ ଆବା ସାରା ପୃଥିବୀ ସାହିତ୍ୟ ସଂସ୍କୃତି ଜୀବନରେ ଏକ ମାଇଲ ଖୁଣ୍ଟ ସଦୃଶ ଜନମାନସକୁ ଦିଗଦର୍ଶନ ଦେଇଆସିଛି । ତାଙ୍କରି ସାହିତ୍ୟ କୃତି ଚମ୍ପୁ ଲାଗି କବିସୂର୍ଯ୍ୟ ବଳଦେବ ରଥ ବିଶ୍ୱବିଦିତ କବି ବୋଲି ଡ଼ଃ. ଓଝା ମତବ୍ୟକ୍ତ କରିଥିଲେ । ଜଣେ ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣା, ଖେମୁଣ୍ଡି ଅଞ୍ଚଳର ହେଉଛି ତାଙ୍କରି ସାଧନା କ୍ଷେତ୍ରର ସ୍ଥଳ ବୋଲି ଡ଼ଃ. ଓଝା ଆଲୋକପାତ କରିଥିଲେ । ବସନ୍ତ ମହୋତ୍ସବର ପ୍ରଥମ ପର୍ବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ କବି ସୂର୍ଯ୍ୟ ବଳଦେବ ରଥଙ୍କ ଅବବୈଦ୍ୟ କାବ୍ୟ କିଶୋର ଚନ୍ଦ୍ରାନନ ଚମ୍ପୁକୁ ଇଂରାଜୀ ଭାଷାରେ ଅନୁବାଦ କରି ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ଓ ପ୍ରଣୀତ କରାଗଲେ ତାହାକୁ ଆଧାରରେ ନୋବେଲ ପୁରସ୍କାର ତାଙ୍କରି ଉଦ୍ଦେଶ୍ୟରେ ବିତରଣ ହୋଇପାରିବ ଏବଂ କିଶୋର ଚନ୍ଦ୍ରାନନ ଚମ୍ପୁ ବିଶ୍ୱ ଦରବାରରେ ପରିଚିତ ହେବ ବୋଲି ଖଲ୍ଲିକୋଟ ବିଧାୟକ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ସଂସ୍କୃତି ବିକାଶ ପରିଷଦର ସଭାପତି ଆଇନଜ୍ଞ ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ରୋଟାରୀୟାନ୍ ପ୍ରଫୁଲ୍ଲ ପଟ୍ଟନାୟ, ସଧାରଣ ସମ୍ପାଦକ ଡ଼ଃ. ଅଜୟ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ହୋଇ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସଂସ୍କୃତି, ମଞ୍ଚ କଳା ଅଭିନୟ ପ୍ରଦର୍ଶନର ମହତ୍ତ୍ୱ ସମ୍ପର୍କରେ ପ୍ରତିପାଦନ କରିଥିଲେ । କବି ବ୍ରଜମୋହନ ଆଚାର୍ଯ୍ୟ, ସମାଜସେବୀ ଅରୁଣ କୁମାର ଶତପଥୀ ଏବଂ ସଂସ୍କୃତି ବିକାଶ ପରିଷଦର କୋଷାଧ୍ୟକ୍ଷ ରୋଟାରୀୟାନ୍ ନିରଞ୍ଜନ ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ଛତ୍ରପୁର ଅଞ୍ଚଳର ବିଶିଷ୍ଟ ନାଟ୍ୟକାର, ମଞ୍ଚ କଳା ଅଭିନୟ ପ୍ରଦର୍ଶନ କରି ଶ୍ରେଷ୍ଠ ସୁନାମ ଆଣିଥିବା ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ବେହେରାଙ୍କ ଉଦ୍ଦେଶ୍ୟରେ ତାଙ୍କରି ଉତ୍ତର ଦାୟଦ ପରିବାର ବର୍ଗ ତଥା ତାଙ୍କ ଝିଅ ଦମ୍ପତି ଦୀପ୍ତି ବେହେରା, ଜ୍ୱାଇଁ ପୁଅ ଇଞ୍ଜିନିୟର ଉମେଶ ପଟ୍ଟନାୟକଙ୍କୁ ମାନପତ୍ର ସହ ପୁରସ୍କାର, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଛତ୍ରପୁର ପୋଡ଼ାପଦର ଅଞ୍ଚଳର ଜଣେ ବିଶିଷ୍ଟ ଶତାୟୁ କଳାକାର ରବିନ୍ଦ୍ର ନାଥ ପଣ୍ଡା ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ଶିଳ୍ପୀ ନୃତ୍ୟଗୁରୁ ନମିତା ରାୟ ପ୍ରମୁଖଙ୍କୁ ମଞ୍ଚ ଉପରେ ମାନପତ୍ର ସହ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ଛତ୍ରପୁର ରୋଟାରୀ କ୍ଲବ ସଭାପତି ବିମଲ୍ ପ୍ରସାଦ ସାହୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।