- ସମୃଦ୍ଧ ଇତିହାସରେ ଲିପିବଦ୍ଧ ତୋଷାଳୀ ଗଡ
ତୁଷୁରା, (ଖୁସି ରାନୀ ସାହୁ) : ତୋଷାଳୀ ଗଡ ଐତିହ୍ୟ, କଳା ସଂସ୍କୃତି ଓ ପରମ୍ପରାକୁ ନେଇ ତୁଷୁରାର ଇତିହାସ ବେଶ ସମୃଦ୍ଧ । ଏଠାକାର ଇତିହାସ କହିଲେ ଖାରବେଳ ଶାସନର ଐତିହ୍ୟ ଗୁମାଗଡ । ରାଜାରାଜୁଡା ଅମଳର କୀର୍ତ୍ତିରାଜି ଏବେ ଧ୍ୱଂସାଭିମୁଖୀ, ଯାହା କି ଧିରେ ଧିରେ ନାଁ ମଧ୍ୟ ତୋଷାଳୀଗଡରୁ ପରିବର୍ତ୍ତନ ହୋଇ ତୋଷରା ହୋଇଯାଇଛି । ମହୋତ୍ସବ ମାଧ୍ୟମରେ ଏହାକୁ ବଞ୍ଚାଇ ରଖିବା ପାଇଁଁ ତୁଷୁରା ୟୁଥ୍ ଏକ୍ସନ କମିଟି ପକ୍ଷରୁ ଏବର୍ଷ ମଧ୍ୟ ଚତୁର୍ଥ ମହୋତ୍ସବ ଆୟୋଜନ କରାଯାଇଛି । ପ୍ରାରମ୍ଭରେ ତୁଷୁରାର ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ବାଳକ ହାଇସ୍କୁଲ ଖେଳପଡିଆ ଠାରେ ମଞ୍ଚ ସମ୍ମୁଖରେ ସ୍ଥାପନ କରାଯାଇଥିଲା । ଏହି ସାଂସ୍କୃତିକ ଶୋଭାଯାତ୍ରାରେ କୁମ୍ଭାରୀର ଆଦିବାସୀ ନୃତ୍ୟ, ପୁରୀର ନାଗଭେଦ ସାଂସ୍କୃତିକ ଅନୁଷ୍ଠାନ ଆଦି ସାଂସ୍କୃତିକ ଦଳ ସହ କଲେଜ ଛାତ୍ରୀ ସାମିଲ ହୋଇଥିଲେ । ତୁଷୁରା ଏନ୍ଏସି ଉପାଧ୍ୟକ୍ଷା ମାମୀ ଦାସ, ଗୁଡଭେଲା ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ତୋଷାଳୀ ମହୋତ୍ସବ କମିଟି ସଭାପତି ବ୍ରାହ୍ମାନନ୍ଦ ପାଣ୍ଡିଆଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ ଯୋଗଦେଇ ଐତିହାସିକ ଗଡର ସଂସ୍କୃତିକୁ ମହୋତ୍ସବ ମାଧ୍ୟମରେ ପୁନଃ ଜାଗରଣ କରିବା ପାଇଁ କମିଟିକୁ ଧନ୍ୟବାଦ ଦେଇଥିଲେ । ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଷ୍ଣୁ ପ୍ରସାଦ କେଡିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହୋତ୍ସବ କମିଟି ଚେୟାରମେନ ସୁରେଶ ସାହୁ, ଉପସଭାପତି ଦେବବ୍ରତ ପାଣିଗ୍ରାହୀ, ସଂପାଦକ ଜିତେନ୍ଦ୍ର ମହାପାତ୍ର, ଏକ୍ସନ କମିଟି ସଭାପତି ଲିସନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାର୍ଟି ଯୋଗଦେଇ ଅଞ୍ଚଳରେ ଏତେ ବଡ ମହୋତ୍ସବ ଆୟୋଜନ କରାଯିବା ଅଞ୍ଚଳର ସଂସ୍କୃତିର ବିକାଶ ହେବ ସହ କଳାକାରଙ୍କ ପାଇଁ ସମୃଦ୍ଧି ଆଣିବ ବୋଲି କହିବା ସହ ଏଠାକାର ସମୃଦ୍ଧ ଇତିହାସରେ ଲିପିବଦ୍ଧ ବୋଲି କହିଥିଲେ । କମିଟି ଚେୟାରମେନ ସୁରେଶ ସାହୁ ସ୍ୱାଗତ ଭାଷଣ ଦେବା ସହ ମହୋତ୍ସବର ପ୍ରତିଷ୍ଠାତ ସଦସ୍ୟ ସ୍ୱର୍ଗତ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କ ନାଁରେ ମଞ୍ଚକୁ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସୁଧୀର ନାଏକ ମଞ୍ଚ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମ୍ବଲପୁରୀ ଗାୟକ ଆଶିଷ କୁମ୍ଭାର, ବିଶ୍ଵଜିତ ସାହୁ, ଶ୍ରେୟାଂସ ଶେଖର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ । ଅଘୋରି ନୃତ୍ୟ, ନଟରାଜ ସଂଗୀତ ବିଦ୍ୟାଳୟର ଓଡିଶୀ, ସୁନ୍ଦରଗଡର ସାନ୍ତାଳୀ ନୃତ୍ୟ, ସାଇସ୍ୱର୍ଣ୍ଣ କଳା ପରିଷଦ ବଲାଙ୍ଗିର ନିଜ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ ।