om academy

ଏମ୍‌ଆଇଏଫଏଫ ୨୦୨୪ରେ ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ବଜାର ଉଦ୍‌ଘାଟିତ

jsm
  • ଡକ୍ୟୁ ଫିଲ୍ମ ବଜାର ଏକ ଇଣ୍ଟରଆକ୍ଟିଭ୍ ହବ୍ ହେବାକୁ ଚାହୁଁଛି, ଯାହା ପ୍ରତିଷ୍ଠିତ ପେସାଦାର ଏବଂ ଉଦୀୟମାନ ପ୍ରତିଭାମାନଙ୍କ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରୁଛି

ନୂଆଦିଲ୍ଲୀ, (ପିଆଇବି) : ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫଏଫ)ରେ ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ବଜାର ଉଦ୍‌ଘାଟିତ ହୋଇଛି । ଦକ୍ଷିଣ ଏସିଆରେ ଅଣ-ଫିଚର ଚଳଚ୍ଚିତ୍ର ପାଇଁ ପ୍ରିମିୟର ପ୍ଲାଟଫର୍ମ ଭାବରେ ଏହା ଏମ୍‌ଆଇଏଫଏଫର ମାନ୍ୟତା ସୁଦୃଢ଼ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ପ୍ରାମାଣିକ ଚଳଚ୍ଚିତ୍ର ବଜାର ଏକ ଅଗ୍ରଣୀ ପଦକ୍ଷେପ ଯାହା ଚଳଚ୍ଚିତ୍ର ନିର୍ମାତାଙ୍କୁ କ୍ରେତା, ପ୍ରଯୋଜକ ଏବଂ ସହଯୋଗୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରି ପ୍ରମାଣିକ ଚଳଚ୍ଚିତ୍ର ଶିଳ୍ପକୁ ଉନ୍ନତ କରିବା ଲକ୍ଷ୍ୟ ରଖିଛି । ଏନ୍‌ଏଫଡିସି କମ୍ପ୍ଲେକ୍ସରେ ୧୬ରୁ ୧୮ ଜୁନ୍ ୨୦୨୪ ପର୍ଯ୍ୟନ୍ତ ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମରେ ୧୦ଟି ଦେଶରୁ ପ୍ରାୟ ୨୦୦ଟି ପ୍ରକଳ୍ପ ଆକର୍ଷିତ ହୋଇଛି, ଯେଉଁଥିରେ ୨୭ଟି ଭାଷାକୁ ପ୍ରତିନିଧିତ୍ୱ କରାଯାଇଛି । ଏନ୍‌ଏଫଡିସିର ମହୋତ୍ସବ ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦ୍ଦେଶକ ପୃଥୁଲ କୁମାର ଏବଂ ପିଆଇବି (ପଶ୍ଚିମ ଜୋନ୍) ଏଡିଜି ତଥା ସିବିଏଫସିର ସିଇଓ ସ୍ମିତା ବତ୍ସ ଶର୍ମାଙ୍କ ଉପସ୍ଥିତିରେ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀମତୀ ଅପୂର୍ବ ବକ୍ସି ଏହି ଡକ୍ ଫିଲ୍ମ ବଜାରକୁ ଉଦ୍‌ଘାଟନ କରିଥିଲେ । ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀମତୀ ଅପୂର୍ବ ବକ୍ସି ବଜାରର ସୁଯୋଗକୁ ପ୍ରଭାବଶାଳୀ ସହଯୋଗ ପାଇଁ ଉପଯୋଗ କରିବାକୁ ଅନୁରୋଧ କରିଥିଲେ । ‘ଆସନ୍ତୁ ଏଠାରେ ଥିବା ସମୟରେ ନୂତନ ଚିନ୍ତାଧାରା, ସମ୍ଭାବନା ଏବଂ ସହଯୋଗକୁ ଧରିବା, ବାର୍ତ୍ତାଳାପ କରିବା ଏବଂ ଅନୁସନ୍ଧାନ କରିବା’, ସେ କହିଥିଲେ । ଏହି ବଜାରରେ ତିନୋଟି କ୍ୟୁରେଟେଡ୍ ଭର୍ଟିକାଲ୍ ରହିବ:କୋ-ପ୍ରଡକ୍ସନ ମାର୍କେଟ ବା ସହ-ପ୍ରଯୋଜନା ବଜାର: ୧୬ଟି ପ୍ରୋଜେକ୍ଟ ଥିବା ଏହି ସେଗମେଣ୍ଟରେ ବିଶ୍ୱବ୍ୟାପୀ ସମ୍ଭାବ୍ୟ ସହଯୋଗୀ, ପ୍ରଯୋଜକ, ସହ-ପ୍ରଯୋଜକ ଏବଂ ଅର୍ଥଲଗାଣଙ୍କ ସହ ଚଳଚ୍ଚିତ୍ର ନିର୍ମାତାଙ୍କୁ ସଂଯୋଗ କରାଯାଇଛି । ୱାର୍କ-ଇନ୍-ପ୍ରୋଗ୍ରେସ୍ (ଡବ୍ଲ୍ୟୁଆଇପି) ଲ୍ୟାବ୍: ରଫ୍-କଟ୍ ପର୍ଯ୍ୟାୟରେ ୬ଟି ପ୍ରକଳ୍ପକୁ ପ୍ରଦର୍ଶିତ କରୁଥିବା ଏହି ଲ୍ୟାବ୍ ବା ପ୍ରୟୋଗଶାଳା ଏହି ଚଳଚ୍ଚିତ୍ରଗୁଡ଼ିକୁ ସଂଶୋଧନ କରିବା ପାଇଁ ଶିଳ୍ପ ପେସାଦାର ମାନଙ୍କଠାରୁ ଅମୂଲ୍ୟ ମତାମତ ଏବଂ ପରାମର୍ଶ ପ୍ରଦାନ କରିଥାଏ । ପ୍ରଦର୍ଶନୀ କୋଠରୀ : ୧୦୬ଟି ସମ୍ପୂର୍ଣ୍ଣ ପ୍ରାମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଆନିମେସନ୍ ଚଳଚ୍ଚିତ୍ରକୁ ପ୍ରତିନିଧିଙ୍କ ଏକ କ୍ୟୁରେଟେଡ୍ ଦର୍ଶକଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ, ବିତରଣ ଚୁକ୍ତି ଏବଂ ପାଣ୍ଠି ଯୋଗାଣ ପାଇଁ ସୁଯୋଗ ପ୍ରଦାନ କରିଥାଏ । ଏହି ସବୁ କ୍ଷେତ୍ର ବ୍ୟତୀତ, ବଜାର ଏକ ‘ଓପନ୍ କ୍ରେତା-ବିକ୍ରେତା ମିଟ୍’ ଆୟୋଜନ କରିବ, ଯାହା ଉତ୍ପାଦନ, ସିଣ୍ଡିକେସନ, ଅଧିଗ୍ରହଣ, ବିତରଣ ଏବଂ ବିକ୍ରୟ କ୍ଷେତ୍ରରେ ସହଯୋଗକୁ ସୁଗମ କରିବ । ଏକ ଉତ୍ସର୍ଗୀକୃତ ଅଧିବେଶନରେ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ ଏବଂ କର୍ପୋରେଟ୍ ବ୍ରାଣ୍ଡିଂ ମଧ୍ୟରେ ସମ୍ପର୍କ ବିଷୟରେ ମଧ୍ୟ ଅନୁସନ୍ଧାନ କରାଯିବ, ଯେଉଁଥିରେ ଫିକି ପରି ଶିଳ୍ପ ନେତୃବୃନ୍ଦ ବ୍ରାଣ୍ଡ ବୃଦ୍ଧି ଏବଂ ସାମାଜିକ ପ୍ରଭାବ ପାଇଁ ଏକ ଉପକରଣ ଭାବରେ ସିଏସ୍‌ଆର୍‌ ପାଣ୍ଠି ବିଷୟରେ ଆଲୋଚନା କରିବେ । ପ୍ରମାଣିକ ଚଳଚ୍ଚିତ୍ର ବଜାର ଏକ ଇଣ୍ଟରଆକ୍ଟିଭ୍ ହବ୍ ହେବାକୁ ଚାହୁଁଛି, ଯାହା ପ୍ରତିଷ୍ଠିତ ପେସାଦାର ଏବଂ ଉଦୀୟମାନ ପ୍ରତିଭାମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ । ଉତ୍ପାଦନର ବିଭିନ୍ନ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରି, ଏହା ବିଶ୍ୱବ୍ୟାପୀ ପ୍ରଭାବଶାଳୀ ଡକ୍ୟୁମେଣ୍ଟାରୀ ନିର୍ମାଣ ଏବଂ ବିତରଣକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି । ପ୍ରମାଣିକ ଚଳଚ୍ଚିତ୍ର ବଜାର ଚଳଚ୍ଚିତ୍ର ନିର୍ମାତାଙ୍କ ସ୍ୱରକୁ ବଢ଼ାଇବା ଏବଂ ଆନ୍ତର୍ଜାତିକ ସିନେମାରେ ଆକର୍ଷଣୀୟ କାହାଣୀକୁ ସାମ୍ନାକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଅଂଶଗ୍ରହଣକାରୀମାନେ ସାମ୍ପ୍ରତିକ ଧାରା, ବଜାର ଚାହିଦା, ବିତରଣ ରଣନୀତି ଏବଂ ଦର୍ଶକଙ୍କ ପସନ୍ଦ ବିଷୟରେ ମୂଲ୍ୟବାନ ଜ୍ଞାନ ହାସଲ କରିବେ । ଶିଳ୍ପ ବିଶେଷଜ୍ଞମାନେ ପ୍ରକଳ୍ପଗୁଡ଼ିକୁ ସେମାନଙ୍କର ସମ୍ପୂର୍ଣ୍ଣ ସମ୍ଭାବନା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ବୁଝାମଣାପୂର୍ଣ୍ଣ ମତାମତ ପ୍ରଦାନ କରିବେ । ଏହି ବଜାରରେ ମହାରାଷ୍ଟ୍ର ଫିଲ୍ମ, ମଞ୍ଚ ଓ ସାଂସ୍କୃତିକ ବିକାଶ ସହଯୋଗ ଲିମିଟେଡ୍, ଜମ୍ମୁ-କାଶ୍ମୀର, ଆଇଡିପିଏ, ସିନଡେବ୍ ଆଦି ବିଭିନ୍ନ ଅନୁଷ୍ଠାନର ଷ୍ଟଲ୍ ରହିଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀଲଙ୍କା, ବେଲାରୁସ୍, ଇରାନ ଓ ଆର୍ଜେଣ୍ଟିନା ଭଳି ଦେଶର ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.