jayashree

ହରିଶଙ୍କର ଚତୁର୍ଦ୍ଦଶୀ ମେଳା ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ତୀର୍ଥପୀଠ ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ପବିତ୍ର ବେଦଧ୍ୱନି ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ପାପନାଶିନୀ ଝରଣାରୁ କଳସରେ ଜଳ ଆଣି ଅଭିଷେକ କରାଯାଇ ଯଜ୍ଞ ମଣ୍ଡପଠାରେ ସ୍ଥାପନ କରାଯାଇଥିଲା । କଳସ ଶୋଭାଯାତ୍ରାରେ ବିଭିନ୍ନ ସରକାରୀ ପଦାଧିକାରୀ, ରାଜନେତା, ନିର୍ବାଚିତ ପ୍ରତିନିଧି, ଦେବୋତ୍ତର କମିଟି ସଦସ୍ୟ, ସବ କମିଟି ସଭ୍ୟ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସାଧାରଣ ଜନତା ସାମିଲ ହୋଇଥିଲେ । ଯଜ୍ଞ ମଣ୍ଡପରେ ସ୍ତମ୍ଭତୋରଣ, ଦେବତା ଆମନ୍ତ୍ରଣ, ପୀଠ ପୂଜା, ଦ୍ୱାରପାଳ ପୂଜା, ଅଗ୍ନି ସ୍ଥାପନ କରାଯାଇ ହୋମଯଜ୍ଞ ଆରମ୍ଭ କରାଯାଇଥିଲା । ପଣ୍ଡିତ ସୁନନ୍ଦ ସାଗର ଯୋଶୀ, ଲକ୍ଷ୍ମୀକାନ୍ତ ମିଶ୍ର, ସୁଲଭ ଦାସ, ରଜନୀକାନ୍ତ ଠାକୁର, କୃଷ୍ଣ ବେଜ, ତନ୍ମୟ ଦାସ, ସୁଶାନ୍ତ କୁମାର ଠାକୁର, ସୁରେଶ ପଣ୍ଡା ପ୍ରମୁଖ ବୈଦିକ ବ୍ରାହ୍ମଣମାନେ ଯୋଗଦେଇ ହୋମଯଜ୍ଞରେ ଆହୁତି ଦେଇଥିଲେ । ପ୍ରଥମ ଦିନ ପାଇଁ ପୂଜା କର୍ତ୍ତା ଭାବେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଓ ତାଙ୍କ ସ୍ୱାମୀ ଯଜ୍ଞରେ ପୂଜା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ତାଙ୍କ ସଙ୍ଗେ ଦମେଇପାଲି ନିବାସୀ କନ୍ଦର୍ପ ସୁଆର ଓ ତାଙ୍କ ଧର୍ମପତ୍ନୀ ଦୟମନ୍ତୀ ସୁଆର, କିରାବାହାଲ ନିବାସୀ ସାନନ୍ଦ ଠାକୁର ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଠାକୁର, ବାଙ୍କିବାହାଲ ନିବାସୀ ପଞ୍ଚାନନ ଯୋଶୀ ଓ ତାଙ୍କ ସ୍ତ୍ରୀ ସ୍ୱର୍ଣ୍ଣ ଯୋଶୀ, ସଇଁତଲା ନିବାସୀ ସୁବ୍ରତ ନାଗ ଓ ତାଙ୍କ ସ୍ତ୍ରୀ ଶୁଚିସ୍ମିତା ବଗର୍ତ୍ତୀ ପ୍ରମୁଖ ମଧ୍ୟ ପୂଜା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ । ହରିଶଙ୍କର ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ପ୍ରଥମ ଦିନରେ ବହୁତ କମ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା । ବିଭିନ୍ନ ସଂଗଠନ ସହଯୋଗରେ ଜଳଛତ୍ର ଖୋଳାଯାଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ଭୁଲିଆ ସମାଜ ଏବଂ ଯୁବ କୁଲତା ସମାଜ ପକ୍ଷରୁ ମାଗଣା ଅନ୍ନଛତ୍ର ଖୋଲା ଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.