ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ମୃତ୍ୟୁବରଣ କରୁଥିବା ଆବାଳ ବୃଦ୍ଧବନିତାଙ୍କ ମୃତଦେହକୁ ଦାହ ପାଇଁ ବେଦବ୍ୟାସ ସ୍ଥିତ ଶ୍ମଶାନ ଘାଟକୁ ନେବା ପାଇଁ ବେଳେ ବେଳେ ମୃତବ୍ୟକ୍ତିଙ୍କ ଆତ୍ମୀୟସ୍ଵଜନ ମାନେ ଅର୍ଥ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ଏପରି ଘଟଣା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟିକୁ ଆସିବା ପରେ ଏପରି ସମସ୍ୟାର ସମାଧାନ ପାଇଁ ବିଧାୟକ ଶ୍ରୀ ଦୁର୍ଗା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଶବ ବାହକ ଗାଡି ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ଦୁର୍ଗାଙ୍କ ଅନୁରୋଧ ରକ୍ଷା କରି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏକ ବାହନ ଯୋଗାଇଦେଇଥିଲେ । ଏହି ଗାଡି ଦୀର୍ଘକାଳ ପର୍ଯ୍ୟନ୍ତ ଉଚିତ ପରିଚାଳନା କରିବା ପାଇଁ ଦିନଦାୟଲ ଉପାଧ୍ୟାୟ ସେବା ସମିତି ନାମରେ ଏକ ଟ୍ରଷ୍ଟ ଗଠନ କରି ଉକ୍ତ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ଏହି ଶବ ବାହକ ଗାଡିର ପରିଚାଳନା ଦାୟିତ୍ଵ ପ୍ରଦାନ କରିଥିଲେ । ଆଜି ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୫ ସ୍ଥିତ ଗୋଲଘର ସ୍ଥିତ ଶିବ ମନ୍ଦିର ସମ୍ମୁଖ ପଡ଼ିଆଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପସ୍ଥିରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ବିଦ୍ଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ବୈକୁଣ୍ଠ ରଥ ନାମରେ ନାମିତ ଏହି ଶବ ବାହକ ଗାଡିଟିର ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଟ୍ରଷ୍ଟର ସଦସ୍ୟ ଅକ୍ଷୟ ଦାଶ, ଅଜୟ କଂସାରୀ, ଜୀତେନ୍ଦ୍ର ମହାନ୍ତି, ଲତିକା ପଟ୍ଟନାୟକ ତଥା ବିଜେପି ନେତା ସୁବ୍ରତ ପଟ୍ଟନାୟକ, ଗଙ୍ଗାଧର ଦାଶ, ସତ୍ୟ ସାହୁ, ସନ୍ତୋଷ ବିରାଟ, ମନୋଜ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
Prev Post
Next Post