ଦାଦନ ଚାଲାଣ ହେଉଥିବା ବେଳେ ଶିଶୁଙ୍କ ସହ ୨୮ ଜଣଙ୍କୁ ଉଦ୍ଧାର କଲା ପୋଲିସ : ପିକ୍ଅପ୍ ବୋଲେରୋ ଜବତ, ମୁଖ୍ୟ ସର୍ଦାର ଫେରାର୍
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରୁ ଦାଦନ ଚାଲାଣ ହେଉଥିବା ବେଳେ ଗତ ଶନିବାର ବିଳମ୍ବିତ ରାତିରେ ସଇଁତଲା ପୋଲିସ ଖବର ପାଇ ଶିଶୁଙ୍କ ସମେତ ୨୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଗାଁରେ ଛାଡି ଦେଇଥିବା ଜଣାପଡିଛି । ଏ ଘଟଣାକୁ ନେଇ ପୋଲିସ ଥାନା କେଶ ନଂ ୩୦୫/୨୨ରେ ଏକ ମାମଲା ରୁଜୁ କରି ମୁଖ୍ୟ ସର୍ଦାର ମୁରିବାହାଲ ଥାନା ଅନ୍ତର୍ଗତ ଅନାରନ୍ଧର ଗାଁର ପପୁ ପାତ୍ର, ଡ୍ରାଇଭର ନୂଆଁମୁଣ୍ଡା (କଛାରପାଲି)ର ଗଜପତି ଭୋଇ ଫେରାର୍ ଥିବା ବେଳେ ଅନ୍ୟ ଆଉ ଜଣେ ପେଟି ସର୍ଦାର କୁମ୍ବେକେଲା ଗାଁ ବଳଦେବ ବଗର୍ତ୍ତିଙ୍କୁ ପୋଲିସ ଅଟକ ରଖି ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ସହିତ ତଦନ୍ତ ଜାରି ରଖିଥିବା ଜଣାଯାଇଛି । ପ୍ରକାଶ ଯେ, ସଇଁତଲା ଥାନା କୁମ୍ଭାରୀ ପଞ୍ଚାୟତର କୁମ୍ବେକେଲା ଗ୍ରାମର ୮ ଗୋଟି ପରିବାରର ୧୦ ଜଣ ଶିଶୁ, ୮ ଜଣ ମହିଳା ଓ ୧୦ ପୁରୁଷଙ୍କୁ ଦାଦନ ସର୍ଦାର କଣ୍ଟାବାଞ୍ଜି ରେଲୱେ ଷ୍ଟେସନକୁ ଏକ ବଲେରୋ ପିକ୍ଅପ୍ ଗାଡି ନଂ 0R03H 3348 ଯୋଗେ ହାଇଦ୍ରାବାଦ ଅଭିମୁଖେ ଦାଦନ ଶ୍ରମିକମାନଙ୍କୁ ଚାଲାଣ କରୁଥିବା ବେଳେ କିଛି ବିଶ୍ୱସ୍ତ ସୂତ୍ର ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଖବର ପାଇ ସଇଁତଲା ଓ ଟିକ୍ରାପଡା ପୋଲିସକୁ ଏକ ଟିମ୍ ଗଠନ କରି ଟିକ୍ରାପଡା ଠାରେ ଜଗି ରହିଥିଲେ । ବିଳମ୍ବିତ ରାତିରେ ସର୍ଦାର ଶ୍ରମିକମାନଙ୍କୁ ନେଉଥିବା ବେଳେ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଯାଇଥିଲା । ଏଥିରେ ଉଦ୍ଧାର ଶ୍ରମିକମାନେ ହେଲେ ରାଜୀବ ବାଗ, ଶ୍ୟାମସୁନ୍ଦର ବାଗ, ଶଶୀଧର ବଗର୍ତ୍ତି, ପୁଷ୍ପାଞ୍ଜଳି ବଗର୍ତ୍ତି, କୌତୁକ ବଗର୍ତ୍ତି, ଦାମୋଦର ବଗର୍ତ୍ତି, ଶୁକୃ ରଣାଙ୍କ ସମେତ ମହିଳା ଓ ଶିଶୁ ୨୮ ଜଣଙ୍କୁ ପୋଲିସ ଉଦ୍ଧାର କରି ନିଜ ଗାଁ କୁମ୍ବେକେଲା ଉଭୟ ଶ୍ରମିକମାନଙ୍କୁ ଛାଡି ଦେଇଥିଲେ । ଏହି ଚଢ଼ାଉ ସମୟରେ ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ସଇଁତଲା ଏସଆଇ ସଂଗୀତା ବେକ ଉପସ୍ଥିତ ଥିଲେ ।