ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଆହ୍ୱାନ କ୍ରମେ ଟିଟିଲାଗଡ ପୌରପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସହ ପୂର୍ତ୍ତ ବିଭାଗ, ପୌରପରିଷଦ ଓ ରେଲବିଭାଗର ସଦସ୍ୟ ଉପସ୍ଥିତ ଥିଲେ । ଟିଟିଲାଗଡରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ତଦାରଖ କରିବା ସହ ଅଟକି ରହିଥିବା କାର୍ୟ୍ୟ କିପରି ଆରମ୍ଭ ହୋଇପାରିବ, ତାହା ଆଲୋଚନା କରିଥିଲେ । ଦୀର୍ଘ କୋଡ଼ିଏ ବର୍ଷରୁ ଦାବୀ ହେଉଥିବା ପ୍ରାୟ ଚଉଷଠି କୋଟି ଟଙ୍କାରେ ନିର୍ମାଣ ହେଉଥିବା ରେଳବାଇ ଓଭର ବ୍ରିଜ ବର୍ତ୍ତମାନ ଶେଷ ହେବା ପାଇଁ ଯାଉଛି । +୩ ମହିଳା ବିଦ୍ୟାଳୟ ପାଇଁ ଚାଁରଭଟାରେ ନୂତନ ସରକାରୀ ବସ୍ ଷ୍ଟାଣ୍ଡର ସାମ୍ନାରେ ସ୍ଥାନ ନିରୂପଣ ହୋଇଥିବା ବେଳେ କାମ ଶୀଘ୍ର ଆରମ୍ଭ କରିବା ପାଇଁ ସେ କହିଛନ୍ତି । ଟିଟିଲାଗଡ ସହରରେ ଥିବା ମୁଖ୍ୟ ଡ୍ରେନେଜ୍ ସମସ୍ୟାକୁ ଦୂର କରିବା ପାଇଁ ପୌରପରିଷଦକୁ କହିଛନ୍ତି । ଟିଟିଲାଗଡର କୁମୁଡ଼ା ପାହାଡକୁ ସୌନ୍ଦର୍ୟ୍ୟକରଣ କରିବା ପାଇଁ ବିଭିନ୍ନ ବିଭାଗରୁ ଟଙ୍କା ସ୍ଵୀକୃତି କରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ରୋପ ୱେ ତିଆରି ପାଇଁ ହେଉଥିବା ଅସୁବିଧାକୁ କିପରି ଦୂର କରାଯିବ, ତାହା ଆଲୋଚନା କରିଥିଲେ । ଦେଓ ବନ୍ଧ, ମହାରାଜ ସାଗର ସହିତ ମୁଡ଼ା ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ୟ୍ୟକରଣ ପାଇଁ ଆଲୋଚନା କରିଥିଲେ । ଟିଟିଲାଗଡରେ ଏକ ଆଇଟିଆଇ କଲେଜ ନିର୍ମାଣ ପାଇଁ ଅନେକ ଦିନରୁ ଅଟକି ରହିଥିବା ଇଡ୍‌କୋ ନେଇଥିବା ଟେଣ୍ଡର କିପରି ଶୀଘ୍ର ଆରମ୍ଭ ହେବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ କହିଛନ୍ତି । ଟିଟିଲାଗଡର ହାଟପଦା ପଡାରେ ନିର୍ମାଣ ହୋଇଥିବା ଭୂତଳ ପୋଲରେ ପାଣି ଜମା ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ରେଳ ବିଭାଗ କର୍ମଚାରୀଙ୍କୁ ଗୋଟିଏ ମାସର ସମୟ ମଧ୍ୟରେ ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଟିଟିଲାଗଡ ଜୋର୍ ନିକଟରେ ଥିବା ଶ୍ମଶାନର ଉନ୍ନତିକରଣ କାର୍ୟ୍ୟ ତଦାରଖ କରିଥିଲେ । ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ କର୍ମଚାରୀ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ ଗୁଡ଼ିକ ପରିଭ୍ରମଣ କରି ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.