- ବାଳିକା ୧୫ଓ ୧୭ ବର୍ଷରୁ କମ ଉଭୟ ବର୍ଗର କ୍ୱାର୍ଟରରେ ଓଡ଼ିଆ ଖେଳାଳୀ ତନଭି ପତ୍ରି
- ଟପ ସିଡ ସାଇନା ମଣିମୁଥୁ ଉଭୟ ବାଳିକା ସିଙ୍ଗଲ ବିଭାଗରୁ ବିଦାୟ
- ହାରିଲେ ଓଡ଼ିଆ ଖେଳାଳୀ ବାପୁନ ରାଉତ
- କ୍ଵାଟର ପହଁଚିଲେ ବାଳିକା ଡବଲସରେ ଓଡ଼ିଆ ଖେଳାଳୀ ସ୍ଵାତି – ନିମିଶା
- ଆସାମ ଖେଳାଳୀ ଶାନ୍ତିପ୍ରିୟା ହଜାରିକାଙ୍କ ଉଭୟ ବର୍ଗର ବାଳିକା ସିଙ୍ଗଲରେ ଚମତ୍କାର ପ୍ରଦର୍ଶନ
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ)ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପର ତୃତୀୟ ଦିନରେ ସର୍ବମୋଟ ୧୧୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ତୃତୀୟ ଦିନର ଖେଳରେ ଓଡ଼ିଆ ଖେଳାଳୀ, ଟାଇଟଲ ଦାବିଦାର ତନଭି ପତ୍ରି ୧୫ବର୍ଷରୁ କମ ବିଭାଗରେ ରାଜସ୍ଥାନର ଅନଭି ରାଠୋରଙ୍କୁ ୨୧-୭ଓ ୨୧-୮ ପଏଣ୍ଟର ଦୁଇଟି ଗେମରେ ପରାଜିତ କରି କ୍ଵାଟର ଫାଇନାଲରେ ପହଞ୍ଚିଛନ୍ତି । ଏହି ବର୍ଗରେ ଟପସିଡ ମାନିମୁଥୁ ନିଜ ପ୍ରତିଦ୍ୱନ୍ଦୀ ତାମିଲନାଡୁର ଅନୁଶ୍ରୀ ଜି. ଏସ୍.ଙ୍କ ଠାରୁ ହାରି ଟାଇଟଲ ଦୌଡ଼ରୁ ବାହାରିଯାଇଛନ୍ତି । ୧୭ ବର୍ଷରୁ କମ ବାଳିକା ସିଙ୍ଗଲ ବିଭାଗରେ ତନଭି ପତ୍ରି ନିଜ ପ୍ରତିଦ୍ୱନ୍ଦୀ କର୍ଣ୍ଣାଟକ ଖେଳାଳୀ ହିତାଶ୍ରୀ ଏଲ.ଙ୍କୁ ୨୧-୧୨,୨୧-୧୪ ଦୁଇଟି ଗେମରେ ପରାସ୍ତ କରି ପ୍ରତିଯୋଗିତାର କ୍ଵାଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଓଡ଼ିଆ ଖେଳାଳୀ ବାପୁନ ରାଉତ ନିଜ ୧୭ ବର୍ଷରୁ କମ ସିଙ୍ଗଲ ବାଳକ ବିଭାଗରେ ତେଲେଙ୍ଗାନାର ତନ୍ମନିହାଲ ଉତ୍ତମଙ୍କ ଠାରୁ ୧୬-୨୧,୨୧-୧୬ ଓ ୧୨-୨୧ର ସଂଘର୍ଷ ପୂର୍ଣ୍ଣ ଗେମରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ଏହି ବିଭାଗରେ ଟପସିଡ ପଞ୍ଜାବର ଜଗସେର ସିଂ, କର୍ଣ୍ଣାଟକର ପ୍ରଣବ ଏମ, ତେଲେଙ୍ଗାନାର ଶଶାଙ୍କ ଭନମକ୍ଷଳା, ରାଜସ୍ଥାନର ଜଗଜିତ ସିଂ ପ୍ରି-କ୍ଵାଟରରେ ପହଂଚିଛନ୍ତି । ବାଳିକା ୧୭ ବର୍ଷରୁ କମ ବାଳିକା ସିଙ୍ଗଲ ବିଭାଗରେ ଆସାମର ଶାନ୍ତିପ୍ରିୟା ହଜାରିକା ଟପ ସିଡ ସାଇନାଥ ମଣି ମୁଥୁଙ୍କୁ ହରାଇ ପ୍ରତିଯୋଗିତାର ବଡ ବିପର୍ଯ୍ୟୟ ଘଟାଇଛନ୍ତି । ୧୫ବର୍ଷରୁ କମ ବାଳିକା ଡବଲସ ବିଭାଗରେ ଓଡ଼ିଆ ଯୋଡି ନିମିଶା ଓଝା ଓ ସ୍ଵାତି ନାୟକ କେରଳ ଯୋଡି ଅଲେକ୍ସିଆଏଲସା-ଆଫ୍ରିନ କ୍ୱାଥୁନଙ୍କୁ ୨୩-୨୧,୨୧-୮ରେ ହରାଇ କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି । ଏହି ବିଭାଗରେ ଅନ୍ୟ ଦଳ ଭାବେ ତାମିଲନାଡୁ-ମଧ୍ୟପ୍ରଦେଶ ଯୋଡି ମଧ୍ୟହାମସିନୀ ଚନ୍ଦରମ-ନାଭିକା ସମାନୀ, ତାମିଲନାଡୁ ଯୋଡି ଭାବନ୍ଥିଗା-ୟାଝିନି ଏସ. କେ., ତାମିଲନାଡୁ ଯୋଡି ନୟୋନିକା-ଧନ୍ୟା ଏସ. ନିଜ ନିଜ ପ୍ରତିଦ୍ୱନ୍ଦୀଙ୍କୁ ହରାଇ କ୍ଵାଟର ଫାଇନାଲରେ ପହଞ୍ଚିଛନ୍ତି । ୧୫ବର୍ଷରୁ କମ ବାଳକ ବିଭାଗରେ ଟପସିଡ ପଞ୍ଜାବର ୱାଜିର ସିଂ, କର୍ଣ୍ଣାଟକର ପୁଷ୍କର ସାଇ, ତେଲେଙ୍ଗାନାର ଶ୍ରୀଚେତନ ସୌର୍ଯ୍ୟ, ରାଜସ୍ଥାନର ଅଂଶୁମାନ ଚୌଧୁରୀ, ହରିଆଣାର ଜୟବର୍ଦ୍ଧନ ହୁଡା, ଦିଲ୍ଲୀର ହର୍ଷିତ ଖତ୍ରୀ ପ୍ରମୁଖ ନିଜ ନିଜ ପ୍ରତିଦ୍ୱନ୍ଦୀଙ୍କୁ ହରାଇ କ୍ଵାଟର ଫାଇନାଲରେ ପହଂଚିଛନ୍ତି । ଗୁରୁବାର ଦିନ ସମସ୍ତ ବିଭାଗର କ୍ଵାଟର ଫାଇନାଲ ଖେଳ ଅନୁଷ୍ଠିତ ହେବ ।