- ସରପଞ୍ଚମାନଙ୍କୁ ଅଣଦେଖା ଗଣତନ୍ତ୍ର ପ୍ରତି ବିପଦ – ସରପଞ୍ଚ ସଂଗଠନ
ଭୁବନେଶ୍ୱର, (କେପିଏନ୍ଏସ୍) : ବାରମ୍ବାର ସରପଞ୍ଚମାନଙ୍କୁ ଅଣଦେଖା କରିବା ଭାରି ପଡିବ ସରକାରଙ୍କୁ । ଶାସନ ବ୍ୟବସ୍ଥାରେ ସରପଞ୍ଚ ଓ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ବେଳେ ସରକାରୀସ୍ତରରେ ସେମାନଙ୍କ ପ୍ରତି ଅଣଦେଖା କରିବା ଗଣତନ୍ତ୍ର ପ୍ରତି ବିପଦ ବୋଲି ରାଷ୍ଟ୍ରୀୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଚେତାଇ ଦିଆଯାଇଛି । ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ଓଡିଶା ଶାଖା ସଂଗଠନ ସଂପାଦକ ଡା. ରାଜାରାମ ଷଡଙ୍ଗୀ ମିଳିତ ଭାବେ ଏକ ପ୍ରେସ ବିବୃତି ଜାରି କରି କହିଛନ୍ତି ଯେ, ପଞ୍ଚାୟତର ବିକାଶରେ ବାରମ୍ୱାର ପ୍ରଶାସନିକ ହସ୍ତକ୍ଷେପ ଓ ବିଭାଗୀୟ କାର୍ଯ୍ୟ ନାମରେ ଯେଉଁ ଭଳି ବିକାଶ ଅର୍ଥ ହରିଲୁଟ୍ ଚାଲିଛି ତାହା କେବଳ ସ୍ୱଚ୍ଛତା ପ୍ରତି କେବଳ ପ୍ରଶ୍ନ ଦାଗ ନୁହେଁ ବରଂ ଆମ ଓଡିଶା ନବୀନ ଓଡିଶା ଭଳି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ଦୂରେଇ ରଖିବା ସହିତ ବୋଲକରା ଭାବରେ ପ୍ରଶାସନିକ କଳ ବ୍ୟବହାର କରୁଛନ୍ତି ତାହାକୁ ନେଇ ନିର୍ବାଚିତ ସରପଞ୍ଚମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ପ୍ରଖରତର ହେବାକୁ ଲାଗିଲାଣି । ଯାହାର ନଗ୍ନ ନମୁନା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଦେଖାଦେଇଛି । ଉନ୍ନୟନମୂଳକ କାର୍ଯ୍ୟରେ ସରପଞ୍ଚମାନଙ୍କୁ ସାମିଲ ନକରିବା ଏବଂ ପ୍ରଶାସନିକସ୍ତରରେ ସମ୍ପୂର୍ଣ୍ଣ ଉପେକ୍ଷା ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ୨୨ ପଞ୍ଚାୟତରୁ ୧୯ ସରପଞ୍ଚ ଏକାଠି ହୋଇ ତେଲକୋଇ ବିଡିଓଙ୍କୁ ସେମାନଙ୍କ ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି । ପୁନଶ୍ଚ ସମ୍ବଲପୁର ଜିଲ୍ଲା ବାମରା ବ୍ଲକରେ ମଧ୍ୟ ସମାନ ଅଭିଯୋଗ ଆଣି ବ୍ଲକର ସମସ୍ତ ସରପଞ୍ଚ ଜଗନ୍ନାଥ ପରିକ୍ରମାରୁ ନିଜକୁ ଦୂରେଇ ରଖିବା ଭଳି ନିଷ୍ପତ୍ତି ନେଇ ସରପଞ୍ଚମାନଙ୍କୁ ଅଣଦେଖା କରିବା ନେଇ ଆଗକୁ କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚମାନଙ୍କ ଅସନ୍ତୋଷ ବଢୁଥିବା ବେଳେ ସରକାର ମଧ୍ୟ ନିଜ ଜିଦରେ ଅଟଳ ରହିଛି । ରାଜ୍ୟ ସରପଞ୍ଚ ସଂଘ ୧୫ ଦଫା ଦାବି ନେଇ ରାଜରାସ୍ତାରୁ ବିଧାନସଭା ଯାଏ ରଣହୁଙ୍କାର କରିଥିଲେବି ଡିସେମ୍ୱର ୩୦ ତାରିଖ ସୁଦ୍ଧା ଦାବିର ବିଚାର ନେଇ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କଲେନି । ଫଳରେ ରାଜ୍ୟର ସଂଖ୍ୟାଧିକ ସରପଞ୍ଚମାନଙ୍କ ମଧ୍ୟରେ ପୁଞ୍ଜିଭୂତ କୋହ ରହିଛି । ଏହାକୁ କେହି ଅଟକାଇ ପାରିବେ ନାହିଁ । ଏପରିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କୁ ସରକାରୀ ଅଙ୍କୁଶ ପରି ବିଧାୟକ ମନ୍ତ୍ରୀଙ୍କ ମଧ୍ୟ ସମଦଶା ଓ ଏକ ମାତ୍ର ୫ଟି ସବୁରି ମୂଳ ପ୍ରତିବନ୍ଧକ ବୋଲି କେବଳ ସରପଞ୍ଚ ନୁହେଁ ବରଂ ସର୍ବସାଧାରଣରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଭଳି ଚର୍ଚ୍ଚା ଗଣତନ୍ତ୍ର ପ୍ରତି ଖୁବ ବିପଦ । ସରକାର ଉପରକୁ ଯାହା ଭାବୁଛନ୍ତି ତାହା ଭିତରୁ ନୁହେଁ । ସରପଞ୍ଚମାନଙ୍କ ମଧ୍ୟରେ ରହିଥିବା ପୁଞ୍ଜିଭୁତ କୋହକୁ ସରକାର ହାଲୁକା ଭାବେ ଗ୍ରହଣ କରି ସରପଞ୍ଚମାନଙ୍କୁ ଅଣଦେଖା କଲେ ସରକାର ନିଜ ପ୍ରତି ବିପଦ ଟାଣି ଆଣିବା ସମାନ ହୋଇଥିବାରୁ ସରକାର ସରପଞ୍ଚମାନଙ୍କ ଦାବି ପ୍ରତି ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବେ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂଗଠନ ସଂପାଦକ ଡା. ଷଡଙ୍ଗୀ ଆଶା ପୋଷଣ କରିଛନ୍ତି ।