ଭାରତ ଗୌରବ ଟ୍ରେନ ଆସନ୍ତା ଅଗଷ୍ଟ ୧୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ରେଲୱେ କେଟେରିଂ ଆଣ୍ଡ ଟୁରିଜିମ କର୍ପୋରେସନ୍ ଲିମିଟେଡ (ଆଇଆର୍‌ସିଟିସି) ପକ୍ଷରୁ ମାତା ବୈଷ୍ଣୋଦେବୀ ତଥା ଉତ୍ତର ଭାରତ ଦର୍ଶନ ପାଇଁ ଭାରତ ଗୌରବ ଟ୍ରେନ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ କୋଲକତାରୁ ବାହାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାଉରକେଲା ରେଳ ଷ୍ଟେସନର ଫୁଡ ପ୍ଲାଜାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନାକାରୀ କିଙ୍କର ରାୟ ଚୌଧୁରୀ ଓ ନିଖିଳ ପ୍ରସାଦ ତଥା ଷ୍ଟେସନ ଅଫିସର ଅଭିଜିତ ବେହେରା ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଭାରତ ଗୌରବ ହେଉଛି ଭାରତ ସରକାରଙ୍କ ପ୍ରଥମ ଟୁରିଜିମ୍ ସ୍ପେସାଲ ଟ୍ରେନ ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଏବଂ ‘ଦେଖୋ ଆପନା ଦେଶ’ର ପରିଚୟ ବହନ କରୁଛି । ଏହି ସ୍ପେସାଲ ଟୁରିଷ୍ଟ ଟ୍ରେନଟି ହରିଦ୍ବାର, ଋଷିକେଶ, ମାତା ବୈଷ୍ଣୋଦେବୀ, ସ୍ୱର୍ଣ୍ଣ ମନ୍ଦିର, ୱାଘା ବର୍ଡର, ତାଜମହଲ, ମଥୁରା, ବୃନ୍ଦାବନ, ଅଯୋଧ୍ୟା ଭଳି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିବ । ଏହି ଟ୍ରେନ କଲିକତା ରେଳ ଷ୍ଟେସନରୁ ଅଗଷ୍ଟ ୧୧ତାରିଖରୁ ବାହାରି ୧୦ ରାତି ଓ ୧୧ ଦିନ ଧରି ପରିଭ୍ରମଣ କରିବା ସହିତ ମେଛଦା, ଖଡଗପୁର, ମେଦିନାପୁର, ଟାଟାନଗର, ପୁରୁଲିଆ, ରାଞ୍ଚି, ବୋକାରୋ ଷ୍ଟିଲ ସିଟି, ଧାନବାଦ, ହଜାରିବାଗ ରୋଡ, କୋଡେରମା, ଗୟା, ସାସାରାମ, ଦୀନଦୟାଲ ଉପାଧ୍ୟାୟ ଭଳି ସ୍ଥାନରୁ ତୀର୍ଥଯାତ୍ରୀଙ୍କୁ ନେଇ ପରିଭ୍ରମଣ କରିବ । ଏହି ସମସ୍ତ ସ୍ଥାନ ପରିଭ୍ରମଣ ପାଇଁ ଆଇଆର୍‌ସିଟିସି ପକ୍ଷରୁ ତିନି ଶ୍ରେଣୀର ପ୍ୟାକେଜ୍ ଧାର୍ଯ୍ୟ କରାଯାଇଛି । ଇକୋନୋମିକ୍ ସ୍ଲିପର ଶ୍ରେଣୀର ୫୮୦ଟି ସିଟ୍ ପାଇଁ ତୀର୍ଥଯାତ୍ରୀ ପିଛା ୧୭.୭୦୦ ଟଙ୍କା, ଷ୍ଟାଣ୍ଡାର୍ଡ କ୍ଲାସ୍ ବା ଏସି ଶ୍ରେଣୀର ୭୦ ସିଟ୍ ପାଇଁ ତୀର୍ଥଯାତ୍ରୀ ପିଛା୨୭.୪୦୦ଟଙ୍କା ଓ କମ୍ଫର୍ଟ କ୍ଲାସ ବା ୩ଏସି ଶ୍ରେଣୀର ୭୦ସିଟ୍ ପାଇଁ ତୀର୍ଥଯାତ୍ରୀ ପିଛା ୩୦.୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ତୀର୍ଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ରହଣି ବ୍ୟବସ୍ଥା ଇକୋନୋମୀ କ୍ଲାସ ପାଇଁ ନନ୍ ଏସି ହୋଟେଲ ଏବଂ ଷ୍ଟାଣ୍ଡାର୍ଡ ଓ କମ୍ଫୋର୍ଟ କ୍ଲାସ୍ ପାଇଁ ଏସି ହୋଟେଲର ବ୍ୟବସ୍ଥା କରାଯାଇଛି । ଏହା ସହ ଯାତ୍ରା ସମୟରେ ଡାକ୍ତର, ନିରାମିଶ ଭୋଜନ, ଦୁଇଜଣ ଟୁରିଷ୍ଟ ଗାଇଡ ଓ ସମସ୍ତ ଯାତ୍ରୀଙ୍କ ପାଇଁ ୪ଲକ୍ଷ ଟଙ୍କାର ବୀମା ସୁବିଧା କରାଯାଇଛି । ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଟୁରିଜିମ୍‌ର ଉନ୍ନତିକରଣ ପାଇଁ ଶତକଡା ୩୩ ରିହାତି ବ୍ୟବସ୍ଥା କରାଯାଇଛି ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଶେଷ ଅନୁସନ୍ଧାନ ପାଇଁ ହେଲ୍ପ ଲାଇନ ନମ୍ବର ୮୫୯୫୯୦୪୦୮୨ ଓ ୮୫୯୫୯୦୪୦୭୭ରେ ଯୋଗାଯୋଗ କରିବାକୁ ଆଇଆରସିଟିସିର ଯୁଗ୍ମ ସାଧାରଣ ପ୍ରବନ୍ଧକ ରାଜେନ୍ଦ୍ର ବର୍ଦ୍ଧନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.