ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ମା ଜଗତ ଜନନି ମା ଦୂର୍ଗାଙ୍କ ପୁଜା । ଟିଟିଲାଗଡ଼ ସହରରେ ହେବାକୁ ଥିବା ମାଁ ଦୁର୍ଗାଙ୍କ ପୂଜାକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ସମସ୍ତ ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପାର୍ବଣ ସମୟରେ ବିଦ୍ୟୁତ ସମସ୍ୟା, ଟ୍ରାଫିକ ସମସ୍ୟା, ପୂଜା କମିଟି ମାନଙ୍କରେ ହେବାକୁ ଥିବା ପୂଜାବିଧି, ସାଂସ୍କୃତିକ କାର୍ୟ୍ୟକ୍ରମ, ବିସର୍ଜନ ତଥା ରାବଣ ଦହନ କାର୍ୟ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ପୂଜା ସମୟରେ ବିଦ୍ୟୁତ କାଟ ନ କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେବା ସହ ଟ୍ରାଫିକ ସମସ୍ୟା, ଭକ୍ତ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଥିଲେ । ଏହା ସହିତ ପୋଲିସ ପ୍ରଶାସନ, ଅଗ୍ନିଶ୍ରମ ବିଭାଗ, ଅବକାରୀ ବିଭାଗ, ତଥା ସ୍ୱାସ୍ଥ୍ୟ ବିଭାଗକୁ ସତର୍କ ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ ପୂଜା ପାର୍ବଣ ହେବା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏହି ବୈଠକରେ ସହରର ବିଭିନ୍ନ ପୁଜା କମିଟିର ସଦସ୍ୟ, ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।