- ୨ଟି ପର୍ଯ୍ୟାୟରେ ଶିରିଡିରୁ ନାସିକ ଓ ଅଯୋଧ୍ୟାରୁ ବାରଣାସୀ ଯିବେ ୧୯୭ ଲେଖାଏଁ ଯାତ୍ରୀ
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ନେଇ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସଂଯୋଜନା କରିଥିବା ବେଳେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା ବୈଠକ ସଂଚାଳନ କରିଥିଲେ । ସୂଚନାନୁସାରେ, ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରୁ ଦୁଇଟି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳ ପ୍ରଥମେ ଶିରିଡିରୁ ନାସିକ (ତା.୨୭.୦୨.୨୦୨୫ ରିଖ ଠାରୁ ତା. ୦୪.୦୩.୨୦୨୫ ରିଖ ପର୍ଯ୍ୟନ୍ତ) ଓ ଅଯୋଧ୍ୟାରୁ ବାରଣାସୀ (ତା. ୧୮.୦୪.୨୦୨୫ ରିଖ ଠାରୁ ତା. ୨୩.୦୪.୨୦୨୫ ରିଖ ପର୍ଯ୍ୟନ୍ତ) ଯାତ୍ରା କରିବେ । ଏହି ଦୁଇଟି ଥରରେ ୧୯୬ ଜଣ ଲେଖାଏଁ ବରିଷ୍ଠ ନାଗରିକ (୬୦ ବର୍ଷରୁ ଉର୍ଦ୍ଧ୍ୱ ୭୫ ବର୍ଷ ବୟସ ପର୍ଯ୍ୟନ୍ତ) ଏହି ଯାତ୍ରାରେ ଭାଗ ନେଇ ପାରିବେ ବୋଲି ସ୍ଥିରୀକୃତ ହୋଇଛି । ଏହା ସହିତ ଇଚ୍ଛୁକ ବରିଷ୍ଠ ନାଗରିକ (୭୦ରୁ ୭୫ ବର୍ଷ ବୟସର ବ୍ୟକ୍ତି ବିଶେଷ) ମାନେ ତାଙ୍କ ସହିତ ଜଣେ କେୟାର ଟେକର ମଧ୍ୟ ନେଇ ପାରିବେ ଏବଂ ସେଥିପାଇଁ ଟଙ୍କା ୧୦,୫୦୦/- ଅଗ୍ରିମ ଦାଖଲ କରିବାକୁ ପଡିବ । ସମସ୍ତ ଆବେଦନ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଗ୍ରହଣ କରାଯିବ ଓ ଏଥିପାଇଁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସହିତ ସମସ୍ତ ଆବେଦନକାରୀ ମାନେ ଯୋଗାଯୋଗ କରିପାରିବେ । ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ବେହେରାଙ୍କ ସୂଚନା ଅନୁସାରେ, ଏହି ତୀର୍ଥଯାତ୍ରା ପାଇଁ ମୟୁରଭଞ୍ଜରୁ ଚଳିତ ବର୍ଷ ପାଇଁ ୭୨୫ ଜଣ ଆବେଦନ କରିଥିବା ବେଳେ ସେଠି ମଧ୍ୟରୁ ୪୧ଟି ଆବେଦନ ଅସ୍ୱୀକାର ଘୋଷଣା ହୋଇଛି ଓ ୬୭୪ଟି ଆବେଦନ ସ୍ୱୀକାର ହୋଇଛି । ସେଥି ମଧ୍ୟରୁ ୩୬୫ଟି ସିଙ୍ଗଲ ଭ୍ୟାଲିଡ଼ ଆପ୍ଲିକେସନ ହୋଇଥିବା ବେଳେ ୩୦୯ଟି କପଲ୍ ଭ୍ୟାଲିଡ଼ ଆପ୍ଲିକେସନ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ସୟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ନିଜ ଦାୟିତ୍ୱ ବିଷୟରେ ଅବଗତ କରାଇବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହେବ ବୋଲି ଆଶା ପ୍ରକଟ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ, ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଚ୍ଛାୟତ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ. ବିଜୟ କୁମାର ଦାସ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ ।