ତ୍ରିନାଥ ସିଂହଙ୍କୁ ‘ଟାଇମପାସ୍ ବେଷ୍ଟ ସେଲର ଆୱାର୍ଡ଼’

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପରିଚିତ କବି ଓ ଔପନ୍ୟାସିକ ତ୍ରିନାଥ ସିଂହଙ୍କୁ ତାଙ୍କ ରଚିତ ଉପନ୍ୟାସ ‘ଦୁଇଫର୍ଦ୍ଦ ଆକାଶ’ ପାଇଁ ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଟାଇମପାସ୍ ତରଫରୁ ୨୦୨୫ ମସିହା ପାଇଁ ‘ବେଷ୍ଟ ସେଲର ଆୱାର୍ଡ଼’ରେ ସମ୍ବର୍ଦ୍ଧିତ କରାଯାଇଛି । ୧୯୯୯ ମସିହା ଅକ୍ଟୋବରରେ ସଂଘଟିତ ଓଡ଼ିଶା ମହାବାତ୍ୟା, ଯାହା ସମଗ୍ର ରାଜ୍ୟର ଜନଜୀବନ ଓ ଆର୍ଥିକ ମେରୁଦଣ୍ଡକୁ ଖିନଭିନ କରିଦେଇଥିଲା, ସେହି ପୃଷ୍ଠଭୂମିକୁ ନେଇ ରଚିତ କବି ତ୍ରିନାଥ ସିଂହଙ୍କ ଏହି ଉପନ୍ୟାସ ପାଠକମାନଙ୍କ ଦ୍ଵାରା ସର୍ବାଧିକ ଆଦୃତ ହୋଇ ଚଳିତବର୍ଷ ପାଇଁ ବେଷ୍ଟ ସେଲର୍‌ର ମାନ୍ୟତା ଲାଭ କରିଛି । ଏହି ଅବସରରେ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଟାଇମପାସ୍ ଦ୍ଵାରା ଆୟୋଜିତ ଏକ ଭବ୍ୟ ଉତ୍ସବରେ ବିଶିଷ୍ଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, ବିଶିଷ୍ଟ ଗାଳ୍ପିକ ଓ ଔପନ୍ୟାସିକ ପାରମିତା ଶତପଥୀ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଟାଇମପାସ୍‌ର ନିର୍ଦ୍ଦେଶକ ସରୋଜ ବଳ କବି ତ୍ରିନାଥ ସିଂହଙ୍କୁ ମାନପତ୍ର, ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଔପନ୍ୟାସିକ ସରୋଜିନୀ ସାହୁ, କବି ଫନି ମହାନ୍ତି, କବି ରକ୍ଷକ ନାୟକ, ହିରଣ୍ମୟୀ ମିଶ୍ର, ଅଜୟ ସ୍ୱାଇଁ, ଭାରତ ମାଝୀ, କେଦାର ମିଶ୍ର, ସ୍ୱାଗତିକା ସ୍ୱାଇଁ, ବିଜନବାଲା କାଣ୍ଡି, କ୍ଷୀରୋଦ ପରିଡ଼ା, ପଞ୍ଚାନନ ନାୟକ ପ୍ରମୁଖ ବିଶିଷ୍ଟ ସାହିତ୍ୟିକମାନେ ଉପସ୍ଥିତ ରହି ଶ୍ରୀ ସିଂହଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.